ପେରୁରେ ଲଗାଣ ବର୍ଷା, ଭୁସ୍ଖଳନରେ ୩୬ ମୃତ
ପେରୁ : ଦକ୍ଷିଣ ପେରୁରେ ଲଗାଣ ବର୍ଷା । ଲଗାତର ବର୍ଷା ହେତୁ ଭୁସ୍ଖଳନ । ଏଥିରେ ଅନେକ ଧନଜୀବନ ପ୍ରଭାବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଏପିର ରିପୋର୍ଟ ମୁତାବକ ମୃତକମାନଙ୍କ ମଧ୍ୟରୁ ୫ ଜଣ ଅଛନ୍ତି, ଯିଏକି ଏକ ଭ୍ୟାନ୍ ଯୋଗେ ଯାତ୍ରା କରୁଥିଲେ। ବର୍ଷା ହୋଇ ଉପୁଜିଥିବା କାଦୁଅରେ ଉକ୍ତ ଗାଡ଼ିର ଚକା ଖସିଯିବାରୁ ସେମାନେ ଯାଉଥିବା ଗାଡ଼ିଟି ନଦୀ ଭିତରକୁ ପଶି ଯାଇଥିଲା। ଫଳରେ ଏକ ଭୟଙ୍କର ଦୁର୍ଘଟଣାର ସାମ୍ନା କରିବା ପରେ ୫ ଜଣଙ୍କ ଜୀବନ ଚାଲି ଯାଇଥିଲା। ଭ୍ୟାନ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ରାସ୍ତାରେ ଖୁବ୍ ଅଧିକ ଅଳିଆ ଆବର୍ଜନା ଗଦା ହୋଇ ଯାଇଥିବାରୁ ତାହାକୁ ସଫା କରିବାକୁ ପୂର୍ବରୁ ଜଣେ ସ୍ଥାନୀୟ ଅଧିକାରୀ ମଧ୍ୟ ଆବେଦନ କରିଥିଲେ। ତେବେ ଏହି ଭୁସ୍ଖଳନ ହେତୁ ପୋଲ ଓ କେନାଲ ବି ପ୍ରଭାବିତ ହୋଇଛି।
କାମାନା ପ୍ରଦେଶର ମାରିଆନୋ ନିକୋଲ୍ସ ଭାଲର୍ସେଲ ମୁନିସିପାଲିଟିର ଜଣେ ଅଧିକାରୀ ୱିଲ୍ସନ ଗୁଟିରେଜ କହିଛନ୍ତି, ‘ମିକ୍ସି ନାମକ ଏକ ଦୁର୍ଗମ ଅଞ୍ଚଳରୁ ଏବେ ସୁଦ୍ଧା ୩୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।’