ହରିୟାଣା ହିଂସା : ମୃତ୍ୟୁସଂଖ୍ୟା ଚାରିକୁ ବୃଦ୍ଧି, ନୁହରେ ଲାଗିଲା କର୍ଫ୍ୟୁ
![](https://thetruths.in/wp-content/uploads/2023/08/Curfew-imposed-in-Nuh-1024x576.jpg)
- କେନ୍ଦ୍ରୀୟ ବଳର ୧୫ କମ୍ପାନୀ ମୁତୟନ
ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ଶୋଭାଯାତ୍ରା ବେଳେ ହରିୟାଣାର ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ରାଜ୍ୟର ଅନ୍ୟ ୪ ଜିଲ୍ଲାକୁ ବ୍ୟାପିଛି । ହିଂସାରେ ଏପର୍ଯ୍ୟନ୍ତ ମୋଟ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ନୁହ ଜିଲ୍ଲାର ମେୱାଟ ସହର ସହ ନିକଟସ୍ଥ ଅଞ୍ଚଳ ଗୁଡ଼ିକରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଗୁରୁଗ୍ରାମ ସମେତ ହିଂସା ପ୍ରଭାବିତ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଇଣ୍ଟରନେଟ ସେବା ବନ୍ଦ ରହିଛି। ହିଂସା ପ୍ରଭାବିତ ଜିଲ୍ଲା ଗୁଡିକରେ ସ୍କୁଲ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହରିୟାଣା ସରକାର ।
ନୁହରେ ହିଂସା ପରେ ଗୁରୁଗ୍ରାମର ସେକ୍ଟର-୫୭ରେ ଉତ୍ତ୍ୟକ୍ତ ଭିଡ଼ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକ ମସଜିଦକୁ ଜାଳି ଦିଆଯାଇଥିଲା । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଧାରା ୧୪୪ ଜାରି କରାଯାଇଛି |
ହରିୟାଣାର ନୁହ ଜିଲ୍ଲାର ଶୋଭା ଯାତ୍ରା ସମୟରେ ଘଟିଥିବା ହିଂସାରେ ଦୁଇ ଜଣ ହେମଗାର୍ଡଙ୍କ ମୃତ୍ୟୁ ହୋଇଥିଲା । ମୃତକ ହୋମଗାର୍ଡ ହେଲେ ନୀରଜ ଏବଂ ଗୁରୁଦେବ । ହିଂସାରେ ନିହତ ଚତୁର୍ଥ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ନୁହରେ ଘଟିଥିବା ହିଂସା ସମୟରେ ଆହତ ୨୩ ଜଣଙ୍କ ମଧ୍ୟରେ ୧୦ ଜଣ ପୋଲିସ ଅଛନ୍ତି। ପୋଲିସ ଏହି ମାମଲାରେ ୧୧ଟି ଏଫ୍ଆଇଆର୍ ରୁଜୁ କରିଥିବା ବେଳେ ୨୭ ଜଣଙ୍କୁ ଅଟକ ରଖିଛି। ହିଂସାରେ ପ୍ରାୟ ୫୦ଟି ଗାଡ଼ି ପୋଡ଼ି ଦିଆଯାଇଛି।
ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ହରିୟାଣାର ନୁହରେ ଅର୍ଦ୍ଧସାମରିକ ବାହିନୀର ୧୫ଟି କମ୍ପାନୀଙ୍କୁ ମୁତୟନ କରାଯାଇଛି। ହିଂସା ବ୍ୟାପୁଥିବାରୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ହିଂସା ପ୍ରଭାବିତ ଅଞ୍ଚଳକୁ ଅର୍ଦ୍ଧସାମରିକ ବାହିନୀ ପଠାଇଛନ୍ତି ।
ବିଜେପି ଶାସିତ ହରିୟାଣାରେ ହିଂସା ଘଟଣାରେ ବିରୋଧୀ ଖଟ୍ଟର ସରକାରଙ୍କୁ ଘେରିଛନ୍ତି । ଆମ୍ ଆଦମୀ ପାର୍ଟି ହରିୟାଣାର ନୁହ ଏବଂ ମେୱାଟରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ପାଇଁ ଖଟ୍ଟର ସରକାରଙ୍କୁ ଦାୟୀ କରିଛି । ଦଳ ଏହାର ନିରପେକ୍ଷ ତଦନ୍ତ ଦାବି କରିଛି। ଆପ୍ ରାଜ୍ୟ ସଭାପତି ସୁଶୀଲ ଗୁପ୍ତା କହିଛନ୍ତି, ଗୁଜବ ପ୍ରତି ଧ୍ୟାନ ନ ଦେଇ ଶାନ୍ତି ବଜାୟ ରଖିବା ପାଇଁ ସେ ହରିୟାଣାର ଲୋକଙ୍କୁ ନିବେଦନ କରୁଛନ୍ତି । ଆଇନ ଶୃଙ୍ଖଳା ରକ୍ଷା କରିବାରେ ଖଟ୍ଟର ସାହେବ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଉଭୟ ହରିୟାଣାରେ ଏବଂ କେନ୍ଦ୍ରରେ ବିଜେପି ସରକାର ଅଛି । ତଥାପି ସେମାନେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ବିଫଳ ।
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ହରିୟାଣା ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି, ମଣିପୁର ପରେ ‘ଡବଲ ଇଞ୍ଜିନ’ ସରକାରର ବିଫଳତାର ଆଉ ଏକ ଉଦାହରଣ ହେଉଛି ହରିୟାଣା ହିଂସା। ସରକାର ରୂପରେ ବିଜେପିର ଇଞ୍ଜିନ ଫେଲ୍ ମାରିଛି।
ସୂଚନାଯୋଗ୍ୟ, ବ୍ରିଜମଣ୍ଡଳ ଯାତ୍ରା ବେଳେ ଏଠାରେ ଏକ ଗୋଷ୍ଠୀ ପକ୍ଷରୁ ପଥରମାଡ଼ ହୋଇଥିଲା, ଯାହା ପରେ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାରେ ୨୦ ଜଣ ଆହତ ହୋଇଥିବା ଖବର ରହିଛି। ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଥିବା ବେଳେ ଲୋକେ ଏକାଧିକ ଯାନବାହାନରେ ନିଆଁ ଲଗାଇ ଦେଇଛନ୍ତି। ଥାନା ଏବଂ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ନିଆଁ ଲଗାଇବା ସହିତ ଭଙ୍ଗାରୁଜା କରିଛନ୍ତି। ଏହି ବ୍ରିଜମଣ୍ଡଳ ଯାତ୍ରା ଗୁରୁଗ୍ରାମରୁ ଆରମ୍ଭ ହୋଇ ନୁହ ଯାଉଥିଲା। ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। ଯାତ୍ରା ନୁହର ନଲହଡ଼ ମନ୍ଦିରରେ ପହଞ୍ଚିବା ପରେ ସେଠାରୁ ଫିରୋଜପୁର ଝିରକାର ଝିର୍ ମନ୍ଦିର ଯାଉଥିଲା। ହେଲେ ସେହି ସମୟରେ ଏକ ଗୋଷ୍ଠୀ ପେଟ୍ରୋଲ ବୋମା ଫିଙ୍ଗିବା ସହ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ଏହା ପରଠାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ନୁହ ପରେ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ହିଂସା ବ୍ୟାପିବାରେ ଲାଗିଛି। ସ୍ଥିତିକୁ ନିୟନ୍ତ୍ରଣ ପାଇଁ କେତେକ ଜିଲ୍ଲାର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପରିସ୍ଥିତିକୁ ନଜରରେ ରଖି ସମଗ୍ର ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି। ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ୍ ଏହି ଘଟଣାରେ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି।