ଗବେଷଣାତ୍ମକ ରିପୋର୍ଟ ! ୨୫ ମିନିଟ୍ର ହଠ ଯୋଗ ବଢ଼ାଇବ ମସ୍ତିଷ୍କର କ୍ଷମତା

ଯୋଗ ଅନେକ ପ୍ରକାର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରେ। ଶାରୀରିକ ଓ ମାନସିକ କ୍ଷମତାକୁ ବୃଦ୍ଧି କରିବା ଲାଗି ଯୋଗାସନର ଅଭ୍ୟାସ ଚମତ୍କାର ଫଳାଫଳ ଦେଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତ୍ୟେକ ଦିନ ମାତ୍ର ୨୫ ମିନିଟ୍ର ଆସନ, ପ୍ରାଣାୟମ ଏବଂ ଧ୍ୟାନର ସଂଯୋଜନାଯୁକ୍ତ ଯୋଗାଭ୍ୟାସ୍ ମସ୍ତିଷ୍କର କାର୍ଯ୍ୟକ୍ଷମତା ଏବଂ ଶକ୍ତିର ସ୍ତରକୁ ବୃଦ୍ଧି କରେ। ସର୍ଭେରୁ ଜଣାପଡ଼ିଛି ଯେ ପ୍ରତ୍ୟେକ ଦିନ ହଠ ଯୋଗ କରିବା ଦ୍ବାରା ମସ୍ତିଷ୍କର କାର୍ଯ୍ୟକ୍ଷମତା ବୃଦ୍ଧି ପାଇବା ସହ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହେବା ପାଇଁ ମାନସିକ ଦୃଢ଼ତା ମିଳେ।
କାନାଡ଼ାର ଓଣ୍ଟାରିଓସ୍ଥିତ ୟୁନଭର୍ସିଟି ଅଫ୍ ୱାଟରଲୁର ସହାୟକ ପ୍ରଫେସର ପିଟର ହଲ୍ କହିଛନ୍ତି ଯେ ହଠ ଯୋଗ ଓ ଧ୍ୟାନ ଅଭ୍ୟାସରେ ପକାଇବା ଦ୍ବାରା ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ। ଏହାଦ୍ବାରା ବ୍ୟକ୍ତି ନିଜ ଜୀବନରେ ଯାହା କିଛି କରିବାକୁ ଚାହାନ୍ତି ତାହା ଉପରେ ଅଧିକ ଓ ସହଜରେ ଧ୍ୟାନ କେନ୍ଦ୍ରୀଭୂତ କରିପାରିବେ। ପାଶ୍ଚାତ୍ୟ ଦେଶରେ ଯୋଗର ସବୁଠାରୁ ଲୋକପ୍ରିୟ ପଦ୍ଧତିଗୁଡ଼ିକ ମଧ୍ୟରେ ହଠ ଯୋଗ ରହିଛି। ହଠ ଯୋଗରେ ଶାରୀରିକ ଗତିବିଧି ସହିତ ନିଶ୍ବାସ ପ୍ରଶ୍ବାସର ମଧ୍ୟ ନିୟନ୍ତ୍ରଣ କରାଯାଇଥାଏ। ସର୍ଭେରୁ ଜଣାପଡ଼ିଥିଲା ପ୍ରତ୍ୟେକ ଦିନ ୨୫ ମିନିଟ୍ ମସ୍ତିଷ୍କକୁ ଧ୍ୟାନ କେନ୍ଦ୍ରୀୟ କରିବା ଏବଂ ହଠ ଯୋଗ କରିବା ଦ୍ବାରା ଶୃଙ୍ଖଳିତ ଭାବେ ଲେଖାଯାଇ ନ ଥିବା କୌଣସି ଲେଖାକୁ ମଧ୍ୟ ଜଣେ ବ୍ୟକ୍ତି ସହଜରେ ପଢ଼ିପାରିବେ ବୋଲି ସହାୟକ ପ୍ରଫେସର ହଲ୍ କହିଛନ୍ତି।
ଯୋଗ ଏମିତି ଏକ ବିଜ୍ଞାନ ଯାହାଦ୍ବାରା ଅସାଧ୍ୟ ରୋଗରୁ ଆରୋଗ୍ୟ ଲାଭ କରିବାର ସମ୍ଭାବନା ରହିଛି। ଏହା କେବଳ ସବୁ ପ୍ରକାର ରୋଗରୁ ସୁରକ୍ଷା ଦେଇ ନ ଥାଏ ଶାରୀରିକ କାମ କରିବା ଲାଗି ମଧ୍ୟ ଆବଶ୍ୟକ ଶକ୍ତି ଯୋଗାଏ।