ମୋ ‘ବାପା’
କେତେ ସହଜ ଥିଲା ସେଦିନର ଜୀବନର ମିଶାଣ ଫେଡ଼ାଣ । କେତେ ସହଜ ଥିଲା ସେ ଅଙ୍କକସା । କିନ୍ତୁ ଆଜି ବହୁତ କଷ୍ଟ ଲାଗୁଛି ଜୀବନର ଗଣିତ । ସବୁଦିନେ କିଛିକିଛି ହିସାବ କରୁଛି । ମାତ୍ର ଜୀବନ ରୂପକ ହିସାବ ସରୁନାହିଁ । ଫାଟି ଯାଇଥିଲା ମୋ କାଠ ସ୍ଲେଟ୍ର ପଟାଟିଏ ଓ ଫାଟି ଯାଉଥିଲା ମୋ ପିଠି । ହେଲେ ମୁଁ ଜାଣିଥିଲି, ରାତ୍ରିରେ ମୋ ପାଖକୁ ତୁମେ ଆସିବ ଓ ମୋ ଫଟା ପିଠିର ଜାଗାରେ ହାତମାରି ମୋ ଅଜାଣତରେ ଦୁଇଠୋପା ଲୁହ ଗଡ଼ାଇବ । ସତରେ ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ମୋ “ବାପା” । ପୃଥିବୀରେ ଯଦି ନିଜର କେହି ଥାଆନ୍ତି, ସେ ହେଉଛନ୍ତି ବାପା । ଏହି ବାପା ଦୁଇଟି ଅକ୍ଷର ହେଲେ ମଧ୍ୟ ରାଶି ରାଶି ସ୍ନେହ ଶ୍ରଦ୍ଧାରେ ଗଠିତ । ‘ବାପା’ ବା-ବାୟୁ, ପା-ପାଣି । ବାୟୁ ଓ ପାଣିର ମିଶ୍ରଣ ଯାହା ବାପା ହେଉଛନ୍ତି ସେହି ବ୍ୟକ୍ତି । ଯିଏ ସନ୍ତାନର ମୁହଁକୁ ଦେଖି ପଢ଼ିପାରନ୍ତି ବିଶାଦର ଶ୍ୱେତପତ୍ର, ଭୋକର ଭୂଗୋଳ ଓ ଯନ୍ତ୍ରଣାର ମାନଚିତ୍ର । ସେ ହେଉଛନ୍ତି ମୋ ‘ବାପା’ । ଜୀବନର ପ୍ରଥମ ଗୁରୁ ‘ମା’ ହେଲେ, ଦ୍ୱିତୀୟ ଗୁରୁ ମୋ ‘ବାପା’ । ଜୀବନରେ ଦେଇ ଦେଇ ଯିଏ କାଙ୍ଗାଳ ହୋଇଥାଏ ଓ ଦେବାରେ ଯିଏ ଭଲପାଏ ଆଉ ପାଇବାର ଆଶା ନଥାଏ ସେ ହେଉଛନ୍ତି ମୋ ‘ବାପା’ । ଜୀବନ ନିର୍ମାଣ ପାଇଁ ସଂସ୍କାରର ଆବଶ୍ୟକତା ଥାଏ । ଯଦି ଆମ ଭିତରେ ସଂସ୍କାର ଅଛି ଓ ସଂସ୍କାରର ପୂର୍ଣ୍ଣ ଜୀବନ ପାଇଛୁ, ସେ ହେଉଛନ୍ତି ମୋ ‘ବାପା’ । ସଂସ୍କାରର ସଂସ୍କୃତିର ପ୍ରତୀକ କିନ୍ତୁ ଏହି ସଂସ୍କାର ଆମେ ‘ବାପା’ ପାଖରୁ ଶିଖିଥାଉ । ସେହି ‘ବାପା’ ମୋତେ ଦୁନିଆକୁ ଆଣିଲେ ଓ ମୋତେ ଦୁନିଆର ପରିଚୟ ଦେଲେ, ମୋ ହାତ ବାପାଙ୍କ ହାତରେ ଛନ୍ଦିଥିଲେ ମୁଁ କେବେ ବାଟ ଭୁଲେନା । ମୋ ‘ବାପା’ ହେଉଛନ୍ତି ମୋ ଠିକଣା ଓ ମୋ ପରିଚୟ । ‘ବାପା’ ଆମର ଭଗବାନ, ‘ବାପ’ ଆମର ରାମାୟଣ ଓ ଗୀତା । ‘ବାପା’ଙ୍କ ସେବାରେ ସ୍ୱର୍ଗପ୍ରା ପ୍ତି ଅଛି, ‘ବାପା’ ଆମର ଗଛଛାଇ, ସେ ଆମର ଭାଗ୍ୟରେଖା, ଛାତିରେ ଛାତିଏ କୋହକୁ ଜାବୁଡ଼ି, ଆଖିରେ ଆଖିଏ ଲୁହକୁ ଛାତିରେ ସାଇତି ସେ ସୁଖ ଦେଇଥାନ୍ତି । ନିଜ ଲୁହ ନିଜେ ପିଇ ଛଳନାର ହସ ମୁହଁରେ ଭରି ସେ ଆମକୁ ହସାନ୍ତି । ଜୀବନରେ ସମସ୍ତଙ୍କ ଭଲପାଇବା ଫିକା ପଡ଼ିଯାଏ, ହେଲେ ବାପାଙ୍କ ଭଲପାଇବାରେ ସତ୍ୟ, ଶିବ, ସୁନ୍ଦରର ସନ୍ଧାନ ଥାଏ । ବାପାର ହାତ ଧରିଥିବା ପୁଅଟିଏ ଦୁନିଆର ବଡ଼ଦାଣ୍ଡରେ କେବେ ବାଟବଣା ହୋଇ ନଥାଏ । ବାପାଙ୍କର ଛାତି ହିମାଳୟ ପରି ହେଲାବେଳେ, ହୃଦୟ ହେଉଛି ବସୁଧା ମାଟି ଓ ଓଠରେ ସବୁବେଳେ ଆକଟ, ଆଖି ଥିବାବେଳେ ହୃଦୟରେ ସ୍ନେହପ୍ରୀତି ଲୁଚିକରି ଥାଏ । ଜୀବନରେ କେବେ ଦେବତାଙ୍କୁ ଦେଖି ନଥିଲେ ବି ବାପା ଆମର କୁଳଦେବତା । ଯାହାର ତୁଳନା କରିହୁଏ ନାହିଁ । ସଂସାରରୁ ପାଇବାର ଆଶା କିଛି ନଥିବା ବେଳେ ସେ ଲୁହ ନେଇଯାଆନ୍ତି । ସେ ଆମାପାଇଁ ଅନେକ ଦୁଃଖ ସହି ସହି କେବେ ଥକି ପଡ଼ନ୍ତି ନାହିଁ । ବାପା ଯେଉଁଠି ଥାଆନ୍ତି ସେହି ପରିବାରଟି ଆମାପାଇଁ ବୈକୁଣ୍ଠ ସଦୃଶ । ବାପାଙ୍କ ହୃଦୟ ଆକାଶଠାରୁ ବଡ଼ ଓ ସମୁଦ୍ରଠାରୁ ବିସ୍ତାରିତ ।
ଘର ଯଦି ମନ୍ଦିର ହୋଇଥାଏ, ବାପା ହେଉଛନ୍ତି ଦେବତା । ବେଳେବେଳେ ମନରେ ପ୍ରଶ୍ନ ଆସ ‘ବାପା’ ଚପଲ ପିନ୍ଧୁ ନଥିବା ପାଦ ତୁମର କେମିତି ସହେ ଏତେ କଷ୍ଟ । ଚଷମା ପିନ୍ଧୁ ନଥିବା ଆଖି ତୁମର କେମିତି ଲୁଚେଇପାରେ ଅସରା ଅସରା ଲୁହ । ବାପା ତୁମେ ମାଟି ସହ ମାଟି ହେଲାବେଳେ ତୁମେ ଲାଗୁଥାଅ ସାକ୍ଷାତ୍ ଈଶ୍ୱର । ଝଡ଼, ବରଷାରେ ତୁମ ମୁଣ୍ଡରେ ଛତା, ଅନ୍ଧାର ରାତିରେ ତୁମେ ମୋତେ ଦେଖାଅ ଆଲୁଅ ରାସ୍ତା, ବଢ଼ିଲା ନଈରେ ତୁମେ ଅଶାର ନାଆ, ବୈଶାଖ ଖରାରେ ତୁମେ କୁହୁଲା ବାଆ । ସଂସାରର ସୁଖ ପାଇଁ ତୁମେ ଲୁହ ପିଇ ଲେଖିଦେଲ ଭାଗ୍ୟର ସରଳରେଖା । ଶୋଷ ହେଲେ ତୁମେ ଅଞ୍ଜୁଳା ଅଞ୍ଜୁଳା ଲୁହ ପିଉଥିବା ବେଳେ ଦୁଃଖରେ ତୁମେ ଭୋକକୁ ମେଂଟାଅ । ଆମର କାନ୍ଧରେ ବୋଝଟିଏ ଦେଖି ତୁମ କାନ୍ଦ ଭାରି କାଟେ । ଆଉ ଆମରି ସୁଖପାଇଁ ତୁମେ ଦୁଃଖ ସହି ହୃଦୟର ଦୀପ ଶିଖାଟିକୁ ଜାଳିଥାଅ । ଦୁନିଆରେ ହସ ଶିଖାଇ ତୁମେ ଆଜି କାନ୍ଦ । ଯାହାର ପାହାଡ଼ ଭଳି ସାହାସ ଓ ଈଶ୍ୱର ଭଳି ବିଶ୍ୱାସ ସେ ହେଉଛନ୍ତି ମୋ ‘ବାପା’ । ସେ ମୋ ଠିକଣା, ସେ ମୋ ଅଗଣା, ସେ ମୋ ଝୁଲଣା ଓ ସେ ମୋ ଜୀବନରେଖା । । ମାଟିରେ ଆଣ୍ଠେଇ ପିଠିରେ ବସାଇ, କାଖରେ କାଖେଇ କେତେ ଯେ ବାଇଚଢ଼େଇ ବସା ବୁଝାଇଛ ତା’ର କଳନା ନାହିଁ । ମଳୟ ପରି ସେ ମହକଟିଏ, ସେ ମୋ ନିଶ୍ୱାସ, ସେ ମୋର ପ୍ରଶ୍ୱାସ ଓ ସେ ମୋ ଜୀବନ ଆଲୋକ ସିଖା । ନିଜ ଲୁହ ପିଇ ମୋର ଓଠରେ ସେ ମୁଠାମୁଠା ହସ ଫୁଟେଇଛନ୍ତି, ମୋର କପାଳରେ ତୁମା ଦେଇ ମେଂଚାମେଂଚା ଦୁଃଖକୁ ମିଟାଇଛନ୍ତି, ସାଗର ପରି ତାଙ୍କ ହୃଦୟ ଅତୟ । ମୋ ଆଖି ସିଏ, ମୋ ସପନ ସିଏ, ମୋର ହୃଦୟ ସିଏ, ମୋ ସ୍ପନ୍ଦନ ସିଏ, ସିଏ ମୋ ମଥାର ଟିକା । ଜୀବନରେ ବ୍ରହ୍ମ, ବିଷ୍ଣୁଙ୍କୁ ମୋତେ ଦେବତାର ପରିଚୟ ଦେଇଛନ୍ତି, ଛାତିଏ ଦୁଃଖକୁ ଛାତିରେ ଲୁଚାଇ ଯିଏ ଖୁସି ହୁଅନ୍ତି ଓ ଆଖିଏ ଲୁହକୁ ପଲକେ ଘୋଡ଼ାଇ ଯିଏ ହସି ପାରନ୍ତି ସେ ହେଉଛନ୍ତି ମୋ ‘ବାପା’ । କଂଟକିତ ବାଟରେ ନିଜେ ଚାଲି ପିଲାର ସୁଖ କାମନା କରି ରାତିରାତି ନ ଶୋଇ ସେବା କରୁଥିବା ମଣିଷଟି ମୋ ‘ବାପା’ । ଦୁନିଆରେ ବାପାମାନେ ସତରେ କେବେ କହନ୍ତି ନାହିଁ । ମୋ ଜିତିବାଠାରୁ ବାପାଙ୍କର ହାରିବା ଥିଲା ତାଙ୍କ ପାଇଁ ସବୁଠୁ ଖୁସି ।
ମାତ୍ର ଆଧୁନିକ ସମାଜରେ ବାପଟିଏ ଆଜି ଅସହାୟ । ଆଜି ବାପା ଅଲୋଡ଼ା । ଯିଏ ଉପାସ ରହି ଆମକୁ ଖାଇବାକୁ ଦେଉଥିଲା, ସେହି ବାପା ଆଜି ଖାଇବା ଗଣ୍ଡା ପାଇଁ ବୟସରୁ ଅପରାହ୍ନରେ ଭାଗଭାଗ ହୋଇଯାଇଛନ୍ତି । ଯେଉଁ ବାପା ଆମକୁ କଥା କହିବା ଶିଖେଇଥିଲେ, ତାଙ୍କ ସହ କଥା କହିବା ପାଇଁ ଆମ ପାଖରେ ସମୟ ନାହିଁ । ବାର୍ଦ୍ଧକ୍ୟ ବୟସର ଝୁଂଟି ପଡ଼ୁଥିଲା ବେଳେ ତାଙ୍କ ହାତ ଧରିବାପାଇଁ କେବଳ ବୃଦ୍ଧାଶ୍ରମ ହିଁ ସାହାରା । ଯିଏ ଆମର ଜୀବନର ବୋଝକୁ ମୁଣ୍ଡେଇ ଚାଲୁଥିଲେ ସେ ଆମାପାଇଁ ବୋଝ ସଦୃଶ । ବାର୍ଦ୍ଧକ୍ୟରେ ସେ ସିନା ଘରେ ଅଛନ୍ତି , ହେଲେ ତାଙ୍କୁ ପୋଡ଼ିଶାଘରେ ରହିବା ଭଳି ଲାଗୁଛି । ଆଜି ଦୁନିଆରେ ବାପା ଅସହାୟ ଓ ନିସହାୟ ପ୍ରକାଶ କରୁଛି । ମୁଁ ଯେଉଁଠି ଯାଇଥିଲେ ବି ସେ ମୋ ଫେରିବା ବାଟକୁ ଚାହିଁଥାନ୍ତି । ହେଲେ ମୁଁ ଆଜି ତାଙ୍କ ସ୍ୱର୍ଗ ରୂପକ ବାଟକୁ ଚାହୁଁଛି । ସତରେ ବୋଝ ପରି ବାପା ଚାଲିଗଲା ପରେ ମୁଁ ମୋର ପିତୃତ୍ୱର ସନ୍ଧାନ ଖୋଜୁଛି ଓ ମୋର ସ୍ଥାନ କେଉଁଠି ଆଜି କେବଳ ମୋ ପାଇଁ ନୁହେଁ ସାରା ପିତୃତ୍ୱ ପାଇଁ ଚିନ୍ତାର ବିଷୟ ହୋଇଛି ।
ସହକାରୀ ଶିକ୍ଷକ, ଚିନ୍ତାମଣି ହାଇସ୍କୁଲ, ଦହପଡ଼ା, ବାଲେଶ୍ୱର- ମୋ :୭୯୭୮୩୭୮୧୯୯