ଏସିଆ କପ-୨୦୨୨ : ଟସ୍ ଜିତି ହଂକଂର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ
ହାର୍ଦ୍ଦିକଙ୍କୁ ବିଶ୍ରାମ, ପନ୍ତଙ୍କୁ ସୁଯୋଗ
ଦୁବାଇ: ଏସିଆ କପରେ ବୁଧବାର ଭାରତ-ହଂକଂ ମୁକାବିଲା। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ। ଟୁର୍ଣ୍ଣାମେଣ୍ଟରେ ହଂକଂର ଏହା ପ୍ରଥମ ମୁକାବିଲା ହୋଇଥିବା ବେଳେ ଭାରତ ଆଜି ଦ୍ୱିତୀୟ ମ୍ୟାଚ ଖେଳିବ । ହଂକଂକୁ ହରାଇ ଟୁର୍ଣ୍ଣାମେଣ୍ଟର ସୁପର ୪ରେ ପ୍ରବେଶ କରିବା ଲକ୍ଷ୍ୟ ନେଇ ଭାରତ ମଇଦାନକୁ ଓହ୍ଲାଇବ । ହଂକଂ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ନିଜର ଛାପ ଛାଡିବାକୁ ଯଥା ସମ୍ଭବ ଉଦ୍ୟମ କରିବ । ହଂକଂ ଦଳ ଦୁର୍ବଳ ହୋଇଥିଲେ ମଧ୍ୟ ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଏହି ମୁକାବିଲାରେ ଟସ୍ ଜିତି ହଂକଂ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ପ୍ରଥମେ ବ୍ୟାଟିଂ କରିବେ ରୋହିତ ବାହିନୀ । ଭାରତର ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ଓ୍ଵିକେଟ୍ କିପର ଋଷଭ ପନ୍ତଙ୍କୁ ସାମିଲ୍ କରାଯାଇଛି।
ଭାରତ ପାଇଁ ଏହି ମୁକାବିଲା ନେଟ୍ ପ୍ରାକ୍ଟିସ୍ ଭଳି ହେବ । ହଂକଂର ଅଧିକାଂଶ ଖେଳାଳି ଭାରତ ଓ ପାକିସ୍ତାନ ବଂଶୋଦ୍ଭବ ଅଟନ୍ତି । ଏମାନେ ଭାରତରେ ପ୍ରଥମ ଶ୍ରେଣୀ ଟିମରେ ସ୍ଥାନ ପାଇନଥିଲେ । କେଏଲ ରାହୁଲ ଚଳିତ ବର୍ଷ ପ୍ରଥମ ଟି୨୦ରେ ପାକିସ୍ତାନ ବିପକ୍ଷରେ ମୁକାବିଲା ଖେଳିଥିଲେ । ସେ ଓ ରୋହିତ ହଂକଂ ବିପକ୍ଷରେ ବଡ ପାଳି ଖେଳିବେ ବୋଲି ଆଶା କରାଯାଉଛି । ଏହାଦ୍ୱାରା ଭାରତ ବିଶ୍ୱକପ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିପାରିବ । ସେହିପରି ବିରାଟ ହଂକଂ ବିପକ୍ଷରେ ଫର୍ମକୁ ଫେରିବେ ବୋଲି ଆଶା କରାଯାଉଛି । ସେ ଦୀର୍ଘଦିନ ଧରି ବଡ ସ୍କୋର କରିବାରେ ବିଫଳ ହେଉଛନ୍ତି । ପାକିସ୍ତାନ ବିପକ୍ଷରେ କିଛି ଖାସ୍ କରିପାରିନଥିବା ରୋହିତ ମଧ୍ୟ ଭଲ ପାଳି ଖେଳିବେ ବୋଲି ଆଶା କରାଯାଉଛି । ତେବେ ଜାଡେଜାଙ୍କୁ ଦଳ ଆଜି କେଉଁ ନମ୍ବରରେ ଓହ୍ଲାଉଛି ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ । ଅନ୍ୟପକ୍ଷରେ ହଂକଂ ପାଖରେ ପାକିସ୍ତାନ ଭଳି ବୋଲର ନାହାଁନ୍ତି । କିନ୍ତୁ ଦଳକୁ ଦୁର୍ବଳ ଭାବିହେବ ନାହିଁ । କାରଣ ଏକ ଅଜଣା ଟିମର ପ୍ରଦର୍ଶନକୁ ନେଇ ଅନୁମାନ ଲଗାଯାଇ ପାରିବ ନାହିଁ । ଭାରତୀୟ ଅଧିନାୟକ ରୋହିତ ସ୍ପଷ୍ଟ ଭାବେ ଟିମରେ ନୂଆ ନୂଆ ଏକ୍ସପେରିମେଣ୍ଟ କରିବେ ବୋଲି କହିସାରିଛନ୍ତି । ଯଦି କୌଣସି ବଡ ପରିବର୍ତ୍ତନ ହୁଏ ତେବେ ଏଥିରେ ଚକିତ ହେବାର କିଛି ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।
ଭାରତ ଦଳ : ରୋହିତ ଶର୍ମା(ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଭୁବନେଶ୍ଵର କୁମାର, ଅଭେଶ ଖାନ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ।
ହଂକଂ ଦଳ : ନିଜାକତ ଖାନ(ଅଧିନାୟକ), ୟାସିମ ମୁର୍ତ୍ତାଜା, ବାବର ହୟାତ, କିଞ୍ଚିତ ଶାହ, ଅଇଜାଜ ଖାନ, ସ୍କଟ୍ ମ୍ୟାକକେନିଏ(ଓ୍ଵିକେଟ୍ କିପର), ଜିଶାନ ଅଲ୍ଲୀ, ହାରୁନ ଅରଶଦ, ଏହସାସ ଖାନ, ଆୟୁଷ ଶୁକ୍ଳା, ମହମ୍ମଦ ଘଜନାଫର।