ଆଇପିଏସଙ୍କ ସମେତ ୪ ପୋଲିସ ଅଧିକାରୀଙ୍କୁ ଜେଲ୍ ଦଣ୍ଡ
![](https://thetruths.in/wp-content/uploads/2022/06/Court-1024x683.jpg)
ହାଇଦ୍ରାବାଦ : ଏକ ଯୌତୁକ ନିର୍ଯାତନା ମାମଲାରେ ଅତ୍ୟଧିକ ଆଧିପତ୍ୟ ଦେଖାଇବା ଏବଂ କ୍ଷମତାର ଅପବ୍ୟବହାର କରି ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ହୋଇଛି ତାଙ୍କୁ ଅତ୍ୟଧିକ ନିର୍ଯାତନା ଦେଇଥିବାରୁ ଜଣେ ଆଇପିଏସ୍ ସମେତ ୪ ପୋଲିସ ଅଧିକାରୀଙ୍କୁ ତେଲେଙ୍ଗାନା ହାଇକୋର୍ଟ ଦୋଷୀସାବ୍ୟସ୍ତ କରି ଜେଲ ଦଣ୍ଡ ଦେଇଛନ୍ତି । ସେମାନଙ୍କୁ ୪ ସପ୍ତାହର ଜେଲ ଦଣ୍ଡ ଦେଇଛନ୍ତି । ୪ ପୋଲିସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ପୋଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା କୋର୍ଟ ସେମାନଙ୍କୁ ୨ ହଜାର ଟଙ୍କା ଜରିମାନା କରିଛନ୍ତି । ବୈବାହିକ ବିବାଦ ମାମଲାରେ ସମ୍ପୂର୍ଣ୍ଣ ଭାବେ ବେପରୁଆ ଏବଂ ଏକତରଫା ତଦନ୍ତ କରି ପୀଡିତାଙ୍କୁ ନିର୍ଯାତନା ଦେଇଥିବା ମାମଲାରେ ସେମାନଙ୍କୁ ଏହି ଦଣ୍ଡ ହୋଇଛି ।
ଜେଲଦଣ୍ଡ ପାଇଥିବା ଆଇପିଏସ ଅଫିସର ହେଉଛନ୍ତି ଏଆର ଶ୍ରୀନିବାସ । ସେ ହାଇଦ୍ରାବାଦର ଏସିପି । ଅନ୍ୟମାନେ ହେଉଛନ୍ତି ଏସପି ଏମ୍ ସୁଦର୍ଶନ , ଇନ୍ସପେକ୍ଟର ଏସ୍ ରାଜଶେଖର ରେଡି , ଏସ୍ଆଇ ନରେଶ । ସେମାନେ ବୈବାହିକ ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ମାନଦଣ୍ଡ ଉଲ୍ଲଂଘନ କରିଛନ୍ତି । କିନ୍ତୁ ଦଣ୍ଡାଦେଶ କରିଥିଲେ ସୁଦ୍ଧା କୋର୍ଟ ଏହାର କାର୍ଯ୍ୟକାରିତା ଉପରେ ୬ ସପ୍ତାହ ରୋକ୍ ଲଗାଇଛନ୍ତି । ଫଳରେ ସେମାନେ ଏହି ଦଣ୍ଡାଦେଶ ବିରୋଧରେ ଆବେଦନ କରିପାରିବେ । ଜୁବିଲି ହିଲ୍ସର ବିନୋଦ କୁମାର ରେଡ୍ଡି ଙ୍କ ଆବେଦନର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛି । ବିନୋଦ ନିଜ ମାଆ ସହ ବ୍ୟାଙ୍କକ୍ ରେ ରୁହନ୍ତି । ୨୦୧୧ରେ ବିନୋଦ ସୁମନ ନାମକ ଝିଅକୁ ବିବାହ କରିଥିଲେ । ପରେ ମତାନ୍ତର ହେବା ପରେ ୨୦୧୪ରେ ଅଲଗା ହେଇଗଲେ । ଏଠାରେ ସୂଚନା ଯୋଗ୍ୟ ଉଭୟଙ୍କ ପାଇଁ ଏହି ବିବାହ ଦ୍ୱିତୀୟ ବିବାହ ଥିଲା । ବିନୋଦଙ୍କ ପ୍ରଥମ ପତ୍ନୀଙ୍କ ଠାରୁ ଗୋଟିଏ ଝିଅ ଅଛି । ଝିଅର ବ୍ୟାଡମିଣ୍ଟନ ଟ୍ରେନିଂ ଦେବା ପାଇଁ ବ୍ୟାଙ୍କକରେ ରହୁଛନ୍ତି । ବିନୋଦ ବ୍ୟାଙ୍କକରେ ରହୁଥିବା ସମୟରେ ସୁମନ ବେଙ୍ଗାଲୁରୁରେ ଥିବା ସମ୍ପତ୍ତି ହାତେଇବା ପାଇଁ ଲାଗିପଡିଥିଲେ । ବିନୋଦ ଏନେଇ ଏକ ମାମଲା ରୁଜୁ ପରେ ସମ୍ପତ୍ତି କ୍ରୟ-ବିକ୍ରୟରେ ରୋକ ଲାଗିଥିଲା । ଏହାପରେ ୨୦୧୯ରେ ସୁମନ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଥିଲା । ଏହି ମାମଲାର ତଦନ୍ତ କରି ବିନୋଦକୁ ପୋଲିସ ଅତ୍ୟଧିକ ନିର୍ଯାତନା ଦେଇଛନ୍ତି । ବିନୋଦ ବ୍ୟାଙ୍କକ ରହୁଥିବା ଜାଣିବା ପରେ ମଧ୍ୟ ତାଙ୍କୁ ଫେରାର ଘୋଷଣା କରିଥିଲା ପୋଲିସ । ଆଇପିଏସ ଅଫିସର ଏଆର ଶ୍ରୀନିବାସ ନିଜ କ୍ଷମତା ବଳରେ ଲୁକଆଉଟ ନୋଟିସ ଜାରି କରିଥିଲା । ଏହିପରି କି ବିନୋଦକୁ ଅସ୍ତ୍ରଶସ୍ତ୍ର ଆଇନ ଅଧିନରେ ଫସାଇବାକୁ ପୋଲିସ ଚେଷ୍ଟା କରିଥିଲା । ଏହିପରି ଭାବରେ ଶ୍ରୀନିବାସ ଓ ପୋଲିସ ମିଳିତ ଭାବରେ କୋର୍ଟକୁ ଭୁଲ ତଥ୍ୟ ଦେବାକୁ ଚେଷ୍ଟା କରିଥିଲେ ।