ବୃଦ୍ଧାବସ୍ଥାରେ ପାର୍କିନସନ୍ସ ରୋଗ ବିରୋଧରେ କିପରି କରିବେ ମୁକାବାଲା, ଜାଣନ୍ତୁ ଲକ୍ଷଣ
ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ସଂଖ୍ୟାରେ ପାର୍କିନସନ୍ସ ରୋଗ (Parkinsons disease)ରେ ପୀଡ଼ିତ ହୋଇଥାନ୍ତି । ଅନୁସନ୍ଧାନ ରିପୋର୍ଟ ଅନୁସାରେ ବୃଦ୍ଧାବସ୍ଥାରେ ହେଉଥିବା ଏହି ରୋଗ ପାଇଁ ଜିନ ଅଧିକ ଦାୟୀ । ସାଧାରଣତଃ ପାର୍କିନସନ୍ସ ରୋଗ ହେଉଛି ଏକ ମସ୍ତିଷ୍କ ବ୍ୟାଧି । ଏହା ଶରୀରରେ ଅବାଞ୍ଛିତ କିମ୍ବା ଅନିୟନ୍ତ୍ରିତ ଗତିବିଧି ପରି ଲକ୍ଷଣ ସୃଷ୍ଟି କରେ, ଯେପରିକି ମାଂସପେଶୀରେ ଶିଥିଳତା, ସ୍ୱାସ୍ଥ୍ୟ ଅସନ୍ତୁଳନ । ପାର୍କିନସନ୍ସ ରୋଗ ବୟସ ବୃଦ୍ଧି ପରେ କାହାକୁ ବି ହୋଇପାରେ । ଏବେବି ପାର୍କିନସନ୍ସ ରୋଗର କାରଣକୁ ନେଇ ଗବେଷଣା ଜାରି ରହିଛି ।
ପରିସଂଖ୍ୟାନ ଅନୁଯାୟୀ ଏହି ରୋଗ ପ୍ରାୟତଃ ୬୦ରୁ ଅଧିକ ବୟସର ବ୍ୟକ୍ତିଙ୍କଠାରେ ଦେଖାଯାଇଥାଏ। କିନ୍ତୁ ପ୍ରାୟ ୫% ରୁ ୧୦% ବ୍ୟକ୍ତି ୫୦ ବର୍ଷ ପୂର୍ବରୁ ମଧ୍ୟ ଏହା ରୋଗରେ ପୀଡ଼ିତ ହୋଇଥାନ୍ତି ।
ୟୁରୋପୀୟନ ଏକାଡେମୀ ଅଫ୍ ନ୍ୟୁରୋଲୋଜି (EAN) କଂଗ୍ରେସ ଦ୍ୱାରା ହୋଇଥିବା ଗବେଷଣା ରିପୋର୍ଟ ଅନୁସାରେ ପାର୍କିନସନ୍ସ ରୋଗରେ ପୀଡ଼ିତ ହେବା ପରେ ବି ଜଣେ ବ୍ୟକ୍ତି ଅନେତ ବର୍ଷ ବଞ୍ଚି ରହନ୍ତି । ଏହା ଜେନେଟିକାଲ୍ ଜିନ୍ ଉପରେ ନିର୍ଭର କରେ । ସୋରବୋନ୍ ୟୁନିଭରସିଟିର ପ୍ୟାରିସ୍ ବ୍ରେନ୍ ଇନଷ୍ଟିଚ୍ୟୁଟ୍ ସମେତ ପ୍ୟାରିସର ଅନ୍ୟ ଚାରିଟି ଅନୁଷ୍ଠାନର ବୈଜ୍ଞାନିକମାନେ ୨,୦୩୭ ପାର୍କିନସନ୍ସ ରୋଗୀଙ୍କ ଉପରେ ବିଭିନ୍ନ ପରୀକ୍ଷା କରିଥିଲେ । ଏହି ରୋଗର ବିସ୍ତାର ଜେନେଟିକାଲ ଭାରିଏଣ୍ଟ ଉପରେ ନିର୍ଭର କରିଥାଏ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଥିଲେ ।
ଗବେଷଣା ରିପୋର୍ଟ ଅନୁସାରେ ଯେଉଁ ରୋଗୀଙ୍କଠାରେ LRRK2 କିମ୍ବା PRKN ଜିନ୍ ମ୍ୟୁଟେସନ୍ ଥିଲା, ସେମାନେ ଦୀର୍ଘଦିନ ଯାଏ ରୋଗରେ ପୀଡ଼ିତ ହୋଇଥିଲେ ବି ବଞ୍ଚିଥାଆନ୍ତି । ସେମାନଙ୍କ କ୍ଷେତ୍ରରେ ଅଳ୍ପ ଦିନ ବ୍ୟବଧାନରେ ମୃତ୍ୟୁ ହାର ମାତ୍ର 0.5 ଏବଂ 0.42 । ସେପଟେ ଯେଉଁ ରୋଗୀଙ୍କଠାରେ SNCA କିମ୍ବା GBA ମ୍ୟୁଟେସନ ରହିଥିଲା, ସେମାନଙ୍କ କ୍ଷେତ୍ରରେ ମୃତ୍ୟୁ ହାର ଅଧିକ ଥିଲା ।
ପାର୍କିନସନ୍ସ ରୋଗର କାରଣ କ’ଣ?
ପାର୍କିନସନ୍ସ ରୋଗର ଲକ୍ଷଣ ସେତେବେଳେ ଦେଖାଯାଏ, ଯେତେବେଳେ ବେସାଲ୍ ଗ୍ୟାଙ୍ଗଲିଆ (basal ganglia)ର ସ୍ନାୟୁ କୋଷଗୁଡ଼ିକ(nervous system) କାମ ବନ୍ଦ କରିଦିଏ । ଏହି ସ୍ନାୟୁ କୋଷ ବା ନ୍ୟୁରନ୍ସ, ଡୋପାମାଇନ୍ ନାମକ ଏକ ଗୁରୁତ୍ୱପୂର୍ଣ୍ଣ ମସ୍ତିଷ୍କ ରାସାୟନିକ ପଦାର୍ଥ ସୃଷ୍ଟି କରେ । ଯେତେବେଳେ ନ୍ୟୁରନ୍ସ ଦୁର୍ବଳ ହୋଇଯାଆନ୍ତି, ସେତେବେଳେ କମ୍ ଡୋପାମାଇନ୍ ଉତ୍ପାଦନ କରନ୍ତି, ଯାହା ଶରୀରର ଗତିବିଧିରେ ସମସ୍ୟା ସୃଷ୍ଟି କରିଥାଏ । ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ନ୍ୟୁରନ୍ସ ଗୁଡ଼ିକର ମୃତ୍ୟୁର କାରଣ ସ୍ପଷ୍ଟ କରିପାରିନାହାଁନ୍ତି ।
ପୀଡିତ ଶରୀରରେ ନୋରପାଇନ୍ଫ୍ରିନ୍ ଉତ୍ପାଦନ ହୋଇନଥାଏ, ଯାହା ନର୍ସ ସିଷ୍ଟମରେ କେମିକାଲ ମେସେଞ୍ଜର ପରି କାର୍ଯ୍ଯ କରିଥାଏ । ଏହାଦ୍ୱାରା ଶରୀରର ଅନେକ କାର୍ଯ୍ୟକୁ ନିୟନ୍ତ୍ରଣ କରାଯାଏ, ଯେପରିକି ହୃଦସ୍ପନ୍ଦନ ଏବଂ ରକ୍ତଚାପ । ନୋରପାଇନ୍ଫ୍ରିନ୍ ର ଅଭାବ ଥକାପଣ, ଅନିୟମିତ ରକ୍ତଚାପ, ଖରାପ ହଜମ ପ୍ରକ୍ରିୟା ଏବଂ ଉଠିବା -ବସିବା ସମୟରେ ହଠାତ୍ ରକ୍ତଚାପ ହ୍ରାସ ପରି ସମସ୍ୟା ହୋଇଥାଏ ।
ପାର୍କିନସନ୍ସ ରୋଗୀଙ୍କ ଅନେକ ମସ୍ତିଷ୍କ କୋଷିକାରେ ଅସ୍ୱାଭାବିକ କ୍ଲଷ୍ଟର, ପ୍ରୋଟିନ୍ ଆଲଫା-ନ୍ୟୁକ୍ଲିନର କ୍ଲଷ୍ଟର୍ସ ରହିଥାଏ । ବୈଜ୍ଞାନିକମାନେ ଆଲଫା-ସିନୁକ୍ଲିନ୍ ର ସାଧାରଣ ଏବଂ ଅସ୍ୱାଭାବିକ କାର୍ଯ୍ୟକୁ ଭଲ ଭାବରେ ବୁଝିବାକୁ ଚେଷ୍ଟା କରୁଛନ୍ତି ।
ଜାଣନ୍ତୁ ପାର୍କିନସନ୍ସ ରୋଗରୃ ଲକ୍ଷଣ :
ଏକ ନିର୍ଦ୍ଦିଷ୍ଟ ଗତିରେ ବାହୁ, ହାତ, ଗୋଡ, ଜଙ୍ଘ କିମ୍ବା ମୁଣ୍ଡରେ କ୍ରମାଗତ କମ୍ପନ
ମାଂସପେଶୀ ଶିଥିଳତା, ମାଂସପେଶୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଟାଣି ଧରିଥାଏ
ମୁଣ୍ଡ ବୁଲାଇବା ଯୋଗୁ ବାରମ୍ବାର ପଡ଼ିଯିବା ପରି ସମସ୍ୟା
ଉଦାସୀନତା ଏବଂ ଅନ୍ୟାନ୍ୟ ଭାବନାତ୍ମକ ପରିବର୍ତ୍ତନ
ଖାଇବା ଓ କଥା କହିବାରେ ସମସ୍ୟା
ମୂତ୍ର ସମସ୍ୟା ଓ କୋଷ୍ଠକାଠିନ୍ୟ ସମସ୍ୟା
ତ୍ୱଚା ଜନିତ ସମସ୍ୟା
ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ଏତେ ମୃଦୁ ଯେ ଏହାକୁ ହଠାତ ଚିହ୍ନଟ କରିବା ସହଜସାଧ୍ୟ ନୁହେଁ । ଉଦାହରଣ ସ୍ୱରୂପ, ଲୋକେ ସାମାନ୍ୟ କମ୍ପନ ଅନୁଭବ କରିପାରନ୍ତି କିମ୍ବା ଚେୟାରରୁ ଉଠିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ରୋଗୀମାନେ ବହୁତ ଧୀରେଧୀରେ କଥାବାର୍ତ୍ତା କରନ୍ତି । ପାର୍କିନସନ୍ସର ପ୍ରାରମ୍ଭିକ ଲକ୍ଷଣକୁ ବନ୍ଧୁ କିମ୍ବା ପରିବାର ସଦସ୍ୟମାନେ ପ୍ରଥମେ ଲକ୍ଷ୍ୟ କରନ୍ତି । ସେମାନେ ଲକ୍ଷ୍ୟ କରି ପାରନ୍ତି ଯେ ବ୍ୟକ୍ତିଙ୍କ ମୁହଁରେ ଅଭିବ୍ୟକ୍ତିର ଅଭାବ ଥାଏ । ଏହି ରୋଗର ଲକ୍ଷଣ ପ୍ରାୟତ ଶରୀରର ଗୋଟିଏ ପାର୍ଶ୍ୱରେ କିମ୍ବା ଶରୀରର ଗୋଟିଏ ଅଂଶରେ ଆରମ୍ଭ ହୋଇଥାଏ।
ପାର୍କିନସନ୍ସ ରୋଗ କିପରି ନିର୍ଣ୍ଣୟ କରାଯାଇପାରିବ?
ବର୍ତ୍ତମାନ ସୁଦ୍ଧା ପାର୍କିନସନ୍ସ ଅଣ-ଜେନେଟିକ୍ ରୋଗର ନିରାକରଣ ପାଇଁ କୌଣସି ଚିକିତ୍ସା ନାହିଁ। ଡାକ୍ତର ସାଧାରଣତ ବ୍ୟକ୍ତିଙ୍କ ଚିକିତ୍ସା ଇତିହାସ ଏବଂ ସ୍ନାୟୁବିଜ୍ଞାନ ପରୀକ୍ଷା କରି ରୋଗର ନିରାକରଣ କରନ୍ତି।
ପାର୍କିନସନ୍ସ ପାଇଁ ମୁଖ୍ୟ ଚିକିତ୍ସା ହେଉଛି ଲେୱୋଡୋପା। ମସ୍ତିଷ୍କରେ ଡୋପାମାଇନ୍ର ଯୋଗାଣକୁ ପୂର୍ଣ୍ଣ କରିବା ପାଇଁ ସ୍ନାୟୁ କୋଷଗୁଡ଼ିକ ଲେବୋଡୋପା ବ୍ୟବହାର କରନ୍ତି। ସମୟକ୍ରମେ ମାନବ ଶରୀର ଔଷଧରେ ଶରୀର ଅଭ୍ୟସ୍ତ ହେବାକୁ ଲାଗେ, ଯେଉଁଥିପାଇଁ ଏହାର ପ୍ରଭାବ ମଧ୍ୟ ହ୍ରାସ ପାଇଥାଏ।