ଉତ୍ତରକାଶୀ ହିମସ୍ଖଳନ ଘଟଣା : ମୃତ୍ୟୁସଂଖ୍ୟା ୧୯କୁ ବୃଦ୍ଧି, ଜାରି ରହିଛି ଉଦ୍ଧାର କାର୍ଯ୍ୟ
![](https://thetruths.in/wp-content/uploads/2022/10/Uttarkashi-Avalanche-Incident.jpg)
ଡେରାଡୁନ : ଉତ୍ତରକାଶୀ ହିମସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ପର୍ଯ୍ୟନ୍ତ ୧୯ ଜଣଙ୍କ ମୃତଦେହ ମିଳିଥିବାବେଳେ ଅନେକ ଲୋକ ନିଖୋଜ ଅଛନ୍ତି । ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ଅନୁସାରେ, ଆଇଟିବିପି, ବାୟୁସେନା, ଏସଡିଆରଏଫ ଏବଂ ନିମ୍ର ପର୍ବତାରୋହୀଙ୍କ ସମେତ ମୋଟ ୩୦ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବାୟୁସେନାର ହେଲ୍ଟିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି । ଦୀର୍ଘ ୭୦ ଘଣ୍ଟା ଧରି ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ଖରାପ ପାଗ ଯୋଗୁଁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ତେବେ ମିଳିଥିବା ମୃତଦେହ ଗୁଡିକ ମଧ୍ୟରୁ ୩ ଜଣ ଟ୍ରେନର ଓ ଅନ୍ୟମାନେ ଟ୍ରେନି ଅଟନ୍ତି । ମୃତକଙ୍କ ଭିତରେ ଏଭରେଷ୍ଟ ବିଜୟୀ ସବିତା କନସ୍ବାଲ ମଧ୍ୟ ଅଛନ୍ତି ।
ମଙ୍ଗଳବାର ସକାଳେ ଉତ୍ତରକାଶୀ ଦ୍ରୌପଦୀର ଦଣ୍ଡା-୨ ପର୍ବତରେ ଭୟଙ୍କର ହିମସ୍ଖଳନ ହୋଇଥିଲା । ଏହି ସମୟରେ ନେହେରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନନିଅରିଙ୍ଗର ୪୪ ଜଣିଆ ଏକ ପର୍ବତାରୋହୀ ଟିମ୍ ସେଠାକୁ ଯାଇଥିଲେ । ଟିମ୍ରେ ୩୩ ଜଣ ଟ୍ରେନି ଏବଂ ୭ ଜଣ ଟ୍ରେନରଙ୍କ ସମେତ ୪୦ ଜଣ ସାମିଲ ଥିଲେ । ବରଫ ଅତଡା ଖସିବା ପରେ ସମସ୍ତେ ସେଠାରେ ଫସି ଯାଇଥିଲେ । ପୂର୍ବରୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବାକି ପର୍ବତାରୋହୀଙ୍କୁ ଖୋଜାଖୋଜି କରାଯାଉଛି । ତେବେ ଶୁକ୍ରବାର ସୁଦ୍ଧା ମୋଟ ୧୯ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର ସୂଚନା ଦେଇଛନ୍ତି ।