ସିବିଏସଇ ଦଶମ ଟପ୍ପର ଶ୍ରେୟାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଓଡ଼ିଶାର ଶ୍ରେୟା ପଟ୍ଟନାୟକ ଶତ ପ୍ରତିଶତ ମାର୍କ ଆଣିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରେୟାଙ୍କ ଏହି ଉଲ୍ଲେଖନୀୟ ସଫଳତା ସାରା ଓଡ଼ିଶାକୁ ଗର୍ବିତ କରିଛି। ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସଫଳତା ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଶ୍ରେୟାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ସୁହାନା ଯେ, ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରୀ ଶ୍ରେୟା ପଟ୍ଟନାୟକ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ନମ୍ବର ରଖିଛନ୍ତି। ସେ ଏହି ପରୀକ୍ଷାରେ ୧୦୦ ପ୍ରତିଶତ ନମ୍ବର ହାସଲ କରିଛନ୍ତି । ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ଶ୍ରେୟା । ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ସେ ପ୍ରସ୍ତୁତ ହେବେ ବୋଲି କହିଛନ୍ତି । କୋଭିଡ୍ ସମୟରେ ଅନ୍ଲାଇନ୍ରେ ସେ ପାଠ ପଢାରେ ମନୋନିବେଶ କରିଥିଲେ । ପରେ ଅଫ୍ଲାଇନ୍ ପଢା ବେଳେ ସେ ବେଶ୍ ମନଧ୍ୟାନ ଦେଇ ପଢୁଥିଲେ । ଶ୍ରେୟାଙ୍କ ସଫଳତାରେ ତାଙ୍କର ପିତା ମାତା ବେଶ୍ ଖୁସୀ । ଦଶମ ଶ୍ରେଣୀ କ୍ୟାରିୟର ଆରମ୍ଭର ମୂଳଦୁଆ ହୋଇଥିବା ବେଳେ ଶ୍ରେୟା ଆହୁରି ପରିଶ୍ରମ କରି ରାଜ୍ୟର ନାମ ରଖନ୍ତୁ ବୋଲି ତାଙ୍କର ପିତାମାତା ଇଚ୍ଛା ପ୍ରକାଶ କରିଛନ୍ତି ।