ବିଶ୍ୱକପ ଫାଇନାଲ : ଭାରତ ୨୪୦ ରନରେ ଅଲଆଉଟ୍, ବୋଲିଂ-ଫିଲ୍ଡିଂ ଉପରେ ନଜର
ଅହମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚ । ଅଷ୍ଟ୍ରେଲିଆର ମାପଚୁପ ବୋଲିଂ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଅସଫଳ ହେବା ଫଳରେ ଭାରତ ୨୪୦ ରନରେ ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ ଦେଇଛି ଭାରତ । ଆଉ ଏବେ ଭାରତର ବୋଲିଂ ଏବଂ ଫିଲ୍ଡିଂ ଉପରେ ସମସ୍ତଙ୍କ ନଜର ରହିଛି।
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ଫଳରେ ଭାରତ ବ୍ୟାଟିଂ କରିଥିଲା । କିନ୍ତୁ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ଅଷ୍ଟ୍ରେଲିଆ ଦଳର ବୋଲିଂ ଏବଂ ଫିଲ୍ଡିଂ ଆଗରେ ଭାରତ ଏପର୍ଯ୍ୟନ୍ତ ଭଲ ସ୍କୋର କରିପାରିନାହିଁ । ଆଉ ଷ୍ଟାଡିୟମରେ ବସିଥିବା ୧.୩୦ ଲକ୍ଷ ଲୋକ ଚୁପ୍ ହୋଇଯାଇଛନ୍ତି । ଦର୍ଶକଙ୍କ ମଧ୍ୟରେ ସେମିତି କିଛି ଉତ୍ସାହ ଦେଖିବାକୁ ମିଳିନାହିଁ ।
ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ଗିଲ ମାତ୍ର ୪ ରନ କରି ଆଉଟ ହୋଇଥିବାବେଳେ ରୋହିତ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । କିନ୍ତୁ ରୋହିତ ୩୧ ବଲରେ ୪୭ ରନ କରି ଆଉଟ ହେବା ପରେ ରନ ଗତି ଧୀମେଇ ଯାଇଥିଲା । ମ୍ୟାକ୍ସୱେଲଙ୍କ ବଲକୁ ବୁଝି ନପାରି କ୍ୟାଚ ଆଉଟ ହୋଇଛନ୍ତି ରୋହିତ । ପରେ ପରେ ଶ୍ରେୟସ ଆୟର ମଧ୍ୟ କ୍ୟାଚ ଆଉଟ ହୋଇଛନ୍ତି । ତେବେ ବିରାଟ କୋହଲି ଓ କେଏଲ ରାହୁଲ ପାରି ସମ୍ଭାଳିଥିଲେ । ଦୁହେଁ ସତର୍କତା ସହ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । କିନ୍ତୁ ଅର୍ଦ୍ଧଶତକ ମାରିବା ପରେ ପ୍ୟାଟ୍ କେମିନ୍ସଙ୍କ ବଲରେ ବୋଲ୍ଡ ହୋଇଥିଲେ କୋହଲି । ଏହା ପରେ ଦଳ ସଂକଟରେ ପଡ଼ିଯାଇଥିଲା । ଜାଡେଜା ୯ ରନ କରି ଆଉଟ ହୋଇଥିବା ବେଳେ କେଏଲ ରାହୁଲ ୬୬ ରନ୍ କରି ଆଉଟ ହୋଇଯାଇଛନ୍ତି । ଫଳରେ ଭାରତୀୟଙ୍କ ଆଶା ମଉଳିଯାଇଛି । ଜାଡେଜା ଆଉଟ ହେବା ପରେ କେଏଲ ରାହୁଲଙ୍କ ସାଥ ଦେବାକୁ ପଡିଆକୁ ଆସିଥିଲେ ସୂର୍ଯ୍ୟକୁମାର ଯାଦବ । କେଏଲ ରାହୁଲ ଆଉଟ ହେବା ପରେ ସାମି, ବୁମରା ମଧ୍ୟ ଆଉଟ୍ ହୋଇଛନ୍ତି । କୁଲଦୀପ ୧୦ ରନ୍ କରି ରନ୍ ଆଉଟ୍ ହୋଇଥିବା ବେଳେ ସିରାଜ ୯ ରନ କରି ଅପରାଜିତ ରହିଛନ୍ତି ।