ଆଜି ଭାରତ-ହଂକଂ ମୁକାବିଲା ; ଭାରତ ପାଇଁ ସମସ୍ୟା ବାବର ହୟାତ
ଦୁବାଇ : ଏସିଆ କପ-୨୦୨୨ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । ବୁଧବାର ଦ୍ଵିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ହଂକଂ । ଉଭୟ ଟିମ୍ ମଧ୍ୟରେ ଦୁବାଇରେ ଖେଳାଯିବ ମ୍ୟାଚ । ହଂକଂ ଏକ ଦୁର୍ବଳ ଦଳ । ସବୁଠୁ ଦୁର୍ବଳ ଦଳ ଭାବେ ପରିଗଣିତ ହୋଇଥିବା ହଂକଂକୁ ମାତ୍ ଦେଇ ଭାରତ ସୁପର ୪ରେ ପ୍ରବେଶ କରିବାକୁ ପ୍ରୟାସ କରିବ । କିନ୍ତୁ ବିରୋଧି ଟିମକୁ ହାଲୁକା ଭାବେ ନେବା ଅନୁଚିତ । କାରଣ ହଂକଂରେ କିଛି ଏପରି ଖେଳାଳି ଅଛନ୍ତି ଯେଉଁମାନେ ଭାରତ ପାଇଁ ସମସ୍ୟା ବଢାଇ ପାରନ୍ତି । ସେମାନଙ୍କ ମଧ୍ୟରେ ଷ୍ଟାର୍ ପ୍ଲେୟାର ବାବର ହୟାତ ସାମିଲ ଅଛନ୍ତି ।
ବାବର ଦୀର୍ଘଦିନ ଧରି ଦଳର ପ୍ରତିନିଧିତ୍ୱ କରୁଛନ୍ତି । ସେ ଏସିଆ କପର ଟି-୨୦ ଫର୍ମାଟରେ ଶତକ ଲଗାଇଥିବା ଏକମାତ୍ର ବ୍ୟାଟର । ଗତ ୨୦୧୬ରେ ଓମାନ ବିପକ୍ଷ କ୍ୱାଲିଫାଇଂ ମ୍ୟାଚରେ ୬୦ ବଲରେ ୧୨୨ ରନ୍ ସଂଗ୍ରହ କରିଥିଲେ । ସେହିପରି ପାକିସ୍ତାନରେ ଜନ୍ମିତ ବାବର ଏସିଆ କପର ଟି-୨୦ ଫର୍ମାଟରେ ସବୁଠୁ ଅଧିକ ରନ୍ କରିଥିବା ଖେଳାଳି । ଏବେସୁଦ୍ଧା ସେ ୩ ମ୍ୟାଚରେ ୬୪.୬୬ ଆଭରେଜରେ ୧୯୪ ରନ୍ କରିଛନ୍ତି । ବିରାଟ କୋହଲି ୬ ମ୍ୟାଚରୁ ୧୮୮ ରନ୍ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତେବେ ଏସିଆ କପ୍ ଟି-୨୦ ଫର୍ମାଟରେ ପ୍ରଥମେ ୨୦୧୬ରେ ଖେଳାଯାଇଥିଲା ।
ସୂଚନା ଯେ, ବାବର ୨୦୧୪ରେ ନେପାଳ ବିପକ୍ଷରେ ଅନ୍ତର୍ଜାତୀୟ ଟି-୨୦ରେ ପଦାର୍ପଣ କରିଥିଲେ । ଏହାର ଦୁଇ ମାସ ପରେ ସେ ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ । ସେ ବର୍ତ୍ତମାନ ସୁଦ୍ଧା ହଂକଂ ପାଇଁ ୩୨ ଟି-୨୦ ଓ ୨୨ ଦିନିକିଆ ଖେଳି ସାରିଛନ୍ତି । ଟି୨୦ରେ ତାଙ୍କର ଆଭରେଜ ରହିଛି ୨୯.୧୫ । ଏଥିରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ରହିଛି ।