ଦୀର୍ଘ ୧୦ ଘଣ୍ଟା ପରେ କାର୍ଯ୍ୟକ୍ଷମ ହେଲା IRCTC ୱେବସାଇଟ୍, ଆରମ୍ଭ ହେଲା ଟିକେଟ୍ ବୁକିଂ
ଦେଶର ଅଧିକାଂଶ ଲୋକ ପରିବହନ ପାଇଁ ଟ୍ରେନ ଉପରେ ନିର୍ଭର କରିଥାଆନ୍ତି । ରେଳ ଟିକେଟ୍ ବୁକ୍ କରିବା ପାଇଁ ଆଇଆରସିଟିସି ସାଇଟ୍ କିମ୍ବା ଆପ୍ ମାଧ୍ୟମରେ କୋଟି କୋଟି ଲୋକ ଟିକେଟ୍ ବୁକିଂ କରିଥାଆନ୍ତି । କିନ୍ତୁ ଆଜି ଅର୍ଥାତ୍ ମଙ୍ଗଳବାର ଦିନ ସକାଳୁ ଲକ୍ଷ ଲକ୍ଷ ଲୋକେ ଟିକେଟ୍ ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦୀର୍ଘ ୧୦ ଘଣ୍ଟା ପରେ IRCTC ସାଇଟ୍ କାର୍ଯ୍ୟକ୍ଷମ ହୋଇଛି । ଏହାପରେ ବର୍ତ୍ତମାନ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। ଅନେକ ଲୋକ ସାଇଟରେ ଥିବା ତ୍ରୁଟି ନେଇ ଟ୍ୱିଟ୍ କରି ରେଳବାଇକୁ ଜଣାଇଥିଲେ।
ସୂଚନା ଅନୁଯାୟୀ, ଆଜି ଭାରତୀୟ ରେଳ କ୍ୟାଟରିଂ ଆଣ୍ତ ଟୁରିଜିମ୍ କର୍ପୋରେସନ୍ (IRCTC)ର ୱେବସାଇଟ୍ ଡ଼ାଉନ ହୋଇଥିଲା । IRCTC ୱେବସାଇଟରେ ଟେକ୍ନିକାଲ ତ୍ରୁଟି ଦେଖାଦେଇଥିଲା । ଫଳରେ ହଜାର ହଜାର ଯାତ୍ରୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି । ସକାଳ ପ୍ରାୟ ୯ ଟାରୁ ଲୋକମାନେ ଟିକେଟ୍ ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବୈଷୟିକ ତ୍ରୁଟି କାରଣରୁ ଟିକେଟ୍ ସେବା ଉପଲବ୍ଧ ନାହିଁ ବୋଲି ଆଇଆରସିଟିସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପ୍ରକାଶଥାଉ କି, IRCTC ୱେବସାଇଡ଼ ଖୋଲୁନଥିବା ବେଳେ ଏହାର ଆପ୍ ମଧ୍ଯ ଚାଲୁ ନାହିଁ । ଏମିତିକି ଟିକେଟ୍ ବୁକ୍ କଲେ ଟଙ୍କା କଟି ଯାଉଥିଲେ ସୁଦ୍ଧା ଟିକେଟ୍ ବୁକ ହୋଇପାରୁନଥିବା ଅନେକ ୟୁଜର ଅଭିଯୋଗ କରିଛନ୍ତି ।
IRCTC ପକ୍ଷରୁ କୁହାଯାଇଛି କି, ଟେକ୍ନିକାଲ ତ୍ରୁଟି କାରଣରୁ ଏହାର ସେବା ଉପଲବ୍ଧ ନାହିଁ । ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରାଯାଉଛି। ତେବେ ଏହି ସମୟରେ ବି ଟୁ ସି ପରି ପ୍ଲାଟଫର୍ମ ଆମାଜନ୍, ମେକ୍ ମାଇଁ ଟ୍ରିପ୍ ପରି ଆପ୍ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି । ଯଦି କେହି ଯାତ୍ରୀ ନିଜର ଟିକେଟ୍ ବାତିଲ କରିବାକୁ ଚାହୁଁଛନ୍ତି, ତାହାଲେ କଷ୍ଟମର କେୟାର ନମ୍ବର ୧୪୬୪୬, ୦୭୫୫-୬୬୧୦୬୬୧ ଏବଂ ୦୭୫୫-୪୦୯୦୬୦୦କୁ ଫୋନ କରି ଯୋଗାଯୋଗ କରିପାରିବେ । ଏହା ବ୍ୟତିତ eticktes@irctc.co. ରେ ମେଲ କରିବାକୁ ପରାମର୍ଶ ଦିଆଯାଇଛି ।
ତତକାଲ୍ ବୁକିଂ ପାଇଁ ରିଜର୍ଭ ସମୟରେ ଡାଉନ ହେଲା ୱେବସାଇଟ୍ :
ତତକାଲ୍ ବୁକିଂ ହେଇଥିବା ସମୟରେ IRCTC ୱେବସାଇଟ୍ ଡାଉନ ହୋଇଥିଲା । ସାଧାରଣତଃ ଏସି କ୍ଲାସ୍ (୨ଏ / ୩ଏ / ସିସି / ଇସି / ୩ଇ) ପାଇଁ ତତକାଳ୍ ବୁକିଂ ସକାଳ ୧୦ଟାରୁ ଓ ନନ୍-ଏସି କ୍ଲାସ୍ (ଏସଏଲ/ଏଫସି/୨ଏସ) ପାଇଁ ଦିନ ୧୧ଟାରୁ ଆରମ୍ଭ ହୋଇଥାଏ ।