ଆତଙ୍କବାଦ ସହ ବିଶ୍ୱ କଦାପି ସାଲିସ୍ କରିବା ଉଚିତ ନୁହେଁ
ନ୍ୟୁୟର୍କ : ନ୍ୟୁୟର୍କରେ ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ଅନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ପ୍ରତି ବିପଦ ସଂକ୍ରାନ୍ତରେ ଜାତିସଂଘ ନିରାପତ୍ତା ପରିଷଦରେ ଅଧ୍ୟକ୍ଷତା କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ଏହି ଅବସରରେ ସେ କହିଛନ୍ତି ଯେ, ଆତଙ୍କବାଦ ସହ ବିଶ୍ୱ କଦାପି ସାଲିସ୍ କରିବା ଉଚିତ ନୁହେଁ । ଯେକୌଣସି ପ୍ରକାର ଆତଙ୍କବାଦ ହେଉନା କାହିଁକି, ତାକୁ ଦୃଢ଼ ନିନ୍ଦା କରାଯିବା ସଙ୍ଗେ ସଙ୍ଗେ ସନ୍ତ୍ରାସବାଦୀ କାର୍ଯ୍ୟକଳାପକୁ କଦାପି ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ସେହିପରି ଗତ ୨୦୦୮ ମୁମ୍ବାଇ ଆତଙ୍କୀ ଆକ୍ରମଣ ଓ ୨୦୧୬ ପଠାନକୋଟ ବିମାନଘାଟିରେ ଆକ୍ରମଣ ସମେତ ଭାରତ ଆତଙ୍କବାଦର ମୁକାବିଲା କରି ଅନେକ ଲୋକଙ୍କ ଜୀବନ ରକ୍ଷା କରିବାରେ ସମର୍ଥ ହୋଇଛି । ଏହି ଆକ୍ରମଣଗୁଡ଼ିକରେ ଲୋକଙ୍କର ଜୀବନ ହାନୀର ଦୁଃଖକୁ ମଧ୍ୟ ଭାରତ ସହ୍ୟ କରିଛି। ସେ କହିଛନ୍ତି ଆତଙ୍କବାଦକୁ କୌଣସି ଧର୍ମ, ଜାତୀୟତା, ସଭ୍ୟତା କିମ୍ବା ଜାତିଆଣ ଗୋଷ୍ଠୀ ସହ ଯୋଡ଼ାଯିବା ଉଚିତ ନୁହେଁ। ଆତଙ୍କବାଦର ମୁକାବିଲା ପାଇଁ ଆଇନଗତ, ନିରାପତ୍ତା, ଆର୍ଥିକ ସହାୟତା ପ୍ରଦାନ ଏବଂ ଅନ୍ୟ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ଆତଙ୍କଦୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରି ପାଣ୍ଠି ସଂଗ୍ରହ କରିବା ସଙ୍ଗେ ସଙ୍ଗେ ନୂଆ ବ୍ୟକ୍ତିମାନଙ୍କୁ ନିଯୁକ୍ତ କରି ଆତଙ୍କବାଦୀ କାର୍ଯ୍ୟକଳାପକୁ କାର୍ଯ୍ୟକାରୀ କରୁଛନ୍ତି। ପରୋକ୍ଷରେ ପାକିସ୍ତାନକୁ ଆକ୍ଷେପ କରି ସେ କହିଛନ୍ତି କି କେତେକ ଦେଶ ସନ୍ତ୍ରାସବାଦର ମୁକାବିଲା ପାଇଁ ସାମୂହିକ ଉଦ୍ୟମରେ ସାମିଲ ହେଉନଥିବା ଅତ୍ୟନ୍ତ ଦୁଃଖର ବିଷୟ।