ଋଣଭାର ସହିନପାରି ବିଷ ପିଇଲେ ପରିବାରର ୬ ସଦସ୍ୟ : ୫ ମୃତ, ଜଣେ ଗୁରୁତର
![](https://thetruths.in/wp-content/uploads/2022/11/family-drank-poison.jpg)
ନୂଆଦିଲ୍ଲୀ : ଅଭାବନୀୟ ଘଟଣା । ଋଣଭାର ସହିନପାରି ବିଷ ପିଇଦେଲେ ଗୋଟିଏ ପରିବାରର ୬ ସଦସ୍ୟ। ଯେଉଁଥିରେ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣକର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ବିହାର ନବାଦ ନଗର ଥାନା ଅଧୀନ ନ୍ୟୁ ଏରିଆରେ ଏଭଳି ଘଟଣା ଘଟିଛି।
ସୂଚନା ଯେ, କେଦାର ଲାଲ ଗୁପ୍ତା ଫଳ ଦୋକାନ ଚଳାଉଥିଲେ। ସେ ଅନେକ ଋଣ ନେଇଥିଲେ। ଋଣ ପାଇଁ ତାଙ୍କୁ ପ୍ରତାଡ଼ିତ କରାଯାଉଥିଲା। ଏଣେ ଦୁଶ୍ଚିନ୍ତାରେ ରହୁଥିଲେ ପରିବାର ।ଗତ ବୁଧବାର ବିଳମ୍ବିତ ରାତିରେ କେଦାର ଲାଲ ଗୁପ୍ତା, ପତ୍ନୀ ଏବଂ ୫ ପିଲାଙ୍କ ସହ ବିଷ ପିଇ ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ପୋଲିସ୍ ପହଞ୍ଚିବା ବେଳକୁ କେଦାର ଲାଲ ଜୀବିତ ଥିଲେ। ମୃତ୍ୟୁ ପୂର୍ବରୁ କେଦାର ଲାଲ ଗୁପ୍ତା ୧୦-୧୨ ଲକ୍ଷ ଟଙ୍କାର ଋଣ ଥିବା ନେଇ କହିଥିଲେ। କିନ୍ତୁ ଋଣକୁ ନେଇ ତାଙ୍କୁ ପ୍ରତାଡ଼ିତ କରାଯାଉଥିଲା। ଯାହାକୁ ନେଇ ସପରିବାର ବିଷ ଖାଇଥିଲେ। ତେବେ ହସ୍ପିଟାଲରେ ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ କେଦାର ଲାଲ ଗୁପ୍ତା, ପତ୍ନୀ ଅନିତା କୁମାରୀ ଏବଂ ତିନି ପିଲା ପ୍ରିନ୍ସ କୁମାର, ଶବନମ କୁମାରୀ ଏବଂ ଗୁଡ଼ିଆ କୁମାରୀ ସାମିଲ ଅଛନ୍ତି। ଯେତେବେଳେକି ଝିଅ ସାକ୍ଷୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି।
ବିଷ ପିଇବା ପୂର୍ବରୁ କେଦାର ଲାଲ୍ ଗୁପ୍ତାଙ୍କ ପୁଅ ପ୍ରିନ୍ସ ଏକ ଭିଡିଓ କରିଥିଲେ। ଏହି ଭିଡିଓ ସେ କହିଥିଲେ ଯେ ସେମାନେ କିଛି ଋଣ ନେଇଥିଲେ ଏବଂ ଋଣକୁ ନେଇ ସେମାନେ ଆମକୁ ପ୍ରତାଡ଼ିତ କରୁଥିଲେ। ଆମେ ଟଙ୍କା ସୁଝିବାକୁ କିଛି ସମୟ ମାଗିଥିଲୁ। କିନ୍ତୁ ଲୋକେ ମାନିବାକୁ ରାଜିନଥିଲେ ଏବଂ ବାରମ୍ବାର ଧମକ ଦେଉଥିଲେ। ଯାହାକୁ ନେଇ ଏବେ ସେମାନେ ବିଷ ଖାଇଛନ୍ତି।