ଜଳ ସଂପଦ ସଚିବଙ୍କ ତାଳଦଣ୍ଡା କେନାଲ ପରିଦର୍ଶନ
କଟକ : ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହାସପାତାଳକୁ ବିଶ୍ୱସ୍ତରୀୟ କରାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ଉଦ୍ୟମ ଚାଲୁ ରହିଥିବା ବେଳେ ଜାତୀୟ ରାଜପଥରୁ ମେଡିକାଲକୁ ସିଧାସଳଖ ପ୍ରବେଶ କରିବା ପାଇଁ ଉଦ୍ଦିଷ୍ଟ ଥିବା ତାଳଦଣ୍ଡା କେନାଲ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଚାଲୁ ରହିଛି । ଯଦିଓ ଓସିସି(ଓଡିଶା କନଷ୍ଟ୍ରକ୍ସନ କର୍ପୋରେସନ) ପକ୍ଷରୁ କେନାଲର ନବୀକରଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇ ଆସିଲାଣି ହେଲେ ଉଭୟ ପାଶ୍ୱର୍ର ରାସ୍ତାକୁ କିଭଳି ଦୁଇ ଲେନ୍ ବିଶିଷ୍ଟ କରାଯିବ ସେନେଇ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।
ଆଜି ଅପରାହ୍ନରେ ଖୋଦ୍ ରାଜ୍ୟ ଜଳ ସଂପଦ ବିଭାଗର ସଚିିବ ଅନୁ ଗର୍ଗଙ୍କ ସହିତ ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ ଯୋବ୍ରାଠାରୁ ବାହାରିଥିବା ତାଳଦଣ୍ଡା କେନାଲର ଉଭୟ ପାଶ୍ୱର୍ର ରାସ୍ତାକୁ ବୁଲି ଦେଖିଥିଲେ । ମୁଖ୍ୟତଃ ରାଣୀହାଟ ପୋଲଠାରୁ ମାତୃଭବନ ପର୍ଯ୍ୟନ୍ତ କେନାଲ ନବୀକରଣ ପାଇଁ ସେ ଗୁରୁତ୍ୱ ଦେଇଥିଲେ । ପୋଲଠାରୁ ପ୍ରାୟ ୧ କିଲୋମିଟର ୪୫୫ ମିଟର ପର୍ଯ୍ୟନ୍ତ ରହିଥିବା କେନାଲ ସରଫେସ୍କୁ କିଭଳି ଚିରସ୍ଥାୟୀ କରାଯିବ ସେନେଇ ବିଭାଗୀୟ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ସଚିବଙ୍କ ଏହି ପରିଦର୍ଶନ ବେଳେ ଓସିସିର ଏମଡି ବିଭୂତି ଭୂଷଣ ଦାସଙ୍କ ସମେତ ଜଳ ସଂପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଭକ୍ତରଂଜନ ମହାନ୍ତି, ସହକାରୀ ମୁଖ୍ୟ ଯନ୍ତ୍ରୀ ରାଧା ମୋହନ ମିଶ୍ର, ନିର୍ବାହୀ ଯନ୍ତ୍ରୀ ରାଜେଶ କୁମାର ମହାନ୍ତି, ମହାନଦୀ ନର୍ଥ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଅମର କୁମାର ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ରାଉତ, ସହକାରୀ ଯନ୍ତ୍ରୀ ମଳୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କେନାଲର ଉନ୍ନତିକରଣ ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ସଚିବ ଶ୍ରୀମତୀ ଗର୍ଗଙ୍କୁ ଅବଗତ କରାଇଥିଲେ ।