ବାଲେଶ୍ୱର : ୮୦ଲକ୍ଷର ବ୍ରାଉନସୁଗାର ଜବତ, ୩ ବେପାରୀ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଥମିବାର ନାଁ ନେଉନି ବ୍ରାଉନ୍ସୁଗାର ବେପାର । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଉଠିଛନ୍ତି ବେପାରୀ । ଅବକାରୀ ବିଭାଗ ପକ୍ଷରୁ ଯେତେ ଚଢ଼ାଉ କରାଯାଉଥିଲେ ବି ବେପାରୀ ମାନେ ବ୍ରାଉନସୁଗାର ଚାଲାଣ ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି । ରାତାରାତି ମାଲେମାଲ ହେବା ଆଶାରେ ବେପାରୀ ମାନେ ଏହି ବେପାର ଛାଡ଼ିବାକୁ ସମ୍ପୂର୍ଣ୍ଣ ଅମଙ୍ଗ ।
ବାଲେଶ୍ୱର ୬୦ ନଂ. ଜାତୀୟ ରାଜପଥରେ ବୁଧବାର ବ୍ରାଉନସୁଗାର ଚାଲାଣ ହେଉଥିବା ଖବର ପାଇ କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି । ଜଳେଶ୍ୱର ଓ ବସ୍ତା ଅବକାରୀ ଥାନା ସହଯୋଗରେ ରାଜପଥର ରାଜଘାଟ ଓ ଜଳେଶ୍ୱର ନିକଟରେ ଚଢ଼ାଉ କରାଯାଇ ପ୍ରାୟ ୮୦୦ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ବେପାରୀ ହେଲେ ସିଂଲା ଥାନା ମୁଗପାଳ ଗ୍ରାମର ପରେଶ ଦାସ, ଦେଭୋଗ ଗ୍ରାମର ସେକ ସେକୁରୁଦ୍ଦିନ ଏବଂ ଜଳେଶ୍ୱର ଥାନା ଶାସନବାର୍ଡ଼ ଗ୍ରାମର ସେକ ମୁସ୍ତାଫା । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏ ସଂକ୍ରାନ୍ତରେ ଅବକାରୀ ଥାନାରେ ଏକ ମାମଲା ରୁଜୁ ହୋଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।