ପୋଲିସ-ଅପରାଧୀ ମୁହାଁମୁହିଁ : ଦୁର୍ଦ୍ଦାନ୍ତ ଅପରାଧୀ ମୃତ, ପୋଲିସ ଅଧିକାରୀ ଆହତ
ବାହାନଗା : ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ବରିପଦା ପଂଚାୟତ କଙ୍କଡା ଛକ ନିକଟରେ ପୋଲିସ-ଅପରାଧୀ ମୁହାଁମୁହିଁ ହୋଇଥିଲେ । ପୋଲିସ ଏନକାଉଣ୍ଟରରେ ଜଣେ ଅପରାଧୀର ମୃତ୍ୟୁ ହୋଇଥିବା ବେଳେ ଅପରାଧୀଙ୍କ ଆକ୍ରମଣରେ ଜଣେ ପୋଲିସ ଅଧିକାରୀଆହତ ହୋଇଛନ୍ତି। ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ରୁଣ୍ଡୁ @ ଲକ୍ଷ୍ମୀଧର ମଳିକ (୩୦) ବୋଲି ଜଣାପଡ଼ିଛି।
ସୂଚନା ଯେ, ବୁଧବାର ମଧ୍ୟାହ୍ନରେ ରୁଣ୍ଡୁ ଓ ତାର ୫ ଜଣ ସହଯୋଗୀ ସ୍ଥାନୀୟ ଅଞ୍ଚଳରେ ୪ଟି ସ୍ଥାନରେ ଛୀନତାଇ କରି ଫେରାର ହେବାକୁ ଚେଷ୍ଟା କରିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଘେରିବାକୁ ପିଛା କରୁଥିବା ବେଳେ ଗୋପାଳପୁର ଫାଣ୍ଡି ଅଧିକାରୀ କ୍ରିଷ୍ଣା ପିଙ୍ଗୁଆ ଖବର ପାଇ ଏକ ଟିମ କରି ସେମାନଙ୍କୁ ଧରିବାକୁ ସମ୍ମୁଖ ରାସ୍ତାରୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ଛୀନତାଇ ଗୋଷ୍ଠି ୫ଜଣ ଥିବାବେଳେ ପୋଲିସକୁ ଦେଖି ଦୁଇ ଭାଗ ହୋଇ ଫେରାର ହୋଇଥିଲେ। ପୋଲିସ ସେମାନଙ୍କୁ ପିଛାକରି ବରିପଦା ପଂଚାୟତରେ କଙ୍କଡା ଛକ ନିକଟରେ ଦୁର୍ଦାନ୍ତ ଅପରାଧୀ ରୁଣ୍ଡୁ ମଳିକକୁ ଧରିବାକୁ ସକ୍ଷମ ହୋଇଥିଲା। ତେବେ ରୁଣ୍ଡୁ ହାତରେ ହ୍ୟାଣ୍ଡକପ ପକେଇବା ସମୟରେ ରୁଣ୍ଡୁ ଏକ ଲୁଚାଇ ରଖିଥିବା ଧାରୁଆ ମାରଣାସ୍ତ୍ର ସାହାଯ୍ୟରେ ଫାଣ୍ଡି ଅଧିକାରୀ କ୍ରିଷ୍ଣା ପିଙ୍ଗୁଆଙ୍କୁ ଆକ୍ରମଣ କରି ଖସି ଯିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଅପରାଧୀ ଗୋଷ୍ଠୀ ତରଫରୁ ପୋଲିସ ଉପରକୁ ଗୁଳି ଚାଳନା ହୋଇଥିଲା। ପାଲଟା ଆକ୍ରମଣ କରିବାକୁ ଯାଇ ଫାଣ୍ଡି ଅଧିକାରୀ ଶ୍ରୀ ପିଙ୍ଗୁଆ ରୁଣ୍ଡୁ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ପୋଲିସ ଗୁଳିରେ ରୁଣ୍ଡୁ ଟଳି ପଡିଥିଲା। ପୋଲିସ କର୍ମଚାରୀ ଗୁଳି ବିଦ୍ଧ ରୁଣ୍ଡୁକୁ ଚିକିତ୍ସା ପାଇଁ ସୋର ହସ୍ପିଟାଲକୁ ନେଇଥିବା ବେଳେ ଧାରୁଆ ମାରଣାସ୍ତ୍ରରେ ଆହତ ହୋଇଥିବା ପୋଲିସ ଅଧିକାରୀ ପିଙ୍ଗୁଆ ଖନ୍ତାପଡ଼ା ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ତେବେ ଗୁରୁତର ଆହତ ରୁଣ୍ଡୁକୁ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରକାଶ ଥାଉକି ରୁଣ୍ଡୁ ମଳିକ ନାମରେ ଖନ୍ତାପଡ଼ା ଥାନା ସହିତ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି। ପୋଲିସ ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଏନକାଉଣ୍ଟର ପରେ ଗୋପାଳପୁର ଫାଣ୍ଡିରେ ଏକ ପ୍ଲାଟୁନ ପୋଲିସ ମୁତୟନ ରହିଛି। ସଦର ଡ଼ିଏସପି ଅମୁଲ୍ୟ ଧର, ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଆଇଆଇସି ବିମଳ କୁମାର ନାୟକ, ଏସଆଇ ରତିକାନ୍ତ ଦାସ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି।