କୋହଲିଙ୍କୁ ଗୋଲ୍ଡେନ ସୁ ଦେଲେ ଯୁବରାଜ ସିଂ
![](https://thetruths.in/wp-content/uploads/2022/02/Yuvraj-Singh-gave-Virat-Kohli-a-gold-Shoe.jpg)
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବ ଅଲରାଉଣ୍ଡର ଖେଳାଳି ଯୁବରାଜ ସିଂ ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ବିରାଟ କୋହଲିଙ୍କ ପାଇଁ ଏକ ଭାବପୂର୍ଣ୍ଣ ମେସେଜ ଲେଖିଛନ୍ତି। ଏହି ଚିଠିରେ ଯୁବରାଜ ସିଂ ବିରାଟ କୋହଲିଙ୍କୁ ତାଙ୍କ କ୍ରିକେଟ କ୍ୟାରିୟରକୁ ନେଇ ବହୁତ ପ୍ରଶଂସା କରିଛନ୍ତି। ଯୁବରାଜ ସିଂ ସେହି ଚିଠିରେ ଲେଖିଛନ୍ତି ଯେ, ସେ ନିଜ ଆଖିରେ ବିରାଟଙ୍କୁ କ୍ରିକେଟରେ ଭବିଷ୍ୟତ ଗଢିବାରେ ଦେଖିଛନ୍ତି। କେବଳ ଏତିକି ନୁହେଁ ବିରାଟ କୋହଲିଙ୍କ ଅନୁଶାସନ ସହ ଖେଳ ପାଇଁ ସମର୍ପଣ କୁ ଖୁବ ପ୍ରଶଂସା କରିଛନ୍ତି। ଯୁବରାଜ ସେହି ଚିଠିରେ ଲେଖିଛନ୍ତି ଯେ, ତୁ ମୋ ପାଇଁ ସବୁବେଳେ ଚିକୁ ହିଁ ରହିବୁ ଆଉ ପୁରା ଦୁନିଆ ପାଇଁ କିଙ୍ଗ କୋହଲି।
ଚିଠିରେ ଯୁବରାଜ ଲେଖିଛନ୍ତି ଯେ, ବିରାଟ ମୁଁ ତୁମର କ୍ୟାରିଅରକୁ ମୋ ଆଖି ସାମ୍ନାରେ ଦେଖିଛି। ତୁମ ବ୍ୟକ୍ତିତ୍ୱକୁ ଦେଖିଛୁ। ତୁମେ ଏକ ଯୁବ ଖେଳାଳି ଥିଲ ଯିଏ ସମୟ ସହିତ ପରିସ୍ଥିତି ସହିତ ନିଜକୁ ଖାପ ଖୁଆଇ ଟିମର ଏକ ମହାନ ଖେଳାଳି ହୋଇପାରିଲ। ଯାହାଫଳରେ ନୂଆ ଖେଳାଳି ମାନେ ତୁମକୁ ଅନୁସରଣ କରୁଛନ୍ତି ଆଉ ତୁମ ପରି ହେବାକୁ ଚାହୁଁଛନ୍ତି। ଏହି ଚିଠିରେ ଭାବପ୍ରବଣ ମେସେଜ ସହ ବିରାଟଙ୍କୁ ଗୋଲ୍ଡେନ ସୁ ଗିଫ୍ଟ କରିଛନ୍ତି। ଯୁବରାଜ ଲେଖିଛନ୍ତି ଯେ, ତମ ବଳିଦାନ ଓ ଯୋଗଦାନ ପାଇଁ ମୋ ତରଫରୁ ଏକ ଛୋଟ ଗିଫ୍ଟ। ଟିମ ଇଣ୍ଡିଆକୁ ୨ ଟି ବିଶ୍ୱକପ ଦେବା ନେଇ ଯୁବରାଜଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ମହାନ ଖେଳାଳି ଚିଠିରେ ଏହା ବି ଲେଖିଛନ୍ତି ତୁମର ନେଟ ପ୍ରାକ୍ଟିସ ବେଳେ ଅନୁଶାସନ, ଫିଲ୍ଡରେ ତୁମର ପ୍ୟାସନ ଆଉ ଖେଳ ପ୍ରତି ତୁମର ସମର୍ପଣ ସମସ୍ତଙ୍କ ମନେ ରହିବ। ବିରାଟ କୋହଲି ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟରେ ୧୦୦ ତମ ମ୍ୟାଚ ଖେଳିବେ। ଯାହା ଉପରେ ସମସ୍ତଙ୍କ ନଜର ରହିଛି।
ସୂଚନା ଯେ, ବିଗତ କିଛିଦିନ ତଳେ ଭାରତୀୟ ଟିମର ଟେଷ୍ଟ ଫର୍ମାଟରୁ ନିଜ କ୍ୟାପ୍ଟେନ୍ସି ଛାଡିଛନ୍ତି ବିରାଟ କୋହଲି। ଏହି ଫର୍ମାଟରେ ବିରାଟ କୋହଲିଙ୍କ ଯୋଗଦାନ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବୋଲି ଧରାଯାଏ। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ ପ୍ରଥମ ଥର ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ଜିତିଥିଲା। ବିରାଟଙ୍କ ପ୍ରଶଂସା କରି ଯୁବରାଜ କହିଛନ୍ତି ଯେ, ତୁମେ ପ୍ରତିବର୍ଷ ଖେଳକୁ ଆଗକୁ ବଢାଇଛ। ତୁମେ ତୁମ ଖେଳରୁ ବହୁତ କିଛି ପାଇଛ। ତୁମେ ଜଣେ ମହାନ କ୍ୟାପଟେନ ଓ ଲିଡର ମଧ୍ୟ।