ବାଲେଶ୍ୱର : ‘ଡବଲ ଇଞ୍ଜିନ୍ ସରକାର’ ଆହ୍ୱାନରେ ଭାଜପାର ବାଜିମାତ୍; ହାତେଇଲା ଲୋକସଭା ସହ ୫ ବିଧାନସଭା ଆସନ
ବାଲେଶ୍ୱର : ଆଜି ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଗଣତି ଚାଲିଥିଲେ ମଧ୍ୟ ଯାହା ସ୍ଥିତି ଆସିଛି ତାହା କେହି କେବେ ଭାବି ନ ଥିଲେ । ଏତେ ସଂଖ୍ୟାରେ ଭାଜପା ବିଧାୟକ ପ୍ରାର୍ଥୀ ବିଜୟ ଲାଭ କରିବେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାରେ ଫୁଟିଛି ପଦ୍ମ । ଜିଲାରେ ଭାଜପା ଲୋକସଭା ଆସନ ସହ ୫ ବିଧାନସଭା ଆସନରେ ବାଜିମାତ୍ ହୋଇଥିବା ବେଳେ ବିଜେଡି କେବଳ ୩ଟି ବିଧାନସଭାରେ ଜିତି ଚିତ୍ ପଟାଙ୍ଗ ମାରିଛି । ଏପରିକି ଖୋଦ୍ ମନ୍ତ୍ରୀ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛନ୍ତି । ଲୋକମାନଙ୍କ ମଧ୍ୟରେ ଏହି ପରିବର୍ତ୍ତନକୁ ସର୍ବସାଧାରଣରେ ରାଜ୍ୟ ପାଇଁ ‘ଡବଲ ଇଞ୍ଜିନ୍ ସରକାର’ ଗଠନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ଗ୍ରହଣ କରିଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।
ଖବର ଲେଖା ହେବା ପର୍ଯ୍ୟନ୍ତ, ବାଲେଶ୍ୱର ଲୋକସଭା ଆସନରେ ଭାଜପା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୪ଲକ୍ଷ ୪୭ହଜାର ୪୫୦ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥିନୀ ଡ. ଲେଖାଶ୍ରୀ ସାମନ୍ତ ସିଂହାର ୩ଲକ୍ଷ ୧୩ହଜାର ୭୨୯ଖଣ୍ଡ ଭୋଟ୍ ପାଇ ପ୍ରାୟ ୧ଲକ୍ଷ ୩୩ହଜାର ୭୨୧ଖଣ୍ଡ ଭୋଟ୍ରେ ପଛୁଆ ରହିଛନ୍ତି । ସେହିପରି କଂଗ୍ରେସର ଲୋକସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନା ମାତ୍ର ୨ଲକ୍ଷ ୮୧ହଜାର ୨୮୯ଖଣ୍ଡ ଭୋଟ୍ ପାଇଛନ୍ତି । ସେହିପରି ବାଲେଶ୍ୱର ନିର୍ବାଚନମଣ୍ଡଳୀରେ ମୋଟ୍ ୧୮ରାଉଣ୍ଡରୁ ୧୭ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ମାନସ କୁମାର ଦତ୍ତ ୮୭ହଜାର ୯୫୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ୬୦ହଜାର ୪୦ ଖଣ୍ଡ ଭୋଟ୍ ପାଇ ୨୭ହଜାର ୯୧୦ଖଣ୍ଡ ଭୋଟ୍ ବ୍ୟବଧାନରେ ପଛରେ ରହିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥିନୀ ମୋନାଲିସା ସାମଲ ମାତ୍ର ୧୮ହଜାର ୭୯୨ ଓ ସ୍ୱାଧୀନ ପ୍ରାର୍ଥୀ ବିକ୍ରମ କେଶରୀ ପଣ୍ଡା ୪ହଜାର ୫୬୮ଖଣ୍ଡ ଭୋଟ୍ ହାତେଇଛନ୍ତି । ରେମୁଣା ନିର୍ବାଚନମଣ୍ଡଳୀରେ ମୋଟ୍ ୨୪ରାଉଣ୍ଡରୁ ୧୬ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ ୬୧ହଜାର ୫୧୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ବିଜେଡି ପ୍ରାର୍ଥୀନୀ ବିଦ୍ୟାସ୍ମିତା ମହାଳିକ ୪୬ହଜାର ୨୧୭ ଖଣ୍ଡ ଭୋଟ ପାଇ ୧୫ହଜାର ୨୯୯ ଖଣ୍ଡ ଭୋଟ୍ରେ ପଛୁଆର ରହିଛନ୍ତି । ସେହିପରି କଂଗ୍ରେସର ବିଧାୟକ ପ୍ରାର୍ଥୀ ସୁଦର୍ଶନ ଜେନା ମାତ୍ର ୮ହଜାର ୪୩୮ ଓ ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ସେଠୀ ୨ହଜାର ୪୯୨ ଖଣ୍ଡ ଭୋଟ୍ ପାଇଛନ୍ତି । ଅନ୍ୟପକ୍ଷରେ ସ୍ୱାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମାତ୍ର ୩୮୦ ଖଣ୍ଡ ଭୋଟ୍ ଯାହାକି ନୋଟା ୮୪୮ ଖଣ୍ଡ ଭୋଟ୍ ଠାରୁ ବହୁ କମ୍ ଭୋଟ୍ ପାଇଥିବାର ଜଣାପଡ଼ିଛି । ନୀଳଗିରି ନିର୍ବାଚନମଣ୍ଡଳୀରେ ମୋଟ୍ ୧୭ରାଉଣ୍ଡରୁ ୧୬ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ସନ୍ତୋଷ ଖଟୁଆ ୮୨ହଜାର ୫୯୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ବିଜେଡି ପ୍ରାର୍ଥୀ ଇଂ. ସୁକାନ୍ତ ନାୟକ ୬୩ହଜାର ୯୮୧ ଖଣ୍ଡ ଭୋଟ୍ ପାଇ୧୮ହଜାର ୬୧୫ ଖଣ୍ଡ ଭୋଟ୍ରେ ପଛୁଆ ଅଛନ୍ତି । ସେହିପରି କଂଗ୍ରେସର ପ୍ରାର୍ଥୀ ଅକ୍ଷୟ କୁମାର ଆଚାର୍ଯ୍ୟ ୭ହଜାର ୭୮୪ଖଣ୍ଡ ଭୋଟ୍ ପାଇଛନ୍ତି । ଜଳେଶ୍ୱର ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ ତାଙ୍କର ନିକଟତମ ବିଜେଡି ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ରଙ୍କୁ ୭୫୨ ଖଣ୍ଡ ଭୋଟ୍ରେ ପରାଜୟ କରିଥିବାର ଜଣାପଡ଼ିଛି । କଂଗ୍ରେସ ପ୍ରାର୍ଥୀ ସୁଦର୍ଶନ ଦାସ ତୃତୀୟ ସ୍ଥାନରେ ରହିଛନ୍ତି । ସିମୁଳିଆ ନିର୍ବାଚନମଣ୍ଡଳୀରେ ମୋଟ୍ ୨୫ରାଉଣ୍ଡରୁ ୨୧ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା ୭୬ହଜାର ୯୮୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ବିଜେଡି ପ୍ରାର୍ଥୀନୀ ସୁବାସିନୀ ସାହୁ ୬୭ହଜାର ୭୩୦ ଖଣ୍ଡ ଭୋଟ୍ ପାଇ ୯ହଜାର ୨୫୨ ଖଣ୍ଡ ଭୋଟ୍ରେ ପଛୁଆ ରହିଛନ୍ତି । ଏଠାରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା ୧୧ହଜାର ୭୮୪ ଖଣ୍ଡ ଭୋଟ୍ ପାଇଛନ୍ତି ।
ସେହିପରି ଶାସକ ଦଳ ବିଜେଡି ମାତ୍ର ତିନୋଟି ଆସନରେ ବିଜୟୀ ହୋଇଛି । ବସ୍ତା ନିର୍ବାଚନମଣ୍ଡଳୀରେ ମୋଟ୍ ୨୬ ରାଉଣ୍ଡ ମଧ୍ୟରୁ ୧୯ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀନୀ ସୁବାସିନୀ ଜେନା ୬୦ହଜାର ୫୮୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ବିଜନ ନାୟକ ୪୨ହଜାର ୪୨୭ ଖଣ୍ଡ ଭୋଟ୍ ପାଇ ୧୮ହଜାର ୧୫୩ଖଣ୍ଡ ଭୋଟ୍ରେ ପଛୁଆ ରହିଛନ୍ତି । ଏଠାରେ ଭାଜପା ପ୍ରାର୍ଥୀ ରବୀନ୍ଦ୍ର ନାଥ ଅଣ୍ଡିଆ ୩୫ହଜାର ୫୩୭ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ଭୋଗରାଇ ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଗୌତମ ବୁଦ୍ଧ ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସଙ୍କୁ ପ୍ରାୟ ୬ହଜାର ୫୬୪ ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି । ସେହିପରି ସୋର ନିର୍ବାଚନମଣ୍ଡଳୀରେ ୨୩ରାଉଣ୍ଡ ମଧ୍ୟରୁ ୨୦ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ମାଧବ ଧଡ଼ା ୫୬ହଜାର ୮୪୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିଟକତମ ପ୍ରତିଦ୍ୱନ୍ଦୀ ଭାଜପାର ପର୍ଶୁରାମ ଧଡ଼ା ୫୫ହଜାର ୧୦୮ଖଣ୍ଡ ଭୋଟ୍ ପାଇ ମାତ୍ର ୧ହଜାର ୭୩୮ଖଣ୍ଡ ଭୋଟ୍ରେ ପଛୁଆ ରହିଛନ୍ତି । ଏଠାରେ କଂଗ୍ରେସ ପ୍ରାର୍ଥୀ ସୁବ୍ରତ କୁମାର ଧଡ଼ା ୨୮ହଜାର ୪୩୧ଖଣ୍ଡ ଭୋଟ୍ ହାତେଇଛନ୍ତି ।