ଟାଟା କର୍ମଚାରୀ-ବନ୍ଦର ବିରୋଧୀ ମୁହାଁମୁହିଁ, ଥାନାରେ ମାମଲା
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳରେ ବନ୍ଦର ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି। ବନ୍ଦର ସର୍ଭେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସପକ୍ଷବାଦି ସ୍ଥାନୀୟ ଟାଟା କମ୍ପାନୀର କର୍ମଚାରୀ ଓ ବନ୍ଦର ବିରୋଧୀଙ୍କ ମୁହାଁମୁହିଁ ଫଳରେ ଅସନ୍ତୋଷ ଘନୀଭୂତ ହେବାରେ ଲାଗିଛି।
ଜିଲାର ଦକ୍ଷିଣ ବାଲିଆପାଳରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ସର୍ଭେ କାର୍ଯ୍ୟ ପାଇଁ ଆସିଥିବା ଉପକରଣ ମଙ୍ଗଳବାର ମଧ୍ୟାହ୍ନ ସମୟରେ ଚଉମୁଖ ମହାଦେବ ମନ୍ଦିର ପାଖରେ ଗାଡ଼ିରୁ ବାହାର କରାଯାଉଥିବା ସମୟରେ ଟାଟା କମ୍ପାନୀର କର୍ମଚାରୀ ଓ ସ୍ଥାନୀୟ ବନ୍ଦର ବିରୋଧୀ ବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଟାଟା କଂପାନୀର କାର୍ଯ୍ୟରତ ୪ଜଣ ବନ୍ଦର ସପକ୍ଷବାଦି ସ୍ଥାନୀୟ କର୍ମଚାରୀଙ୍କୁ ବନ୍ଦର ବିରୋଧୀ ସ୍ଥାନୀୟ କିଛି ମୁଷ୍ଟିମେୟ ଲୋକ ମାଡ଼ ମାରିବା ସହିତ ଜୀବନରୁ ମାରିଦେବାର ଧମକ ଦେଇଥିବା ନେଇ ଟାଟା କର୍ମଚାରୀ ରାମଚନ୍ଦ୍ର ଗିରି ବାଲିଆପାଳ ଥାନାରେ ଅଭିଯୋଗ କରିଛନ୍ତି। ଦୀର୍ଘ ଦିନ ଧରି ଭିଟାମାଟି ସୁରକ୍ଷା କମିଟି ବନ୍ଦରକୁ ବିରୋଧ ପ୍ରଦର୍ଶନ କରି ଆସୁଥିବା ବେଳେ ମଙ୍ଗଳବାର ହଠାତ ବନ୍ଦର ସର୍ଭେ ଗାଡି ଚଉମୁଖରେ ପହଞ୍ଚିବାରୁ ସ୍ଥାନୀୟ ଲୋକେ ଉତକ୍ଷିପ୍ତ ହୋଇ ବିରୋଧ ପ୍ରଦର୍ଶନ କରିବା ସହିତ ଟାଟା କମ୍ପାନୀ କର୍ମଚାରୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ କରିଛନ୍ତି। ବୁଧବାର ଏ ନେଇ ବାଲିଆପାଳ ଥାନାରେ ଏକ ମାମଲା (ନଂ.୧୦୧/୨୨) ରୁଜୁ ହୋଇଥିବାର ସୂଚନା ମିଳିଛି ।