ମହିଳା ବିଶ୍ୱକପ୍ : ବାଂଲାଦେଶକୁ ହରାଇ ସେମିଫାଇନାଲ ଆଶା ଉଜ୍ଜୀବିତ କଲେ ଭାରତ
ନୂଆଦିଲ୍ଲୀ : ଚଳିତ ମହିଳା ବିଶ୍ୱକପ୍ରେ ଟିମ ଇଣ୍ଡିଆ ବାଂଲାଦେଶକୁ ୧୧୦ ରନରେ ପରାସ୍ତ କରି ତୃତୀୟ ବିଜୟ ହାସଲ କରିଛି । ଆଇସିସି ମହିଳା ବିଶ୍ୱକପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨୨ ତମ ଲିଗ୍ ମ୍ୟାଚ୍ ହାମିଲଟନ୍ ସ୍ଥିତ ସେଡନ୍ ପାର୍କ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ଏହି ବିଜୟ ସହିତ ଦଳ ପଏଂଟ ଟେବୁଲରେ ତୃତୀୟ ସ୍ଥାନରେ ପହଂଚିଛି । ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ବାଂଲାଦେଶ ସମ୍ମୁଖରେ ୨୩୦ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଏହାର ଜବାବ ଦେବାକୁ ଯାଇ ବାଂଲାଦେଶ ୪୦.୩ ଓଭରରେ ମାତ୍ର ୧୧୯ ରନ୍ ସଂଗ୍ରହ କରିପାରିଥିଲା । ବାଂଲାଦେଶ ପାଇଁ ଏହା କର ବା ମର ମ୍ୟାଚ ଥିଲା । ଯଦିଓ ବାଂଲାଦେଶ ଦଳ ଆଉ ଦୁଇଟି ମ୍ୟାଚ୍ ଖେଳିବ, କିନ୍ତୁ ବର୍ତମାନ ଦଳ ସେମିଫାଇନାଲରେ ଆଉ ପ୍ରବେଶ କରିପାରିବ ନାହିଁ । ଭାରତ ପାଇଁ ମଧ୍ୟ ଏହି ମ୍ୟାଚ୍ କର ବା ମର ସଦୃଶ ଥିଲା । ଏହି ମ୍ୟାଚ୍ ଜିତିଥିବାରୁ ଭାରତର ସେମିଫାଇନାଲ୍ ଖେଳିବା ଆଶା ଉଜ୍ଜୀବିତ ରହିଛି । ଗତ ଦୁଇ ମ୍ୟାଚ୍ ଇଂଲଣ୍ଡ ଓ ଅଷ୍ଟ୍ରେଲିଆଠୁ ହାରି ଯାଇଥିଲା ଭାରତ । ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ସ୍କୋର କରିବା ସତ୍ୱେ ବୋଲରଙ୍କ ପ୍ରଭାବହୀନ ବୋଲିଂ ପାଇଁ ପରାଜୟର ମୁହଁ ଦେଖିଥିଲା ।
ମଙ୍ଗଳବାର ମୁକାବିଲାରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା ଭାରତ । କିନ୍ତୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା । ତେବେ ସ୍ମୃତି ମନ୍ଧନା, ସେଫାଳି ଓ ୟାସ୍ତିକା ସ୍ଥିତି ସମ୍ଭାଳିଥିଲେ । ୟାସ୍ତିକା ଭାଟିକା ସର୍ବାଧିକ ୫୦ ରନ୍ କରିଥିବା ବେଳେ ସେଫାଳି ବର୍ମା ୪୨ ଓ ସ୍ମୃତି ମନ୍ଧାନା ୩୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିଚା ଘୋଷ ୨୬ ଓ ହରମନପ୍ରିତ କୌର ୧୪ ରନ୍ କରିଥିଲେ । ଫଳରେ ଦଳ୭ ୱିକେଟ୍ ହରାଇ ୨୨୯ ରନ୍ କରିପାରିଥିଲା ।ଏହାସହ ବାଂଲାଦେଶକୁ ୨୩୦ ରନର ଟାର୍ଗେଟ୍ ଦେଇଥିଲା ଭାରତ । ସେହିପରି ବାଂଲାଦେଶ ପକ୍ଷରୁ ରିତୁ ମୋନି ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ମାହିଦା ଆଖତର ଦୁଇଟି ଓ ଜାହାନାରା ଆଲମ ଗୋଟିଏ ୱିକେଟ୍ ନେଇଥିଲେ ।
୨୩୦ ରନର ପିଛା କରୁଥିବା ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବାମହାତୀ ସ୍ପିନର ରାଜେଶ୍ୱରୀ ଗାଏକ୍ୱାଡ ୧ ରନ୍ କରିଥିବା ଶାରମିନ ଅଖତରଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଏହାପରେ ଫାରଗାନା ହକ(୦), ଅଧିନାୟକ ନିଗାର ସୁଲତାନ(୩) ଓ ରୁମାନ ଅହମଦ(୨) ସମସ୍ତଙ୍କୁ ନିରାଶ କରିଥିଲେ । ଓପନର ମୁର୍ଶିଦା ଖାତୁନ ମଧ୍ୟ କେବଳ ୧୯ ରନ କରିବାକୁ ସକ୍ଷମ ହୋଇଥିଲେ । ୩୫ ରନରେ ଦଳ ୫ ବ୍ୟାଟସମ୍ୟାନଙ୍କୁ ହରାଇ ସାଂଘାତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୬ଷ୍ଠ ୱିକେଟ ପାଇଁ ଲତା ମୋଣ୍ଡଲ ଓ ସଲମା ଖାତୁନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ଉଭୟ ୬ଷ୍ଠ ୱିକେଟ ପାଇଁ ୪୦ ରନ୍ ମଧ୍ୟ ଯୋଡ଼ିଥିଲେ । କିନ୍ତୁ ଦଳୀୟ ସ୍କୋର ୭୫ ଥିବା ବେଳେ ବ୍ୟକ୍ତିଗତ ୩୫ ରନ କରିଥିବା ସଲମାଙ୍କୁ ଅଭିଜ୍ଞ ଝୁଲଣ ଗୋସ୍ୱାମୀ ଆଉଟ କରିଦେଇଥିଲେ । ଏହାପରେ ଲତା (୨୪)ଙ୍କ ୱିକେଟ ଭସ୍ତ୍ରକରଙ୍କ ଖାତାକୁ ଯାଇଥିଲା । ଫଇମା ଖାତୁନ (୧) ଓ ନହିଦା ଅକତର (୦)ଙ୍କୁ ଆଉଟ କରି ରାଣା ବାଂଲାଦେଶକୁ ଡବଲ ଝଟକା ଦେଇଥିଲେ । ଶେଷରେ ୧୬ ରନ୍ କରିଥିବା ରିତୁ ମୋନିଙ୍କ ୱିକେଟ ଝୁଲଣ ନେଇ ବାଂଲାଦେଶ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ । ବାଂଲାଦେଶ ମହିଳା ଟିମ୍ ୪୦.୩ ଓଭ?ର୍ରେ ସମସ୍ତ ୱିକେଟ ହରାଇ ୧୧୯ ରନ କରିବାକୁ ସକ୍ଷମ ହୋଇଛି । ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିବା ୟାସ୍ତିକା ଭାଟିଆ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି । ଭାରତ ପକ୍ଷରୁ ରାଣା ୪ ୱିକେଟ ନେଇଥିବା ବେଳେ ଝୁଲଣ ଓ ପୂଜା ୨ଟି ଲେଖାଏ ସଫଳତା ପାଇଛନ୍ତି । ସେହିପରି ଗାଏକ୍ୱାଡ ଓ ପୁନମ ଯାଦବ ଗୋଟିଏ ଲେଖାଏ ୱିକେଟ ନେବାକୁ ସକ୍ଷମ ହୋଇଛନ୍ତି ।