ଖୋଲିଲା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ
![](https://thetruths.in/wp-content/uploads/2023/01/Bhitarakanika-National-Park.jpg)
ରାଜନଗର : ଖୋଲିଲା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ୧୧ ଦିନ ବନ୍ଦ ପରେ ଆଜି ସକାଳୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ରବିବାର ସକାଳ ୭ଟା ବେଳେ ଖୋଲିବା ପରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହେଲାଣି। ଏହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି।
ସୂଚନା ଯେ, ଗତ ୪ରୁ ୧୪ ତାରିଖ ଯାଏ ୧୧ ଦିନ ଧରି ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା ଚାଲିଥିଲା। ବରିଷ୍ଠ ଜୀବ ବିଜ୍ଞାନୀ, ଗବେଷକ, କୁମ୍ଭୀର ବିଶାରଦ ଡଃ ସୁଧାକର କରଙ୍କ ନେତୃତ୍ୱରେ ୨୨ଟି ଟିମ୍ କୁମ୍ଭୀର ଗଣନା କରିଥିଲେ। ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳରେ ୧୭୮୪ଟି ବଉଳାକୁମ୍ଭୀର ଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୧୭୯୩କୁ ବୃଦ୍ଧି ପାଇଛି। ଅର୍ଥାତ୍ ଗତବର୍ଷ ଠାରୁ ଚଳିତବର୍ଷ ୯ଟି କୁମ୍ଭୀର ଅଧିକ ଥିବା ଚଳିତବର୍ଷର କୁମ୍ଭୀର ଗଣନା ରିପୋର୍ଟରୁ ଜଣାପଡ଼ିଛି। ଏଥିସହ ଚଳିତବର୍ଷ କୁମ୍ଭୀର ଗଣନା ସମୟରେ ଭିତରକନିକା ନଦୀ ନାଳରେ ଧଳା କୁମ୍ଭୀର ଦେଖିବାକୁ ମିଳିଥିଲା। ଗତବର୍ଷ ଭିତରକନିକା ନଦୀ ନାଳରେ ୧୬ଟି ଧଳା କୁମ୍ଭୀର ଠାବ ହୋଇଥିବା ବେଳେ ଚଳିତବର୍ଷ ୨୦ଟି ଧଳା କୁମ୍ଭୀର ଠାବ କରାଯାଇଛି। ଚଳିତ ମାସ ୯ରୁ ୧୨ ତାରିଖ ଯାଏଁ ୪ ଦିନ ଧରି ଏହି କୁମ୍ଭୀର ଗଣନା କରାଯାଇଥିଲା।