ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା: ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବୈତରଣୀ, ବ୍ରାହ୍ମଣୀ ଜଳସ୍ତର ବୃଦ୍ଧି
![](https://thetruths.in/wp-content/uploads/2022/08/Odisha-Flood-1-1024x683.jpg)
ଏନଡିଆର୍ଏଫ ଏବଂ ଓଡ୍ରାଫ ଟିମ୍ ମୁତୟନ
ଭୁବନେଶ୍ୱର : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଆଦି ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଥିବାବେଳେ ପ୍ରଶାସନ ପକ୍ଷରୁ ସତର୍କ ପଦକ୍ଷେପ ନିଆଯାଇଛି । ସମ୍ଭାବ୍ୟ ବନ୍ୟା ନେଇ ଏସ୍ଆରସି ପ୍ରଦୀପ କୁମାର ଜେନାଙ୍କ ପକ୍ଷରୁ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲାପାଳଙ୍କୁ ସତର୍କ କରାଯାଇଛି ।
ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜର ୭ଟି ଗେଟ୍ ଖୋଲା ରହିଛି ଓ ପ୍ରାୟ ୪ଲକ୍ଷ କ୍ୟୁସେକ୍ କଳ ନିଷ୍କାସିତ ହେଉଛି । ଏହି ଜଳ ଆସିଲେ ତା’ର ପ୍ରଭାବରେ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ହେବାର ଆଶଙ୍କା ରହିଛି । ସୁବର୍ଣ୍ଣରେଖା ନଦୀର ଜଳସ୍ତର ଜାମଶୋଳାଘାଟ, ରାଜଘାଟଠାରେ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ବୁଢ଼ାବଳଙ୍ଗର ଜଳସ୍ତର ଜାତୀୟ ରାଜପଥ-୫ ନିକଟରେ ମଧ୍ୟ କ୍ରମାଗତ ବଢ଼ିବାରେ ଲାଗିଛି । ଅନ୍ୟପକ୍ଷରେ ବାଂଶଧାରା ନଦୀର ଜଳସ୍ତର ଗୁଣୁପୁର ଓ କାଶୀନଗରଠାରେ ବୃଦ୍ଧି ପାଉଥିବାବେଳେ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ଏହା ପ୍ରବାହିତ ହେଉଥିବା ଜଣାପଡ଼ିଛି । ଜଳକା ନଦୀର ଜଳସ୍ତର ମଧ୍ୟ ଉପରେ ପ୍ରବାହିତ ହେଉଛି ।
ଉତ୍ତର ଓଡ଼ିଶାରେ ଲଗାଣ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷାରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, କନ୍ଧମାଳ ଓ ସୁନ୍ଦରଗଡ଼ରେ ନାହିଁ ନ ଥିବା ଅବସ୍ଥା । କାନ୍ଥ ପଡ଼ିବା ସହ ପାଣିରେ ଭାସିଯିବାରୁ ଏବେ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଛି । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ଉପରମୁହାଁ ହେଲେଣି । ରବିବାର ସକାଳକୁ ବୁଢ଼ାବଳଙ୍ଗ ଓ ବୈତରଣୀ ବିପଦ ସଙ୍କେତ ଡେଇଁଯିବ । ଜଳକା ଉଛୁଳିଲାଣି । ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା ଘାରିଲାଣି । ସମ୍ବଲପୁର କୁଚିଣ୍ଡାରେ କାର ଭାସିଯାଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରଶାସନ ପକ୍ଷରୁ ତଳି ଇଲାକାକୁ ସତର୍କ କରାଇ ଦିଆଯାଇଛି । ବାଲେଶ୍ୱରକୁ ଅତିରିକ୍ତ ୨ଟି ଏନ୍ଡିଆରଏଫ, ୨ଟି ଓଡ୍ରାଫ ଓ ୮ଟି ଅଗ୍ନିଶମ ଟିମ ପଠାଯାଇଛି । ମୟୂରଭଞ୍ଜକୁ ୨ଟି ଏନଡିଆରଏଫ ଟିମ୍, ୨ଟି ଓଡ୍ରାଫ ଟିମ୍ ଏବଂ ୪ଟି ଅଗ୍ନିଶମ ଟିମ୍ ପଠାଯାଇଛି । ବାଲେଶ୍ୱର ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରୁ ବର୍ଷା ଲାଗି ରହିଥିଲା । ବାଲିଆପାଳ ବ୍ଲକ ମଧୁପୁର ପଞ୍ଚାୟତର ଏକ ସ୍କୁଲ ପାଚେରି ଭୁଶୁଡ଼ିବାରୁ ସେଠାରେ ଆଶ୍ରୟ ନେଇଥିବା ୪ ବର୍ଷର ବାଳକର ମୃତ୍ୟୁ ହୋଇଛି । ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଭୋଗରାଇ ବ୍ଲକର ଖରିଫପିପଳ ପଞ୍ଚାୟତର ନିଆଁପାଟଣା ଗ୍ରାମରେ ବର୍ଷା ପାଣିରେ ୨ ବର୍ଷର ଶିଶୁ ଭାସି ଯାଇ ପ୍ରାଣ ହରାଇଥିବା ଜଣାପଡ଼ିଛି । ବୁଢ଼ାବଳଙ୍ଗ ଜଳସ୍ତର କ୍ରମଶଃ ବଢ଼ୁଥିବାବେଳେ ସତର୍କ ସଙ୍କେତ (୭.୨୧ ମିଟର) ଟପିଯାଇଛି । ରାତି ୮ଟାବେଳେ ଏନଏଚ୍-୫ରେ ବୁଢ଼ାବଳଙ୍ଗ ୭.୫୮ ମିଟରରେ ପ୍ରବାହିତ ହେଉଥିଲା । ଏଠାରେ ବିପଦ ସଙ୍କେତ ସ୍ତର ୮.୧୩ ମିଟର । ରବିବାର ସକାଳ ୯ଟା ଭିତରେ ବୁଢ଼ାବଳଙ୍ଗ ବିପଦ ସଙ୍କେତ ଟପି ୮.୨୫ ମିଟରରେ ପ୍ରବାହିତ ହେଉଥିବ ବୋଲି ଜଳସମ୍ପଦ ବିଭାଗ ଆକଳନ କରିଛି । ଏଥିଯୋଗୁ ତଳି ଅଞ୍ଚଳରେ ବନ୍ୟା ଜଳ ମାଡ଼ିଯିବା ଆଶଙ୍କା ରହିଛି ।
ଉତ୍ତର ଓଡ଼ିଶା ସହ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା ବି ଫୁଲୁଛି । ଝାଡ଼ଖଣ୍ଡ ଗୁଲାଡିହ ବ୍ୟାରେଜର ୧୪ଟି ଗେଟ ଖୋଲାଯାଇଛି । ଏଥିରେ ସୁବର୍ଣ୍ଣରେଖା ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ସାଢ଼େ ୩ ଲକ୍ଷ ଘନଫୁଟ ପାଣି ଆସୁଛି । ତେଣୁ ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆସିପାରେ । ଏହି ନଦୀର ଜଳସ୍ତର ସନ୍ଧ୍ୟା ୭ଟାବେଳେ ରାଜଘାଟରେ ୬.୪୮ ମିଟର ଥିଲା । ଏଠାରେ ସତର୍କ ସଙ୍କେତ ୯.୪୫ ମିଟର ଓ ବିପଦ ସଙ୍କେତ ସ୍ତର ୧୦.୩୬ ମି । ଜାମଶୋଳା ଘାଟରେ ସୁବର୍ଣ୍ଣରେଖା ଫୁଲି ସତର୍କ ସଙ୍କେତ ପାଖରେ ପହଞ୍ଚିଯାଇଛି । ସତର୍କ ସଙ୍କେତ ସ୍ତର ୪୮.୭୩ ଓ ବିପଦ ସଙ୍କେତ ୪୯.୧୫ ମିଟର ହୋଇଥିବାବେଳେ ସନ୍ଧ୍ୟା ୭ଟାବେଳେ ଜଳସ୍ତର ୪୮.୭୨ ମିଟରରେ ପ୍ରବାହିତ ହେଉଥିଲା । ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଦୁଇଦିନ ଭିତରେ ବାଲେଶ୍ୱରକୁ ସୁବର୍ଣ୍ଣରେଖାର ବଢ଼ି ପାଣି ମାଡ଼ି ଆସିବା ଡର ଘାରିଛି । ଏପଟେ ଜଳକା ବିପଦ ସଙ୍କେତଠାରୁ ପ୍ରାୟ ଦେଢ଼ ମିଟର ଉପରେ ଚାଲିଛି । ଲଗାଣ ବର୍ଷାରେ ବ୍ୟାପକ ଚାଷ କ୍ଷତିଗ୍ରସ୍ତ ହୋଇଛି ।
ଲଗାଣ ବର୍ଷା ଯୋଗୁ ମୟୂରଭଞ୍ଜରେ ବ୍ୟାପକ କ୍ଷତି ହୋଇଛି । ବାରିପଦା ସହରର ୪୦୦ ରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ବିଶୋଇ ଲୁହାକାନୀ ପଞ୍ଚାୟତ ଭୋଳବେଡ଼ାରେ କାନ୍ଥ ପଡ଼ି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ ହୋଇଛି । ଚିତ୍ରଡ଼ା ରଜାବନ୍ଧରେ ୨ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମୋରଡ଼ା ବ୍ଲକର ୨୦ ଟି ପଞ୍ଚାୟତରେ ୫୦ରୁ ଅଧିକ ଘର ଭାଙ୍ଗିଛି । କରଞ୍ଜିଆ-ଖିଚିଂ ରାସ୍ତା ଉପରେ ଗଛ ପଡ଼ିଯିବାରୁ କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଥିଲା । ଜମ୍ଭିରା ନଦୀ ଫୁଲୁଥିବାବେଳେ ବିପଦ ସଙ୍କେତ ତଳେ ରହିଛି । ବିଜାତଳା ବ୍ଲକର ପାଟପୁର-ସରଗଡ଼ା ରାସ୍ତା ବିଚ୍ଛିନ୍ନ ହୋଇଛି ।
ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତର ଟିକରପଡ଼ା ଗାଁରେ ଘର କାନ୍ଥ ପଡ଼ି ଦୂତିକା ବେହେରାଙ୍କ(୬୫) ନାମକ ମହିଳାଙ୍କ ମୃତ୍ୟୁ ହୋଇଛି । ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ହିରାପଶି ଗ୍ରାମ ଓ ଚେମଣା ପଞ୍ଚାୟତ ବାରଡାଙ୍ଗୁଆ ଗ୍ରାମରେ ଦୁଇଟି ଘର ଭୁଶୁଡ଼ି ପଡ଼ିଛି । ହରିଚନ୍ଦନପୁର ବ୍ଲକ ଶଗଡ଼ପଟା ପଞ୍ଚାୟତ ଜାଉରିଆ ନାଳ ଓ ସାନକାଣିଝରୀ ପୋଲରେ ପାଣି ବଢୁଥିବାରୁ ପ୍ରାୟ ୮ଟି ଗାଁ ବିଚ୍ଛିନ୍ନ ହୋଇଯାଇଛି । ଆନନ୍ଦପୁରରେ ବୈତରଣୀ ସନ୍ଧ୍ୟା ସୁଦ୍ଧା ସତର୍କ ସଙ୍କେତ (୩୭.୪୫ ମିଟର) ପାର୍ କରିଛି । ଏହା କ୍ରମଶଃ ବିପଦ ସଙ୍କେତ ଆଡ଼କୁ (୩୮.୩୬ ମିଟର) ମୁହାଁଇଛି । ବୈତରଣୀ ଜଳସ୍ତର ସନ୍ଧ୍ୟା ୭ଟା ସୁଦ୍ଧା ୩୮.୧୦ ମିଟରରେ ପହଞ୍ଚିଛି । ସେହିପରି ଆଖୁଆପଦାରେ ବୈତରଣୀ ଫୁଲୁଥିବାବେଳେ ସତର୍କ ସଙ୍କେତ ଆଡ଼କୁ ମୁହାଁଇଛି । ଲଗାଣ ବର୍ଷାରେ ଜିଲ୍ଲାର ବାୟାପଣ୍ଡାଦାର-ବକ୍ସିବାରିଗାଁ ଭାୟା ଗୋନାସିକା ରାସ୍ତାରେ ପାହାଡ଼ ଉପରୁ ବଡ଼ ପଥର ଖସୁଛି । ଗୋନାସିକା ଭଳି ଜୁଡିଆ ଘାଟିରୁ ମଧ୍ୟ ପଥର ଖସି ଯାତାୟାତ ବାଧାପ୍ରାପ୍ତ ହୋଇଛି । ସାହାରାପଡ଼ା-ଠାକୁରମୁଣ୍ଡା ରାସ୍ତା ବିଚ୍ଛିନ୍ନ ହୋଇଛି ।