ବାହାଘର ବାଣ ଫୁଟାରୁ ଅଗ୍ନିକାଣ୍ଡ : ୧୨ କୋଠରୀ ଭସ୍ମୀଭୂତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
![](https://thetruths.in/wp-content/uploads/2023/02/Fire-at-Home-1024x457.jpg)
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବାହର୍ଦ୍ଦା ବସ୍ତିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଥିବା ଜଣାପଡ଼ିଛି ।
ପ୍ରକାଶ ଯେ, ସୋମବାର ଦ୍ୱିପ୍ରହରରେ ଉକ୍ତ ଗ୍ରାମକୁ ବିବାହ ପାଇଁ ବର ରୋଷଣୀ କରି ଆସୁଥିବା ବେଳେ ବାଣ ଲଗା ଯାଇଥିଲା । ଉକ୍ତ ବାଣରୁ ନିଆଁ ପ୍ରଥମେ ଏକ ଘର ଉପରେ ପଡ଼ିଥିଲା । ମାତ୍ର ଖରା ଯୋଗୁଁ ନିଆଁ ଦେଖାଯାଇ ନଥିଲା । କମ୍ ସମୟ ମଧ୍ୟରେ ସେହି ଘରକୁ ନିଆଁ ବ୍ୟାପି ଯାଇଥିଲା । କ୍ରମଶଃ ନିଆଁ ବ୍ୟାପିବାକୁ ଲାଗିବା ଫଳରେ ତାହାକୁ ଆୟତ୍ତ କରିବା ସମ୍ଭବ ପର ହୋଇନଥିଲା । ଏନେଇ ଲୋକେ ବସ୍ତା ଦମକଳବାହିନୀକୁ ଖବର ଦେଇଥିଲେ । ଖବର ପାଇ ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜନ ହୋଇଥିଲେ । ମାତ୍ର ଚାଳ ସବୁ ଶୁଖିଲା ଥିବାରୁ ନିଆଁକୁ ଆୟତ୍ତ କରାଯାଇ ପାରି ନଥିଲା । ଯାହା ଫଳରେ ସବୁ ପୋଡ଼ି ଛାରଖାର କରିଦେଇଥିଲା । ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ଏହି ଅଗ୍ନିକାଣ୍ଡରେ ଶେଖ୍ ରିୟାଜୁଦ୍ଦିନ, ଶେଖ୍ ଜୟରୁଦ୍ଦିନ, ହନିଫ୍ ଖାଁଙ୍କର ମୋଟ୍ ୧୨ ବଖରା ଘର ସହ ସମସ୍ତ ଆସବାବପତ୍ର ପୋଡ଼ି ଯାଇ ଥିବାବେଳେ ବାହାଘରରେ ଟେଣ୍ଟ ଦେଇଥିବା ଅବଦୁଲ ସାଜିଦଙ୍କ ସାଜ୍ଜସଜ୍ଜା ସାମଗ୍ରୀ ଏବଂ ସେକ୍ ଜୟରୁଦ୍ଦିନଙ୍କ ଘରେ ଭଡ଼ା ରହି ଫେରି କରୁଥିବା ନିଖିଳ ମଣ୍ଡଳଙ୍କ ସମସ୍ତ ବ୍ୟବସାୟୀ ସମାଗ୍ରୀ ପୋଡ଼ି ଛାରଖାର ହୋଇଥିବା ଜଣାପଡ଼ିଛି ।