ମୃତ୍ୟୁ ଶୂନ୍ୟ ସପ୍ତାହ: ତୃତୀୟ ଦିନରେ ୧୦ ମୃତ ୧୮ ଲକ୍ଷ ଟଙ୍କା ଜରିମାନା ଆଦାୟ, ୫୨୯ ଡିଏଲ ବାତିଲ ପାଇଁ ସୁପାରିିଶ
କଟକ : ରାଜ୍ୟ ପରିବହନ କର୍ତ୍ତୃପକ୍ଷ, ଓଡିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପି ଆରମ୍ଭ ହୋଥିବା ମୃତ୍ୟୁ ଶୂନ୍ୟ ସପ୍ତାହ ଅଭିଯାନର ତୃତୀୟ ଦିନରେ ଚଢଉ ଜୋରଦାର ଜାରିରହିଛି । ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦ ଜଣଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନୁଗୁଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଗଜପତିରେ ୧, ଗଞ୍ଜାମରେ ୨, ବାଲେଶ୍ୱରରେ ୧, ମୟୁରଭଂଜରେ ୧, ବରଗଡରେ ୨, ଝାରସୁଗୁଡାରେ ୧ ଓ ଭୁବନେଶ୍ୱରରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ପ୍ରଥମ ଦୁଇ ଦିନରେ୯ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ତୃତୀୟ ଦିନରେ ମୋଟ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ତୃତୀୟ ଦିନରେ ରାଜ୍ୟବ୍ୟାପି ହୋଇଥିବା ଯାଂଚରେ ମୋଟ ୭୦୨୦ ଚାଲାଣ କଟାଯାଇଛି । ସମୁଦାୟ ୧୮ ଲକ୍ଷ ୩୪ ହଜାର ୧୮୩ ଟଙ୍କା ଜରିମାନା ଆଦାୟ କରାଯାଇଛି । ଦ୍ରୁତଗତିରେ ଗାଡି ଚାଳନା ପାଇଁ ୬୭୦ଟି ଚାଲାଣ କଟାଯାଇଛି । ବିନା ହେଲମେଟରେ ଗାଡି ଚାଳନା ପାଇଁ ୪୨୦୨ଟି ଚାଲାଣ, ବିନା ସିଟ ବେଲ୍ଟରେ ଗାଡି ଚାଳନା ପାଇଁ ୪୭୩ଟି ଚାଲାଣ, ଗାଡି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର ପାଇଁ ୧୩୩ଟି ଚାଲାଣ, ମଦ୍ୟପାନ କରି ଗାଡି ଚଳାଇବାରେ ୨୯୩ଟି ଚାଲାଣ, ମାଲ ପରିବହନ ଗାଡିରେ ଯାତ୍ରୀ ନେବା ପାଇଁ ୧୬ଟି ଚାଲାଣ, ଓଭର ଲୋଡ ପାଇଁ ୧୨୩ଟି ଚାଲାଣ, ତିନିଜଣିଆ ଗାଡି ଚାଳନା ପାଇଁ ୨୪୪ଟି ଚାଲାଣ, ଭୁଲ ମାର୍ଗରେ ଗାଡି ଚାଳନା ପାଇଁ ୩୮ଟି ଚାଲାଣ, ନାବାଳକ ନାବାଳିକା ଗାଡି ଚାଳନା ପାଇଁ ୧୬ଟି ଚାଲାଣ କଟାଯାଇଛି । ସେହିଭଳି ଆଜି ୫୨୯ ଟି ଡ୍ରାଇଭିଂ ଲାଇସେନ୍ସ ବାତିଲ ପାଇ ସୁପାରିଶ କରାଯାଇଥିବା ବେଳେ ୧୨୧ଟି ଗାଡି ଜବତ କରାଯାଇଥିବା ଜଣାପଡିଛି ।