ଭୁଶୁଡ଼ିଲା ବାରଣ୍ଡା କଂକ୍ରିଟ୍ ଛାତ; ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର
![](https://thetruths.in/wp-content/uploads/2022/07/Collapsed-porch-concrete-roof-1024x579.jpg)
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁମ୍ଭୀରଗଡ଼ି ପଞ୍ଚାୟତ ଅଡ଼ଙ୍ଗପନ୍ତେଇ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ୧୨୫ଜଣ ଛାତ୍ରୀଛାତ୍ର ପଢୁଥିବା ବେଳେ ବାରଣ୍ଡା କଂକ୍ରିଟ୍ ଛାତ ହଠାତ୍ ଭୁଶୁଡ଼ିବାରୁ ଆତଙ୍କର ବାତାବରଣ ଖେଳିଥିଲା । ଛାତ୍ରୀଛାତ୍ର, ଶିକ୍ଷିକାଶିକ୍ଷକ ଶବ୍ଦ ଶୁଣି ଶ୍ରେଣୀଗୃହରୁ ତୁରନ୍ତ ବାହାରକୁ ବାହାରି ଆସିଥିଲେ ।
ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟ ବହୁ ପୁରାତନ ଓ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ହୋଇଥିବାରୁ ବିଦ୍ୟାଳୟଟି ଭଗ୍ନବସ୍ଥା ଓ ବିପଦଶଙ୍କୁଳ ଭାବେ ରହିଛି । ନିକଟସ୍ଥ ବାଉଁଶଖଣା ପ୍ରାଥମିକ ବିଦ୍ୟାଳୟ ସରକାର ବନ୍ଦ କରିଦେଇଥିବା ବେଳେ ଏହି ସ୍କୁଲର ଛାତ୍ରୀଛାତ୍ର ଅଡ଼ଙ୍ଗ ପନ୍ତେଇ ପ୍ରାଥମିକ ସ୍କୁଲରେ ପଢୁଛନ୍ତି । ବିଦ୍ୟାଳୟଟି ବିପଦ ଶଙ୍କୁଳ ଥିବାରୁ ବାରମ୍ବାର ସ୍କୁଲ ଶିକ୍ଷିକାଶିକ୍ଷକ, ପରିଚାଳନା କମିଟି ନୂତନ ଗୃହ ନିର୍ମାଣ କରାଯିବାକୁ ଦାବି କରିଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକାରୀ କରାଯାଇ ନଥିବାର ଅଭିଯୋଗ ହୋଇଛି । ଏହି ଘଟଣାରେ ଭୋଗରାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିହିର କୁମାର ପ୍ରଧାନ ବିଡିଓ ଏବଂ ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇଥିବାର ସେ କହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ନୂତନ ସ୍କୁଲ ଗୃହ ନିର୍ମାଣ କରାଯିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।