ଧସିଲା କୋଇଲା ଖଣି : ଚୋରା ଲୁଚାରେ କୋଇଲା ସଂଗ୍ରହ କରୁଥିବା ୩ ଜଣଙ୍କ ମୃତ୍ୟୁ, ଅନେକ ଆହତ
ଧାନବାଦ : ଝରିଆ କୋଇଲା ଅଞ୍ଚଳରେ ଭାରତ କୋକିଂ କୋଲ ଲିମିଟେଡ( ବିସିସିଏଲ)ର ଏକ କୋଇଲା ଖଣି ଧସି ଯିବାରୁ ଚୋରା ଲୁଚାରେ କୋଇଲା ସଂଗ୍ରହ କରୁଥିବା ପାଖାପାଖି ୧୮ରୁ ଅଧିକ ଲୋକେ ପୋତି ହୋଇପଡିଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ରୁ ୧୫ ଜଣ ଆହତ ହୋଇଥିବା ସୂଚନା ମିଳୁଛି। ଏହି ଦୁର୍ଘଟଣା ଭୌରା ନାମକ ସ୍ଥାନରେ ଥିବା ଖଣିରେ ହୋଇଛି। ଏହି ଖଣିରୁ ଦେବପ୍ରଭା ନାମକ ଏକ ଆଉଟ ସୋର୍ସିଂ କମ୍ପାନୀ କୋଇଲା ଖନନ କରୁଛି।
କୁହାଯାଉଛି ଏଠାକୁ ସବୁଦିନ କୋଇଲା ସଂଗ୍ରହ କରିବା ଲାଗି ବହୁ ସଂଖ୍ୟାରେ ଲୋକେ ଆସିଥାନ୍ତି। ସେମାନେ ଅବୈଧ ରୂପେ ଖୋଳି କୋଇଲା ନେଇଥାନ୍ତି। ତେବେ ଶୁକ୍ରବାର ସକାଳେ ଖଣିର ଚାଳ(ଛାତ) ଅଚାନକ ଧସି ପଡିଥିଲା। ଫଳରେ ତଳେ କୋଇଲା ଖୋଳୁଥିବା ଲୋକେ ପୋତି ହୋଇପଡିଥିଲେ। ଦୁର୍ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରେ ଜଣକର ମୃତ ଦେହ ବାହାରିଥିବା ଜଣାପଡିଛି।
କୋଇଲା ଗଦା ତଳୁ ୮- ୧୦ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜିତ ଲୋକେ କ୍ଷତିପୂରଣ ଦାବିରେ ୨ଟି ଶବକୁ ବିସିସିଏଲ କାର୍ଯ୍ୟାଳୟ ସମ୍ମୁଖରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସିଆଇଏସଏଫ ଓ ସ୍ଥାନୀୟ ପୋଲିସ ଜାଣତରେ କୋଇଲା ତସ୍କର ଏଠାରୁ କୋଇଲା ଖୋଳୁଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜୋଡାପୋଖର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।