ଏହି ୫ଟି ଟିପ୍ସକୁ କରନ୍ତୁ ଅନୁସରଣ, ଖରାଦିନେ କଣ୍ଟ୍ରୋଲ ରହିବ ମଧୁମେହ !
ଖରାଦିନେ ପ୍ରଚଣ୍ଡ ଗରମ କୌଣସି ନା କୌଣସି ଉପାୟରେ ଲୋକଙ୍କୁ ପ୍ରଭାବିତ କରିଥାଏ। ଯଦି ଆପଣ ମଧୁମେହରେ ପୀଡ଼ିତ, ତେବେ ଗ୍ରୀଷ୍ମକାଳ ଆପଣଙ୍କ ସମସ୍ୟାକୁ ବହୁଗୁଣିତ କରିପାରେ। କାରଣ ଉଚ୍ଚ ତାପମାତ୍ରା ମଧୁମେହ ରୋଗକୁ ପ୍ରଭାବିତ କରିଥାଏ। ଅଧିକ ପରିମାଣରେ ଝାଳ ନିର୍ଗତ କାରଣରୁ ବ୍ଲଡ ସୁଗାର ସ୍ତରକୁ ସନ୍ତୁଳିତ ରଖିବା ସମ୍ଭବପର ହୋଇ ପାରିନଥାଏ। ହେଲେ ଆପଣ କିଛି ସାବଧାନତା ଆପଣାଇ ପାରିଲେ ଏପରି ସମସ୍ୟାରୁ ଦୂରେଇ ରହିପାରିବେ। ନିମ୍ନଲିଖିତ ୫ଟି ପରାମର୍ଶ ଆପଣଙ୍କ ପାଇଁ ଫଳପ୍ରଦ ହେବ ନିଶ୍ଚୟ।
ସୂର୍ଯ୍ୟ କିରଣରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ :
ସିଧାସଳଖ ସୂର୍ଯ୍ୟକିରଣରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। ଜରୁରୀ କାର୍ଯ୍ୟରେ ବାହାରକୁ ଯିବାକୁ ପଡ଼ିଲେ ନିଶ୍ଚୟ ଛତା ବ୍ୟବହାର କରିବା ସହ ଧଳା କପଡ଼ାରେ ମୁହଁ ଘୋଡାଇ ରଖନ୍ତୁ। କାରଣ ସିଧାସଳଖ ସୂର୍ଯ୍ୟକିରଣ, ଶରୀରରେ ସୁଗାର ସ୍ତରକୁ ଖୁବଶୀଘ୍ର ବଢ଼ାଇ ଦେଇଥାଏ।
ବ୍ଲଡ ସୁଗାର ଲେବୁଲ ପରୀକ୍ଷା କରନ୍ତୁ :
କୌଣସି କାର୍ଯ୍ୟରେ ବାହାରକୁ ଯାଉଥିଲେ କିମ୍ବା ଶାରୀରିକ ପ୍ରରିଶ୍ରମ କରିବା ପୂର୍ବରୁ ନିଶ୍ଚୟ ବ୍ଲଡ ସୁଗାର ଲେବୁଲ ପରୀକ୍ଷା କରି ନିଅନ୍ତୁ। ଏହା ଦ୍ୱାରା ଆପଣ ନିଜେ ସତର୍କ ରହିପାରିବେ।
ଶରୀରରେ ଜଳୀୟ ଅଂଶ ବୃଦ୍ଧି କରନ୍ତୁ :
ଖରାଦିନରେ ଶରୀରରୁ ବହୁ ପରିମାଣରେ ଝାଳ ନିର୍ଗତ ହେଉଥିବାରୁ ଜଳୀୟ ଅଂଶ କମିଯାଏ। ବିଶେଷ ଭାବେ ଡାଇବେଟିସ ରୋଗୀ ପ୍ରତି ୨ ଘଣ୍ଟାରେ ପାଣି ପିଇବା ଉଚିତ। ଏପରିକି ଆପଣଙ୍କୁ ଶୋଷ ଲାଗୁ ନଥିଲେ ମଧ୍ୟ ପାଣି ପିଇବା ଆବଶ୍ୟକ। ତେଲ, ମସଲାଯୁକ୍ତ ଖାଦ୍ୟରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ। କାରଣ ଏହା ବ୍ଲଡ ସୁଗାର ଲେବୁଲକୁ ବଢ଼ାଇ ଦେଇଥାଏ। ଅଧିକ ପରିମାଣରେ ଲେମ୍ବୁ ପାଣି ଓ ପଇଡ଼ ପାଣି ପିଇଲେ ସୁଗାର ଲେବୁଲ ସନ୍ତୁଳିତ ଅବସ୍ଥାରେ ରହିଥାଏ।
ପ୍ରାକୃତିକ ଫେବ୍ରିକ ଯୁକ୍ତ ବସ୍ତ୍ର ପିନ୍ଧନ୍ତୁ :
ଖରାଦିନେ ପଲିଷ୍ଟର, ନାଇଲନ ପରି କପଡ଼ା ପରିଧାନ କରନ୍ତୁ ନାହିଁ। ଏହା ବଦଳରେ ହାଲକା କଟନ କିମ୍ବା ପ୍ରାକୃତିକ ଫେବ୍ରିକରେ ତିଆରି ହୋଇଥିବା ବସ୍ତ୍ର ପିନ୍ଧନ୍ତୁ। ଧଳା କପଡ଼ା ପିନ୍ଧିବା ସହ ଖରାକୁ ଯାଉଥିଲେ ସନସ୍କ୍ରିନ ଲୋସନ ବ୍ୟବହାର କରନ୍ତୁ।
ଔଷଧକୁ ଖରାରୁ ଦୂରେଇ ରଖନ୍ତୁ :
ଆପଣଙ୍କ ଔଷଧରେ ଯେପରି ସୂର୍ଯ୍ୟକିରଣ ନପଡ଼ିବ ସେଥିପ୍ରତି ସର୍ବଦା ସତର୍କ ରୁହନ୍ତୁ। କାରଣ ସିଧାସଳଖ ସୂର୍ଯ୍ୟ କିରଣ ପଡ଼ିବା ପରେ ଔଷଧ ବିଷାକ୍ତ ହୋଇଯାଏ। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଶଙ୍କା ବଢ଼ାଇ ଦେଇପାରେ। ଔଷଧକୁ ସର୍ବଦା ଶୀତଳ ଓ ସୁଖିଲା ସ୍ଥାନରେ ରଖନ୍ତୁ। ଏହାସହିତ ବ୍ୟବହାର କରୁଥିବା ଅନ୍ୟାନ୍ୟ ଉପକରଣ ଯଥା ବ୍ଲଡ ସୁଗାର ମନିଟର, ଇନସୁଲିନ ପମ୍ପ ଓ ଷ୍ଟ୍ରିପ ବି ସିଧାସଳଖ ସୂର୍ଯ୍ୟକିରଣ ଓ ଗରମରୁ ଦୂରେଇ ରଖନ୍ତୁ।
(ବି.ଦ୍ର.) ରଚନାରେ ଦିଆଯାଇଥିବା ପରାମର୍ଶ କେବଳ ସୂଚନା ପ୍ରଦାନ ଉଦ୍ଦେଶ୍ୟରେ ଦିଆଯାଇଛି। ଏହାକୁ ଚିକିତ୍ସା ପରାମର୍ଶ ଭାବେ ଗ୍ରହଣ ନକରିବାକୁ ଅନୁରୋଧ। ଜଟିଳ ଶାରୀରିକ ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।