ଆଠଗଡ଼ରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିମନ୍ତେ ଭିତିଭୂମି ଓ ବିଦ୍ୟୁତ ସରବରାହ ବ୍ୟବସ୍ଥାର ଉନ୍ନତିକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର : ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ବିଦ୍ୟୁତ ସରବରାହ ବ୍ୟବସ୍ଥାରେ ଉନ୍ନତି ଓ ଭିତିଭୂମିର ବିକାଶ କରି ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ଓ ଉତମ ମାନର ବିଦ୍ୟୁତସେବା ଯୋଗାଇଦେବା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । କୃଷି ଭବନଠାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଦ୍ୟୁତ ସରବରାହ ବ୍ୟବସ୍ଥା ଓ ଭିତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ବୈଠକର ନିଷ୍ପତି ଅନୁଯାୟୀ ମାଧପୁର ଅଂଚଳରେ ବିଦ୍ୟୁତ ଯୋଗାଣ ନିମନ୍ତେ ୧୧ କେଭି ଫିଡର ଏବଂ କନ୍ଦରପୁର ଫିଡରକୁ ଯଥାଶୀଘ୍ର ପରିବର୍ଦ୍ଧିତ ଓ ସୁଦୃଢ଼ କରାଯିବ । ସେହିପରି ଇଚ୍ଛାପୁରକୁ ବିଦ୍ୟୁତ ଯୋଗାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରାଯିବ । ସେହିପରି ଅଂଶୁପା ରୋଡ୍ ଏବଂ ମାରୁଗୋଠକୁ ସଂଯୁକ୍ତ କରିବା ନିମନ୍ତେ ଏକ ନୂତନ ୧୧ କେଭି ଫିଡର ଆସନ୍ତା ୬ ମାସ ମଧ୍ୟରେ ନିର୍ମାଣ କରାଯିବ । ବୈଠକର ସୂଚନା ଅନୁଯାୟୀ ଆଠଗଡ଼ ଏନ୍ଏସି ଅଂଚଳରେ ନିରନ୍ତର ବିଦ୍ୟୁତ ଯୋଗାଣ ନିମନ୍ତେ ଆଠଗଡ଼ ଫିଡ଼ରରୁ ଗ୍ରାମାଂଚଳକୁ ବିଦ୍ୟୁତ ଯୋଗାଣ ପୃଥକୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି । ସେହିପରି ଗୁରୁଡ଼ିଝାଟିଆରେ ଉଚ୍ଚ କ୍ଷମତାସଂପନ୍ନ ଟ୍ରାନ୍ସଫର୍ମର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି । ସ୍ଥାନୀୟ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ଉନ୍ନତ ମାନର ବିଦ୍ୟୁତ ଯୋଗାଣ ନିମନ୍ତେ ପୁରୁଣା ବିଦ୍ୟୁତ ଲାଇନର ନବୀକରଣ କାର୍ଯ୍ୟ ସମାପ୍ତ ହୋଇଛି । ଏଥି ସହିତ ବୈଠକରେ ଖୁଂଟୁଣି ଗ୍ରୀଡ଼ ସବ୍ଷ୍ଟେସନ୍ର କ୍ଷମତା ବୃଦ୍ଧି କରାଯିବା ପାଇଁ ଓପିଟିସିଏଲ୍ର ସିଏମ୍ଡି ଶ୍ରୀ ଏସ୍.କେ. ମିଶ୍ର ପ୍ରସ୍ତାବ ଦେଇଥିଲେ । ଆଠଗଡ଼ ଏନ୍ଏସିର ସମସ୍ତ ଅଂଚଳରେ ସ୍ୱତନ୍ତ୍ର ଷ୍ଟ୍ରିଟ୍ଲାଇଟ୍ ବ୍ୟବସ୍ଥା ନିମନ୍ତେ ଆସନ୍ତା ୩ ଦିନ ମଧ୍ୟରେ ଆଠଗଡ଼ ବିଦ୍ୟୁତ ଡିଭିଜନ୍ର ନିର୍ବାହୀ ଯନ୍ତ୍ରୀ ବ୍ୟୟ ଅଟକଳ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ପଠାଇବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ଏଥି ସହିତ ଆଠଗଡ଼ ଓ ତିଗିରିଆ ବ୍ଲକ୍ରେ ବୃଦ୍ଧି ପାଉଥିବା ବିଦ୍ୟୁତ ଚାହିଦାକୁ ମେଂଟାଇବା ପାଇଁ ବର୍ତମାନର ଟ୍ରାନ୍ସଫର୍ମରକୁ ପରିବର୍ଦ୍ଧିତ କରିବା ଓ ଅତିରିକ୍ତ ଟ୍ରାନ୍ସଫର୍ମର ସ୍ଥାପନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ତିଗିରିଆ ବ୍ଲକ୍ର ୯ଟି ଗ୍ରାମପଂଚାୟତରେ ଷ୍ଟ୍ରିଟ୍ଲାଇନ୍ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଛି ଓ ବାକିଥିବା ଷ୍ଟ୍ରିଟ୍ଲାଇଟ୍ ନିର୍ମାଣ କାର୍ଯ୍ୟ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥି ସହିତ ବୈଠକରେ ସଂପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକରେ ବିଦ୍ୟୁତ ସଂଯୋଗ, ପାଚେରୀ ନିର୍ମାଣ, ନାରଙ୍ଗବସ୍ତା, କଖଡ଼ି, ସର୍ପେର୍ଶ୍ୱର, କୁମାରପୁର ଏବଂ ଗୁରୁଡ଼ିଝାଟିଆ ଅଂଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା ହୋଇଥିଲା । ଧବଳେଶ୍ୱରଠାରେ ମହାନଦୀରେ ପୋଲ ନିର୍ମାଣ ନିମନ୍ତେ ଏକ ଯୁଗ୍ମ କମିଟି ଦ୍ୱାରା ସର୍ଭେ କରାଯାଇ ବିଦ୍ୟୁତ ଲାଇନ୍ ଏବଂ ସବ୍ଷ୍ଟେସନ୍ର ସ୍ଥାନାନ୍ତରଣ କାର୍ଯ୍ୟ ନିମନ୍ତେ ଆସନ୍ତା ଏକ ମାସ ମଧ୍ୟରେ ଡିପିଆର୍ ଚୂଡ଼ାନ୍ତ କରାଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ବୈଠକରେ ଓପିଟିସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏସ୍.କେ. ମିଶ୍ର, ଓପିଟିସିଏଲ୍ର ନିର୍ଦ୍ଦେଶକ (ଅପରେସନ୍) ଶ୍ରୀ ୟୁ.କେ. ପତି, ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ଲିପ୍ସା ଦାସଙ୍କ ସମେତ କଟକ ଓ ଆଠଗଡ଼ ବିଦ୍ୟୁତ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ, ନର୍ବାହୀ ଯନ୍ତ୍ରୀ, ରୁରାଲ୍ ୱାର୍କସ୍, କଟକର ଅଧୀକ୍ଷଣ ଯନ୍ତ୍ରୀ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ, ଆଠଗଡ଼ ଉପଜିଲ୍ଲାପାଳ ପ୍ରମୁଖ ଯୋଗଦେଇଥିଲେ ।