ବାଲେଶ୍ୱର : ଆଜି ଖଇରା ବନ୍ଦ,ଯୋଗ ଦେବେ ଖଇରାର ସମସ୍ତ ସଙ୍ଗଠନ

ବାଲେଶ୍ୱର : ପାରଳାଖରମୁଣ୍ଡି ଏସିଏଫ ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ସ୍ଥାନୀୟ ଜନସାଧାରଣ ତଥା ବ୍ଲକର ସମସ୍ତ ସଙ୍ଗଠନ ଗୁରୁବାର ରାଜରାସ୍ତାକୁ ଓହ୍ଳାଇବାର କାର୍ଯ୍ୟକ୍ରମ ରହିଛି । ସକାଳ ୬ଟାରୁ ୧୨ ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ଦୋକାନୀ ମାନେ ସ୍ବତପ୍ରବୃତ ଭାବେ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିଭଳି ଖଇରା ବ୍ଲକରେ କାର୍ଯ୍ୟରତ ସମସ୍ତ ସ୍ବେଛାସେବୀ,ସାଂସ୍କୃତିକ ସଙ୍ଗଠନ ଗୁଡିକ ଏଥିରେ ସାମିଲ ହେବାକୁ କର୍ମକର୍ତ୍ତା ମାନେ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ସମସ୍ତ ଯାନବାହନ ଚଳାଚଳ ତଥା ସରକାରୀ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ଶେଷରେ ବିଡିଓଙ୍କ ଜରିଆରେ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ସେହିଭଳି ଗଣ୍ଡିବେଡ ଠାରେ ସୌମ୍ୟଙ୍କ ହତ୍ୟାରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଗୁରୁବାର ସନ୍ଧ୍ୟାରେ ମଧ୍ୟ ସ୍ଥାନୀୟ ଯୁବ ସ୍ବାଭିମାନ ମଞ୍ଚ,ଆଞ୍ଚଳିକ ଉନ୍ନୟନ ପରିଷଦ ଓ ବଣିକ ସଂଘ ପକ୍ଷରୁ ନ୍ୟାୟ ପ୍ରଦାନ ଦାବୀରେ ବିଶାଳ ଶୋଭାଯାତ୍ରା ଆୟୋଜିତ କରାଯାଇଥିବା ନେଇ ବୁଧବାର ଖଇରା ଥାନାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି ।
ସୂଚନା ଯେ, ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ୫୬ଦିନ ବିତିଯାଇଥିଲେ ମଧ୍ୟ ଦୋଷୀମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ପ୍ରଶାସନ ନେଉନଥିବାରୁ ଖଇରା ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି ।