କୁଲଡ଼ିହାରେ ଅସୁରକ୍ଷିତ ହାତୀ : ପୁଣି ଏକ ଛୁଆ ଦନ୍ତାର ମୃତ୍ୟୁ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟ ଏବେ ହାତୀଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି । ଚଳିତବର୍ଷ ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ମୋଟ୍ ୪ଟି ହାତୀର ମୃତ୍ୟୁ ହେଲାଣି । ଗତ ୧୮ତାରିଖରେ କୁଲଡ଼ିହା ଅଭୟାରଣ୍ୟର ଏକ ଦନ୍ତା ହାତୀ ନୀଳଗିରି ବନବିଭାଗ ଅଧିନ ବାରାଗଡ଼ିଆ ଗ୍ରାମରେ ମୃତ୍ୟୁ ହୋଇଥିବା ବେଳେ ମାତ୍ର ୧୦ ଦିନ ନହେଉଣୁ ପୁଣି ଏକ ହାତୀର ମୃତ୍ୟୁ ହୋଇଛି । ସେହିପରି କ୍ରମାଗତ ଭାବେ କୁଲଡ଼ିହା ଅଭୟାରଣ୍ୟରେ ଏକ ବର୍ଷ ମଧ୍ୟରେ ଆଜକୁ ଲଗାଇ ୪ଟି ହାତୀର ମୃତ୍ୟୁ ଘଟଣା ବନାଞ୍ଚଳବାସୀଙ୍କୁ ବ୍ୟଥିତ କରିବା ସହ ବନବିଭାଗର ଅପାରଗତା ଯୋଗୁଁ ହାତୀ ବଂଶ ବିପଦରେ ଥିବାର ସମାଲୋଚନା ହୋଇଛି । ହାତୀ ମତ୍ୟୁ ପରେ ବନବିଭାଗର ନିଦ ହଜିଯାଇଛି ।
ସୂଚନା ଯେ, କୁଲଡିହା ଅଭୟାରଣ୍ୟର ଚେମଚଟା ବିଟ ହାଉସ ଅଧୀନ ଚେମଚଟା ଜଙ୍ଗଲରେ ଅଭୟାରଣ୍ୟ କର୍ମଚାରୀ ବୁଧବାର ପୂର୍ବାହ୍ନରେ କାର୍ଯ୍ୟରତ ସମୟରେ ପ୍ରାୟ ୩ ବର୍ଷର ଛୁଆ ହାତୀ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ । ପରେ ମୃତ ହାତୀ ସମ୍ପର୍କରେ କୁଲଡିହା ରେଞ୍ଜର ଅନନ୍ତ କୁମାର ଜେନାଙ୍କୁ ଖବର ଦେଇଥିଲେ । ଶ୍ରୀ ଜେନା ଏ ବିଷୟରେ ବାଲେଶ୍ୱର ବନଖଣ୍ଡ ଅଧିକାରୀ (ଡିଏଫଓ) ଆୟୁଷ ଜୈନଙ୍କୁ ଜଣାଇଥିଲେ । ଡିଏଫ୍ଓ ଶ୍ରୀ ଜୈନ, ନୀଳଗିରି ରେଞ୍ଜର ଶ୍ରୀ ଜେନା ଓ ଫରେଷ୍ଟର ପ୍ରାଣୀ ଚିକିତ୍ସକ ଘଟଣା ସ୍ଥଳରେ ପହଞ୍ôଚ ହାତୀ ମୃତ୍ୟୁର ପ୍ରାଥମିକ ତଦନ୍ତ ସହ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଏହି ହାତୀ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ବନ ବିଭାଗ ଉକ୍ତ ଛୁଆ ହାତୀଟି ୪ରୁ ୫ ଦିନ ପୂର୍ବରୁ ମରିଥିବା ଓ ଦନ୍ତା ହାତୀ ଆକ୍ରମଣରେ ମରିଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ରହସ୍ୟ ଉନ୍ମୋଚିତ ହେବ । ଶବ ବ୍ୟବଛେଦ ପରେ ଘଟଣା ସ୍ଥଳରେ ଛୁଆ ହାତିଟୀଟିକୁ ପୋତି ଦିଆଯାଇଥିଲା ।