ଜଙ୍ଗଲ ଅଧିକାର ଆଇନ ଉଲ୍ଲଂଘନ ବନ୍ଦ କରି ଜମିର ପଟ୍ଟା ଦିଆଯାଉ
ଭୁବନେଶ୍ୱର : ସାଲିଆ ସାହି ଆଞ୍ଚଳିକ କମିଟି ତରଫରୁ ଜୟଦେବ ବିହାର ମୌଜା, ଖାତା ନଂ. ୧୪୨୭ର ଜଙ୍ଗଲ କିସମ ଜମିରେ ଜଙ୍ଗଲ ଅଧିକାର କାର୍ଯ୍ୟକାରୀ କରିବା, ଜାଗା ମିଶନ୍ ମାଧ୍ୟମରେ ୨୦ରୁ ୩୦ ଫୁଟର ଜମିପଟ୍ଟା ଦେବା ଦାବିକରି ବାରମ୍ବାର ଆନ୍ଦୋଳନ ଅଭିଯାନ ଏବଂ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯାଇଅଛି । କିନ୍ତୁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ତାହାକୁ ଅଣଦେଖା କରି ବସ୍ତିରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରୁଛନ୍ତି । ଗତ ୪/୫ ଦିନ ପୂର୍ବରୁ ହାତିଆଶୁଣି ନିକଟ ଜଙ୍ଗଲ ଜମିରେ ବସ୍ତିବାସିନ୍ଦାଙ୍କ ଦ୍ୱାରା ବୁଣାଯାଇଥିବା ଅଧ ଏକରରୁ ଉର୍ଦ୍ଧ୍ୱ ଅଞ୍ଚଳରେ ଅର୍ଥକାରୀ ଜଡ଼ାଗଛକୁ ବିନା କାରଣରେ ବୁଲଡୋଜର୍ ଲଗାଇ ନଷ୍ଟ କରାଯାଇଛି । ବସ୍ତିରେ ଅତି ଗରିବ ପରିବାରମାନେ ଗୋଷ୍ଠୀଗତ ଭାବେ ଜଡ଼ାମଞ୍ଜି ସଂଗ୍ରହ କରି ପେଟ ପୋଷୁଥିଲେ । ଅତି ନିର୍ଦ୍ଦୟ ଭାବରେ ଜଡ଼ାଗଛକୁ ନଷ୍ଟ କରିବା ୨୦୦୬ ଜଙ୍ଗଲ ଅଧିକାର ଆଇନର ଖୋଲା ଉଲ୍ଲଂଘନ ଅଟେ । ଜଙ୍ଗଲ ଅଧିକାର ଆଇନ ଅନୁସାରେ ସାଲିଆସାହି ବସ୍ତିବାସିନ୍ଦାଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି । କେନ୍ଦ୍ର ସରକାରଙ୍କର ଚିଠି ନଂ. (ଫାଇଲ୍ ନଂ. ୧୯୦୨୦/୦୨/୨୦୧୨ ଏଫ୍.ଆର୍.ଏ. ତାରିଖ ୨୯ ଏପ୍ରିଲ ୨୦୧୩)ରେ ଦେଶର ସମସ୍ତ ରାଜ୍ୟ ସରକାରଙ୍କ ମୁଖ୍ୟଅଧିକାରୀଙ୍କୁ ସହରାଞ୍ଚଳରେ ଜଙ୍ଗଲ ଅଧିକାରକୁ କାର୍ଯ୍ୟକାରୀ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଆମ ରାଜ୍ୟ ସରକାର ଏହାକୁ ଅଣଦେଖା କରୁଛନ୍ତି । କିନ୍ତୁ ଛତିଶଗଡ଼ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ରାଜ୍ୟର ଧମ୍ତରୀର ନଗରୀ, ଜଗଦଲପୁର, କାଙ୍କେର ପ୍ରମୁଖ ମହାନଗର ନିଗମ ଅଞ୍ଚଳରେ ଜଙ୍ଗଲ ଜମିର ପଟ୍ଟା ଦେଇ ଉଦାହରଣ ସୃଷ୍ଟି କରିଛନ୍ତି । ଓଡ଼ିଶାର ସହରାଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆଞ୍ଚଳିକ କମିଟି ତରଫରୁ ଦୃଢ଼ ଦାବି କରାଯାଇଛି । ଗତ ତା ୧୬.୦୯.୨୦୨୨ରିଖରେ ସାଲିଆ ସାହି ଆଞ୍ଚଳିକ କମିଟି ସାମ୍ବାଦିକ ସମ୍ମିଳନୀ କରି ୨୦୦୬ ଜଙ୍ଗଲ ଜମି ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା, ଜାଗା ମିଶନ୍ରେ ଜମି ପଟ୍ଟା ଦେବା ସହିତ ସାଲିଆ ସାହି ବସ୍ତି ଭିତରେ ଅଙ୍କାବଙ୍କା ରାସ୍ତା ନିର୍ମାଣକୁ ବନ୍ଦ କରି ମହିଳା ପଲିଟେକ୍ନିକ୍ ଛକଠାରୁ ଏକାମ୍ର କାନନ ଭିତର ଦେଇ ସିଆର୍ପି ଛକ ଯିବା ରାସ୍ତାରେ ନୂତନ ରାସ୍ତା ସଂଯୋଗ କରିବା ପାଇଁ ଅଞ୍ଚଳର ଲାଇଭ୍ ଲୋକେସନ୍ ଉପରେ ମ୍ୟାପ୍ କରି ଉପଯୁକ୍ତ ସୁଗମ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାଦ୍ୱାରା ଏକାମ୍ର କାନନ ପାଇଁ ଯାତାୟତର ସୁବିଧା ସହିତ ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ସାଧନ ହୋଇପାରିବ । ଦୀର୍ଘଦିନ ଧରି ସହରର ହୃତ୍ପିଣ୍ଡ ଏକାମ୍ରକାନନକୁ ଜୀବନଦାନ କରିଆସୁଥିବା ସାଲିଆସାହି ଆଦିବାସୀ ଗାଁ ଶ୍ରମିକମାନେ ସର୍ବନିମ୍ନ ବେତନଠାରୁ କମ୍ ମଜୁରୀରେ ନିମ୍ନ ମାନର ଖାଦ୍ୟ ଖାଇ କେବଳ ଜୀବନ ଜୀଇଁ ରହିଥିବା ଆଦିବାସୀ ଶ୍ରମିକମାନଙ୍କର ଜୀବନ ମାନର ଉନ୍ନତି ହୋଇପାରିବ । କିନ୍ତୁ ତା ୧୬.୦୯.୨୦୨୨ରିଖରେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବେନାମୀ ସରକାରୀ ଅଧିକାରୀଙ୍କ ବୟାନ ଦ୍ୱାରା ୨୦୦୬ ଜଙ୍ଗଲ ଅଧିକାର ଆଇନ ଏବଂ ୨୦୧୭ ଜମି ଅଧିକାର ଆଇନରେ ଜାଗା ମିଶନ ବ୍ୟବସ୍ଥାକୁ ହେୟଜ୍ଞାନ କରି ଅଙ୍କାବଙ୍କା ରାସ୍ତା ସପକ୍ଷରେ ଯୁକ୍ତି ଉପସ୍ଥାପନ କରି ବସ୍ତିବାସିନ୍ଦାଙ୍କ ଦାବିକୁ ଅଣଦେଖା କରାଯାଇଛି । ଅନ୍ୟ ପକ୍ଷରେ ଡାହାଣ ପାଶ୍ୱର୍ ରାସ୍ତା ପାଇଁ ପୂର୍ବତନ ସୈନିକ ଛାତ୍ରଙ୍କର ଦାବିକୁ ଗ୍ରହଣ କରି ନକ୍ସା ପରିବର୍ତ୍ତନ କରାଯାଇଥିବା ବେଳେ ବସ୍ତିବାସିନ୍ଦାଙ୍କ ଦାବି ବୋଲି ବାସ୍ତବ ରାସ୍ତା ପ୍ରସ୍ତାବକୁ ଉପହାସ କରି ସାଧାରଣ ପଥଚାରୀଙ୍କ ଜୀବନହାନି ପାଇଁ ସୁଚିନ୍ତିତ ବ୍ୟବସ୍ଥା କରିବା ସପକ୍ଷରେ ସମ୍ପୃକ୍ତ ଅଧିକାରୀଙ୍କ ତିଳେମାତ୍ର ଅନୁଶୋଚନା ଦେଖାଯାଇନାହିଁ । ଏଥିରେ ବସ୍ତିବାସିନ୍ଦା ବିସ୍ମୟ ପ୍ରକାଶ କରିଛନ୍ତି । ଉଦ୍ଦେଶ୍ୟମୂଳକ ଭାବରେ ନଷ୍ଟ କରାଯାଇଥିବା ଜଡ଼ା ଫସଲର କ୍ଷତିପୂରଣ ସହିତ ୨୦୦୬ ଜଙ୍ଗଲ ଅଧିକାର ଆଇନର ଖୋଲା ଉଲ୍ଳଂଘନକୁ ବନ୍ଦ କରିବା ପାଇଁ ଆଞ୍ଚଳିକ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ବସ୍ତିବାସିନ୍ଦାଙ୍କ ନ୍ୟାଯ୍ୟ ଦାବିକୁ ହାସଲ କରିବା ପାଇଁ ଆସନ୍ତା ନଭେମ୍ବର ୨୨ ତାରିଖରେ ସାଲିଆସାହିରେ ମହାସମାବେଶ କରାଯିବା ସହିତ ଆଗାମୀ ବିଧାନସଭା ଅଧିବେଶନ ସମୟରେ ବିଧାନସଭା ଅଭିଯାନ କରାଯିବ ବୋଲି ଆଞ୍ଚଳିକ କମିଟି ତରଫରୁ ଘୋଷଣା କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସାଲିଆସାହି ଆଞ୍ଚଳିକ କମିଟିର ଆବାହକ ମଣ୍ଡଳୀ ସଭାପତି ଜୟଦେବ ନାୟକ, ସଭ୍ୟ ସାଲ ମାର୍ଣ୍ଡି, ରଘୁନାଥ ନାଥ, ଅଞ୍ଜନ ନାଥ, ଦେବେନ୍ଦ୍ର ମିଶ୍ର, ଉମେଶ ଦାସ, ଅନାଦି ପାତ୍ର, ଶିବଶଙ୍କର ସୋରେନ୍, ରମେଶ ବେହେରା, ପ୍ରଫୁଲ୍ଲ କୁମାର ସାହୁ, ରବିନ୍ଦ୍ର ସାହୁ, ଦାଉଦ ଦିଗାଲ, ଫୁଲରାଣୀ ପାତ୍ର, ଜୟନ୍ତୀ ସୋରେନ, ରମେଶ ବେହେରା, ସୁଶାନ୍ତ ମହାକୁଡ଼, ମହାଦେବ ବାରିକ, ସତ୍ୟପ୍ରିୟ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ ।