ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ
ନୂଆଦିଲ୍ଲୀ : ଯୋଗୀ ଆଦିତ୍ୟନାଥଙ୍କୁ ଉତରପ୍ରଦେଶ ବିଧାନସଭାରେ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇଛି । କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଲକ୍ଷ୍ନୌର ଲୋକ ଭବନରେ ହୋଇଥିବା ବିଜେପିର ବିଧାୟକ ଦଳ ବୈଠକରେ ଯୋଗୀ ଆଦିତ୍ୟ ନାଥଙ୍କୁ ବିଧାୟକ ଦଳ ନେତା ଭାବେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଏହି ବୈଠକରେ ସୁରେଶ ଖାନ୍ନା ଯୋଗୀ ଆଦିତ୍ୟନାଥଙ୍କ ନାମକୁ ସୁପାରିସ କରିଥିଲେ ।
ଯୋଗୀ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହାପୂର୍ବରୁ ସେ ଗୁରୁବାର ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ରାଜଭବନରେ ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିବେ । ଏହି ଅବସରରେ ବିଜେପି ସହିତ ମେଂଟ କରିଥିବା ସମସ୍ତ ୨୭୩ ଜଣ ବିଧାୟକଙ୍କର ହସ୍ତାକ୍ଷର ପତ୍ର ସେ ରାଜ୍ୟପାଳ ଆନନ୍ଦୀ ବେନ ପଟେଲଙ୍କୁ ପ୍ରଦାନ କରିବେ । ଏହି ବିଧାୟକ ଦଳ ବୈଠକରେ ବିଜେପି ସହିତ ମେଂଟରେ ସହଯୋଗ କରିଥିବା ସମସ୍ତ ରାଜନୈତିକ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ । ବିଜେପି ନେତାମାନଙ୍କ ସହିତ ମଂଚରେ ‘ଅପନା ଦଳ’ର ଅଧ୍ୟକ୍ଷା ଅନୁପ୍ରିୟା ପଟେଲଙ୍କ ସ୍ୱାମୀ ଆଶିଷ ପଟେଲ, ଓ ନିଷାଦ ପାର୍ଟିର ଅଧ୍ୟକ୍ଷ ସଞ୍ଜୟ ନିଷାଦ ମଧ୍ୟ ଉପସ୍ଥିତ ଥିଲେ । ଉତରପ୍ରଦେଶରେ ବିଜେପି ଏଥର ଅପନା ଦଳ, ଓ ନିଷାଦ ପାର୍ଟି ସହିତ ମିଶି ନିର୍ବାଚନ ଲଢ଼ିଥିଲା ।
ବିଧାୟକ ଦଳ ବୈଠକ ପୂର୍ବରୁ ଗୁରୁବାର ଦ୍ୱିପ୍ରହରେ ଅମିତ ଶାହା ଲକ୍ଷ୍ନୌରେ ପହଂଚିବା ପରେ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ୱାଗତ କରିଥିଲେ । ଲୋକଭବନକୁ ଆସିବା ପୂର୍ବରୁ ଅମିତ ଶାହା ରାଜ୍ୟ ବିଜେପି ମୁକ୍ଷାଳୟକୁ ଯାଇଥିଲେ । ସେଠାରେ ପହଂଚିବା ପରେ ସେ ବିଜେପିର କୋର କମିଟି ବୈଠକରେ ଯୋଗ ଦେଇଥିଲେ । ବୈଠକରେ ସହ ପର୍ଯ୍ୟବେକ୍ଷକ ରଘୁବର ଦାସ, କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଧା ମୋହନ ସିଂହ, ସୁନିଲ ବଂଶଲ, ସ୍ୱତନ୍ତ୍ର ଦେବ ସିଂହ, କେଶବ ପ୍ରସାଦ ମୌର୍ଯ୍ୟ, ଇତ୍ୟାଦି ବିଜେପିର ପ୍ରମୁଖ ନେତା ଉପସ୍ଥିତ ଥିଲେ ।