ଜିଲା ମାନ୍ୟତା ଦାବି, ଆଜି ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ଡାକରା
![](https://thetruths.in/wp-content/uploads/2022/11/Titlagarh-Shutdown.jpg)
ଟିଟିଲାଗଡ଼ : ଟିଟିଲାଗଡ଼କୁ ଜିଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । ଜିଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡ଼ିଛି । ସମସ୍ତ ପ୍ରକାରର ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ । ଜିଲାରେ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଦୋକାନ, ବଜାର, ଯାନବାହାନ ଚଳାଚଳ ବନ୍ଦ ରହିବ ବୋଲି ସ୍ପଷ୍ଟ କରାଯାଇଛି । ସେହିପରି ସଇଁନ୍ତଳାକୁ ସବଡିଭିଜନ ଓ ସଇଁତଳା ବିଧାନସଭାର ପୁନଃ ଗଠନ ଦାବି ମଧ୍ୟ ଉଠିଛି ।
ଟିଟିଲାଗଡ଼କୁ ଜିଲା ମାନ୍ୟତା ନେଇ ଗତ ୩୦ ବର୍ଷ ଧରି ଦାବି ହୋଇ ଆସୁଛି । ଆଜିର ବନ୍ଦ ଆନ୍ଦୋଳନରେ ସମସ୍ତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ, ବଣିକ ସଂଘ ସାମିଲ ହେବେ । ସମସ୍ତ ଜରୁରୀକାଳୀ ସେବାକୁ ଛାଡ଼ି ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ଆବଶ୍ୟକ ପଡ଼ିଲେ ରୋଳ ରୋକ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି ।
ସୂଚନା ଯେ, ଆସନ୍ତା ମାସ ୫ ତାରିଖରେ ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପୂର୍ବରୁ ପଦ୍ମପୁରକୁ ଜିଲା ମାନ୍ୟତା ନେଇ ଦାବି କରାଯାଇଥିଲା । ଏହାପରେ ପଦ୍ମପୁରକୁ ଜିଲା ମାନ୍ୟତା ମିଳିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ । ଅନୁରୂପ ଭାବେ ରାଜ୍ୟର ଅନ୍ୟ କିଛି ଅଞ୍ଚଳର ବାସିନ୍ଦା ମଧ୍ୟ ନୂଆ ଜିଲା ପାଇଁ ଦାବି କରିଥିଲେ । ବାଲେଶ୍ୱର ଜିଲାର ଜଳେଶ୍ୱର, କେନ୍ଦୁଝର ଜିଲାର ଆନନ୍ଦପୁର, ରାୟଗଡ଼ ଜିଲା ଗୁଣୁପୁର, ଖୋର୍ଦ୍ଧା ଜିଲାର ଭୁବନେଶ୍ୱର, ଗଞ୍ଜାମ ଜିଲାର ବ୍ରହ୍ମପୁର, ସୁନ୍ଦରଗଡ଼ ଜିଲାର ରାଉରକେଲା, ମୟୁରଭଞ୍ଜ ଜିଲାର ରାଇରଙ୍ଗପୁରକୁ ଜିଲା ମାନ୍ୟତା ନେଇ ପୂର୍ବରୁ ଦାବି ହୋଇ ଆସୁଛି ।