ଏସିଆ କପ୍-୨୦୨୨ : ଆଜି ଶ୍ରୀଲଙ୍କା-ବାଂଲାଦେଶ ମୁକାବିଲା
ଉଭୟ ଦଳ ପାଇଁ ‘କର ବା ମର’ ପରିସ୍ଥିତି, ବିଜୟୀ ଟିମ୍ ଯିବ ସୁପର୍ ୪
ଦୁବାଇ : ଏସିଆ କପ୍-୨୦୨୨ର ପଞ୍ଚମ ମୁକାବିଲାରେ ଗୁରୁବାର ମୁହାଁମୁହିଁ ହେବେ ବାଂଲାଦେଶ ଓ ଶ୍ରୀଲଙ୍କା। ଉଭୟ ଦଳ ପୂର୍ବରୁ ଆଫଗାନିସ୍ତାନ ଠାରୁ ପରାଜିତ ହୋଇସାରିଛନ୍ତି । ଗ୍ରୁପ ବି’ରେ ଥିବା ଏହି ଦୁଇ ଟିମ ପାଇଁ ଆଜିର ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚରେ ଯେଉଁ ଦଳ ଜିତିବ ସେ ସୁପର ୪ରେ ପ୍ରବେଶ କରିବ । ସେହିପରି ଯେଉଁ ଦଳ ହାରିବ ଟୁର୍ଣ୍ଣାମେଣ୍ଟରେ ଏହାର ଅଭିଯାନ ସମାପ୍ତ ହୋଇଯିବ। ଫଳରେ ଦୁଇ ଟିିମ ନିଶ୍ଚିନ୍ତ ବିଜୟ ଆଶାରେ ଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିପାରେ ।
ମ୍ୟାଚ୍ରେ ଟସ୍ର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିପାରେ । ଟସ୍ ବିଜୟୀ ଦଳ ଫିଲ୍ଡିଂ ନେବା ଏକ ପ୍ରକାର ନିଶ୍ଚିତ । ଫ୍ଲଡ୍ ଲାଇଟ୍ ତଳେ ମ୍ୟାଚ୍ ଆୟୋଜନ କରାଯାଉଥିବାରୁ ରାତ୍ରିର କାକରରେ ବ୍ୟାଟିଂ କରିବା ସହଜ । ଦୁବାଇରେ କାକର ପଡୁଥିବାରୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତ ନେବେ । ଉଭୟ ଶ୍ରୀଲଙ୍କା ଓ ବାଂଲାଦେଶ ଟିମରେ ଏକାଧିକ ସ୍ପିନର ରହିଥିବାରୁ ମ୍ୟାଚ୍ ଚିତାକର୍ଷକ ହେବ ବୋଲି ଅନୁମାନ କରାଯାଉଛି । ବାଂଲାଦେଶ ବ୍ୟାଟିଂରେ ଷ୍ଟାର ବ୍ୟାଟ୍ର ସାକିବ ଅଲ ହସନ, ମୁସଫିକର ରହିମ ଓ ମହମଦ୍ଦୁଲ୍ଲାଙ୍କ ଉପରେ ନିର୍ଭର କରିବ । ସେହିପରି ବୋଲିଂରେ ଷ୍ଟାର ବୋଲର ମୁସ୍ତାଫିଜୁର ରେହମାନ ଓ ଟସକିନ ଅହମ୍ମଦଙ୍କ ଭଲ ପ୍ରଦର୍ଶନ ଆଶା କରିବ ।ଅନ୍ୟପଟେ ଶ୍ରୀଲଙ୍କା ପାଇଁ ମଧ୍ୟ ଏହି ମ୍ୟାଚ୍ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଟୁର୍ଣ୍ଣାମେଣ୍ଟରେ ସୁରକ୍ଷିତ ରହିବାକୁ ପଜିଟିଭ ରନ୍ରେଟ୍ ସହ ବଡ ବିଜୟ ଆବଶ୍ୟକ କରୁଥି ସିଂହଳ ଟିମ । ବ୍ୟାଟିଂ ବିଭାଗ କୁସାଲ ମେଣ୍ଡିସ, ଭାନୁକା ରାଜପକ୍ସା ଓ କ୍ୟାପଟେନ ଦାସୁନ ସନାକାଙ୍କ ପ୍ରଦର୍ଶନ ଉପରେ ବିଶେଷ ଭାବେ ନିର୍ଭର କରିବ ଓ ବୋଲିଂରେ ମଧ୍ୟ ସମସ୍ତ ବୋଲରଙ୍କ ମିଳିତ ପ୍ରଦର୍ଶନ ଆଶାରେ ରହିବ ଟିମ ।
ସୂଚନା ଯେ, ଏହି ମ୍ୟାଚ୍ ସହ ଗ୍ରୁପ୍ ବି’ର ଲିଗ୍ ପର୍ଯ୍ୟାୟ ଶେଷ ହେବ । ପୂର୍ବରୁ ଆଫଗାନିସ୍ତାନ ସୁପର ୪ ରାଉଣ୍ଡ୍ରେ ପ୍ରବେଶ କରିସାରିଛି । ଦ୍ୱିତୀୟ ଦଳ ଭାବେ ମ୍ୟାଚ୍ର ବିଜେତା ଏହି ରାଉଣ୍ଡ୍ରେ ପ୍ରବେଶ କରିବେ । ତେଣୁ ବିଜୟ ପାଇଁ ଉଭୟ ଦଳ ସବୁ ଶକ୍ତି ଖଟାଇବେ । ଶ୍ରୀଲଙ୍କା ଦଳରେ ବହୁ ପ୍ରତିଭାବାନ ଖେଳାଳି ରହିଛନ୍ତି । କିନ୍ତୁ ଆଫଗାନିସ୍ତାନ ବିପକ୍ଷରେ କେହି ସଫଳ ହୋଇପାରି ନଥିଲେ । କେବଳ ଭାନୁକା ରାଜାପାକ୍ସାଙ୍କୁ ଛାଡିଦେଲେ ଅନ୍ୟ କେହି ଆଫଗାନିସ୍ତାନ ବୋଲରଙ୍କ ମୁକାବିଲା କରିପାରି ନଥିଲେ । ବାଂଲାଦେଶ ମଧ୍ୟ ସମଦଶା ଭୋଗିଥିଲା। ମୁଜିବ ଉର ରେହମାନ ଓ ରସିଦ ଖାନ ୩ଟି ଲେଖାଏଁ ୱିକେଟ୍ ନେଇ ବାଂଲାଦେଶର ବିପର୍ଯ୍ୟୟ ଘଟାଇଥିଲେ । ଶ୍ରୀଲଙ୍କା ଓ ବାଂଲାଦେଶ ଦଳରେ ଏକାଧିକ ସ୍ପିନର ରହିଛନ୍ତି । ତେଣୁ ସ୍ପିନରମାନେ ମ୍ୟାଚ୍ ଫଳାଫଳ ନିର୍ଣ୍ଣୟ କରିବେ । ବାଂଲାଦେଶ ଦଳ ମୁଖ୍ୟତଃ ଅଧିନାୟକ ସାକିବ ଅଲ୍ ହାସନଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ । ତଥାପି ମୁସଫିକର ରହିମ ଓ ମହମୁଦୁଲ୍ଲାଙ୍କ ଭଳି ଅଭିଜ୍ଞ ବ୍ୟାଟର ଦଳରେ ରହିଛନ୍ତି । ଶ୍ରୀଲଙ୍କା ଦଳରେ ଅନେକ ଦକ୍ଷ ବ୍ୟାଟ୍ସମ୍ୟାନ୍ ରହିଛନ୍ତି ।
ସୂଚନା ଯେ, ଦୁଇଟି ଲେଖାଏଁ ବିଜୟ ସହ ଯଥାକ୍ରମେ ଗ୍ରୁପ ଏ’ ଓ ଗ୍ରୁପ ବି’ରୁ ଭାରତ ଓ ଆଫଗାନିସ୍ତାନ ସୁପର ୪ ପର୍ଯ୍ୟାୟରେ ପହଞ୍ଚିସାରିଛନ୍ତି । ଫଳରେ ଅନ୍ୟ ଦୁଇଟି ସ୍ଥାନ ପାଇଁ ଏବେବି ରେସ୍ରେ ୪ଟି ଟିମ ରହିଛନ୍ତି । ଗ୍ରୁପ ଏ’ରୁ ପାକିସ୍ତାନ ଓ ହଂକଂ ମ୍ୟାଚ୍ର ବିଜେତା ଟିମ ଓ ଗ୍ରୁପ ବି’ରୁ ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ର ବିଜେତା ଟିମ ସୁପର ୪ ରେ ପ୍ରବେଶ କରିବ ।