ପ୍ରବଳ ବର୍ଷା ନେଇ ୧୪ ଜିଲାକୁ ୟେଲୋ ୱାର୍ଣ୍ଣିଂ, ୨୬ରୁ ପାଗ ଶୁଖିଲା
ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରୁ ଗାଏବ୍ ହୋଇଯିବ ମୌସୁମୀ
ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ ବର୍ଷା ଲାଗି ରହିଛି। ଏହାରି ମଧ୍ୟରେ ଆଜି ପ୍ରବଳ ବର୍ଷା ନେଇ ୧୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଜିଲାମାନଙ୍କ ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ନୟାଗଡ଼, ବୌଦ୍ଧ ଓ କନ୍ଧମାଳ ସାମିଲ । ସେହିପରି ୨୫ ତାରିଖ ଦିନ ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, ଜଗତସିଂହପୁର ଓ ପୁରୀ ଜିଲାରେ ବର୍ଷା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ଆସନ୍ତା ୨ଦିନ ପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି। ୨୬ ତାରିଖ ପରେ ପାଗ ଖୁଖିଲା ଓ ଖରାଟିଆ ରହିବ। ମୌସୁମୀ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରୁ ଗାଏବ୍ ହୋଇଯିବ ବୋଲି ସୂଚନା ମିଳିଛି।
ତେବେ ମୌସୁମୀଜନିତ ନିମ୍ନ ଚାପରେଖା ଶନିବାର ଦିନ କୋଟା, ଦାମୋ, ପେନ୍ଦ୍ରା ରୋଡ୍, ଗୋପାଳପୁର ଦେଇ ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଲମ୍ବିଛି। ଶନିବାର ଦିନ ଢେଙ୍କାନାଳ, କଟକ ଓ ଅନୁଗୁଳ ଆଦି ଜିଲ୍ଲାର କିଛି ସ୍ଥାନରେ ଭୀଷଣ ବର୍ଷା ହୋଇଛି। ଉପକୂଳ ସମେତ ସାରା ରାଜ୍ୟରେ ବି ବର୍ଷା ସହ ମେଘୁଆ ପାଗ ଜାରି ରହିଛି। କିନ୍ତୁ ଆଜି ଓ ୨୫ ତାରିଖ ଦିନ ବର୍ଷାର ପ୍ରଭାବ କମ୍ ରହିବ। ୨୬ ତାରିଖ ପରେ ପାଗ ଶୁଖିଲା ଓ ଖରାଟିଆ ରହିବ। ମୌସୁମୀ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରୁ ଗାଏବ୍ ହୋଇଯିବ ବୋଲି ସୂଚନା ମିଳିଛି।