ପିପିଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର
- କରୋନା ଦୁର ପରେ ମୁଁ ନିଜେ ପିପିଲି-ଡେଲାଙ୍ଗ ଯାଇ ଆପଣମାନଙ୍କୁ ଭେଟିବି
- ପିପିଲି-ଡେଲାଙ୍ଗର ବିକାଶ କାମ ମୁଁ ନିଜେ ବୁଝିବି
ଭୁୁବନେଶ୍ୱର : ପିପିଲି-ଡେଲାଙ୍ଗର ବିକାଶ କାମ ମୁଁ ନିଜେ ବୁଝିବି । ବିଜୁ ଜନତା ଦଳର ପ୍ରାର୍ଥୀକୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆପଣମାନେ ଆଶୀର୍ବାଦ କରନ୍ତୁ ବୋଲି କହି ପିପିଲି -ଡେଲାଙ୍ଗବାସୀଙ୍କୁ ଅନୁରୋଧ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୋମବାର ଦିନ ପିପିଲି ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଭର୍ଚୁଆଲ୍ ପ୍ରଚାର କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରେଷ୍ଠ ଭକ୍ତ ଦାସିଆଙ୍କ ପବିତ୍ରଭୂମି ଏ ପିପିଲି-ଡେଲାଙ୍ଗ । ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରାର ସ୍ମୃତିରେ ଧନ୍ୟ ଏ ପିପିଲି-ଡେଲାଙ୍ଗ । କଳାର ଭୂମି ଏ ପିପିଲି-ଡେଲାଙ୍ଗ, ଏହାର ଚାନ୍ଦୁଆ ଦେଶ ବିଦେଶରେ ଓଡିଶାର ସୁନାମ ଆଣିଛି । ମୁଁ ଜାଣେ ମୋ ପ୍ରତି ଆପଣମାନଙ୍କର ବହୁତ ଭଲ ପାଇବା ରହିଛି । ଯଦି ମୁଁ ପିପିଲି-ଡେଲାଙ୍ଗ ଯାଇଥାନ୍ତି ତେବେ ଆପଣମାନେ ମୋତେ ଆର୍ଶୀବାଦ କରିବାକୁ ବହୁ ସଂଖ୍ୟାରେ ଏକାଠି ହୋଇଥାନ୍ତେ । କୋଭିଡ଼ ସମୟରେ ଏହା ଉଚିତ୍ ହେବ ନାହିଁ । କରୋନା ଦୁର ହେବା ପରେ ମୁଁ ନିଜେ ପିପିଲି-ଡେଲାଙ୍ଗ ଯାଇ ଆପଣମାନଙ୍କୁ ଭେଟିବି । ପିପିଲିର ଜନସାଧାରଣ ସବୁବେଳେ ବିଜୁ ଜନତା ଦଳ ସହିତ ଅଛନ୍ତି । ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ ହୋଇଛି । ସେ ଚାଷୀ ମାନଙ୍କର ବିକାଶ ହେଉ ବା ଗରିବ ଲୋକର କଲ୍ୟାଣ । ମା ମାନଙ୍କ ବିକାଶ ହେଉ ବା ଭିତିଭୂମିର ବିକାଶ । ସବୁଥିରେ ଓଡ଼ିଶା ସାରା ଦେଶରେ ଆଗରେ ଅଛି । ଆମ ରାଜ୍ୟର ୭୦ ଲକ୍ଷ ମା’ ମାନଙ୍କୁ ନେଇ ଗଠିତ ମିଶନ ଶକ୍ତି ଆଜି ବିକାଶର ସାରଥି ହୋଇଛି । ମା’ ମାନଙ୍କର ସମୃଦ୍ଧି ହିଁ ପରିବାରର ସମୃଦ୍ଧି । ଆଜି ଆମର ମା’ ମାନେ ହେଉଛନ୍ତି ଗାଁ, ପଂଚାୟତ, ବ୍ଲକ୍ ଆଦିରେ ଥିବା ସରକାରୀ ସମ୍ପତିର ମାଲିକ । ମା’ ମାନେ ବହୁ ସଂଖ୍ୟାରେ ଆସି ଶଙ୍ଖ ଚିହ୍ନରେ ଭୋଟ ଦେଇ ଆମକୁ ଆଶୀର୍ବାଦ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନାର ଦ୍ୱିତୀୟ ଲହର ଭୟ ଏବେ ଦେଖା ଦେଇଛି । ତେଣୁ ଆମକୁ ସତର୍କ ରହବାକୁ ହେବ । କୋଭିଡ ନିୟମ ପାଳନ କରନ୍ତୁ ଏବଂ ଘରୁ ବହାରିଲେ ଠିକ୍ ଭାବରେ ମାସ୍କ ପିନ୍ଧି ଯାଆନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।