ଆଜିଠୁ ଯୁକ୍ତ୨ ଖାତାଦେଖା ଆରମ୍ଭ ହେଲା
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଖାତା ମୂଲ୍ୟାୟନ ଆଜି ଠାରୁ ଆରମ୍ଭ ହୋଇଛି । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଖାତା ମୂଲ୍ୟାୟନରେ ପାଖାପାଖି ୧୫ ହଜାର ଅଧ୍ୟାପକ ଅଧ୍ୟାପିକା ସାମିଲ ହୋଇଛନ୍ତି । ବିଜ୍ଞାନ ଓ ବାଣିଜ୍ୟ ବିଭାଗ ବିଷୟଗୁଡ଼ିକର ଇ-ମୂଲ୍ୟାୟନ ଲାଗି ୩୯ଟି କେନ୍ଦ୍ର କରାଯାଇଛି । ମାନୁଆଲ୍ ମୂଲ୍ୟାୟନ ହେବାକୁ ଥିବା କଳା ଓ ଧନ୍ଦାମୂଳକ ବିଷୟଗୁଡ଼ିକ ଲାଗି ୬୫ଟି କେନ୍ଦ୍ର ହୋଇଛି ।ମୂଲ୍ୟାୟନ କେନ୍ଦ୍ରଗୁଡ଼ିକ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କୁହାଯାଇଛି । ମୂଲ୍ୟାୟନକାରୀ ଅଧ୍ୟାପକମାନେ ନିର୍ଧାରିତ ସମୟରେ କେନ୍ଦ୍ରରେ ପହଞ୍ଚିବେ । ପ୍ରତିଦିନର କାର୍ଯ୍ୟ ନ ସାରିବା ପର୍ଯ୍ୟନ୍ତ କେହି ବି କେନ୍ଦ୍ର ଛାଡ଼ିପାରିବେ ନାହିଁ । ଖାତା ଦେଖୁଥିବା ଅଧ୍ୟାପକଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟ ଏକ ରେଜିଷ୍ର୍ଟ୍ରରେ ଉଲ୍ଲେଖ କରାଯିବ । ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ୍ ଓ ବୈଦ୍ୟୁତିକ ସାମଗ୍ରୀ ପ୍ରବେଶ ଉପରେ କଟକଣା ଜାରି ହୋଇଛି ।