ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ ରାଜ୍ୟ କମିଟି ବୈଠକ ଅନୁଷ୍ଠିତ : ଆଗାମୀ ବିଧାନସଭା ଅଧିବେଶନରେ ଆଶାକର୍ମୀ ଘେରିବେ ବିଧାନସଭା
ଭୁବନେଶ୍ୱର : ଆଜି ନିଖିଳ ଓଡ଼ିଶା ଆଶାକର୍ମୀ ସଂଘର ରାଜ୍ୟ କମିଟି ବୈଠକ ଏଆଇଟିୟୁସି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ରାଜ୍ୟର ଗର୍ଭବତୀ ମହିଳାଙ୍କ ସୁରକ୍ଷିତ ପ୍ରସବ ଓ ଜନ୍ମିତ ସନ୍ତାନର ସୁରକ୍ଷା ସହ ମହାମାରୀ ମୁକାବିଲାରେ ନିଜ ଜୀବନକୁ ବିପନ୍ନ କରି ଜନଗଣଙ୍କ ଜୀବନ ରକ୍ଷା ଦାୟିତ୍ୱ ତୁଲାଇଥିବା ବେଳେ, ଆଶାକର୍ମୀଙ୍କ ପରିଶ୍ରମର ଉଚିତ ପାରିଶ୍ରମିକ ନ ଦେଇ ଶ୍ରମ ସଫଳତାର ଶ୍ରେୟ ସରକାର ନେଇ ନିର୍ବାଚନ ଜିଣୁଛନ୍ତି । କିନ୍ତୁ ଆଶାକର୍ମୀଙ୍କ ହକ୍ ଅଧିକାର, ଭରତୀୟ ଶ୍ରମ ସମ୍ମିଳନୀର ସୁପାରିଶ ମୁତାବକ ୱାର୍କର ମାନ୍ୟତା, ମାସିକ ସର୍ବନିମ୍ନ ୨୬ ହଜାର ଟଙ୍କା ଭତ୍ତା ଓ ବିଭିନ୍ନ ସାମାଜିକ ନିରାପତ୍ତା ଦାବିରେ ଦୁର୍ବାର ଆନ୍ଦୋଳନ ପାଇଁ ସଂକଳ୍ପ ନିଆଯାଇଛି । ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ସଭାପତି ବିଜୟ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କମିଟି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦିକା ନମିତା ସାହୁ ଓ ଉପସାଧାରଣ ସମ୍ପାଦିକା ମାତିଲଦା କୁଲୁ ବକ୍ତବ୍ୟ ଦେଇ ଆଶାକର୍ମୀଙ୍କ ସମସ୍ୟା ସମାଧାନ ପାଇଁ ପିଏଚ୍ସି, ସିଏଚ୍ସି, ଜିଲ୍ଲା ମୁଖ୍ୟ ଚିକିତ୍ସା ସ୍ତରରୁ ବ୍ୟାପକ ପ୍ରଚାର, ସ୍ୱାକ୍ଷର ସଂଗ୍ରହ ସହ ବିଧାନସଭା ଅଚଳ କରିବାର ଶକ୍ତି ସଞ୍ଚୟ କରିବାକୁ ପ୍ରସ୍ତାବ ଆଗତ କରିଥିଲେ । ଆଗାମୀ ନଭେମ୍ବର ୧୧, ୧୨ ଓ ୧୩ ତିନିଦିନ ଧରି ଏଆଇଟିୟୁସିର ୧୩ଶ ରାଜ୍ୟ ସମ୍ମିଳନୀ ରାଉରକେଲାରେ ଅନୁଷ୍ଠିତ ହେଉଥିବାରୁ ଏଥିପାଇଁ ପ୍ରତିନିଧି ନିର୍ବାଚନ କରାଯାଇଛି । ୧୧ ନଭମ୍ବର ଦିନ ସେକ୍ଟର-୨ ବସ୍ଷ୍ଟାଣ୍ଡ୍ ନିକଟରୁ ଦିନ ୧୧ଟାରେ ବିଶାଳ ଶ୍ରମିକ ଶୋଭାଯାତ୍ରାରେ ବହୁ ସଂଖ୍ୟକ ଆଶାକର୍ମୀ ଯୋଗଦେବା ପାଇଁ ଆହ୍ୱାନ ଦିଆଯାଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନବ ନିର୍ବାଚିତ ରାଜ୍ୟ ସମ୍ପାଦକ କମ୍ରେଡ ଅଭୟ ସାହୁ ଏବଂ ସଂଘ ସଭାପତି ବିଜୟ ଜେନାଙ୍କୁ ସଂଘ ତରଫରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମ୍ବର୍ଦ୍ଧନା ଉତ୍ତରରେ ନବ୍ୟ ଉଦାରବାଦୀ ଅର୍ଥନୀତି ମାର୍ଗରେ ସାମ୍ପ୍ରତିକ କ୍ଷମତା କେନ୍ଦ୍ର ରାହୁ ପୁଞ୍ଜିପତିଙ୍କୁ ଲାଭଦେବା ପାଇଁ ଦେଶର ଶ୍ରମିକ ଶ୍ରେଣୀ ଉପରେ ନଗ୍ନ ଆକ୍ରମଣ କରିଚାଲିଛନ୍ତି । ଏହାର ମୁକାବିଲା ପାଇଁ ଶକ୍ତିଶାଳୀ ଏଆଇଟିୟୁସି ହିଁ ଏକମାତ୍ର ରାସ୍ତା ବୋଲି ଅଭୟ ସାହୁ ଆହ୍ୱାନ ଦେଇଛନ୍ତି । ଏହି ବୈଠକରେ ମାରିଆନା ମିଞ୍ଜ, ସିମ୍ପ୍ରଞ୍ଜା ବାଡା, ତୀର୍ଥ ପ୍ରଧାନ, ମାଧବୀ ବେହେରା, ପ୍ରେମଲତା ନାଗର, ଟିକେଶ୍ୱରୀ ପାଣ୍ଡେ, ସନ୍ତୋଷିନୀ ପଟ୍ଟନାୟକ, ଟୁନୀ ମାନସିଂହ ଓ ଗୀତାଞ୍ଜଳୀ ସ୍ୱାଇଁ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ବୈଠକ ପ୍ରାରମ୍ଭରେ ଦିବଂଗତ ନେତୃତ୍ୱଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।