ଅଫେରା ରାଇଜରେ ଭେଟେରାନ ଅଭିନେତା ମିହିର ଦାସ : ଆଜି ଗାର୍ଡ଼ ଅଫ୍ ଅନର ସହ ହେବ ଶେଷକୃତ୍ୟ
କଟକ : ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଛି । କଟକର ଏକ ଘରୋଇ ହସ୍ପିଟାଲ୍ ରେ ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବେ କିଡନୀ ସଂକ୍ରମଣ ଯୋଗୁଁ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ଆଇସିୟୁରେ ରହି ସେ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ସନ୍ଧ୍ୟାରେ ମିହିର ଦାସଙ୍କ ମରଶରୀରକୁ ଘରୋଇ ହସ୍ପିଟାଲରୁ ସିଡ଼ିଏ ସେକ୍ଟର-୮ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି । ମିହିର ଦାସଙ୍କ ଶେଷ ଦର୍ଶନ ପାଇଁ ଓଲିଡ଼ଉ ଜଗତର ବହୁ କଳାକାରଙ୍କ ସମେତ ଯାତ୍ରା ଜଗତର କଳାକାର ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଂଚି ଶେଷ ଦର୍ଶନ କରିଛନ୍ତି ।
ବୁଧବାର ଦିନ କଟକ ସତୀଚଉରା ଶ୍ମଶାନରେ ରାଜ୍ୟ ସରକାରଙ୍କ ତରଫରୁ ଗାର୍ଡ଼ ଅଫ୍ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯିବ । ପ୍ରାୟ ଚାରି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ ଯାତ୍ରା ଜାରି ରଖିଥିବା ମିହିର ଦାସ ନିଜର ବଳିଷ୍ଠ ଅଭିନୟ ବଳରେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ । ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ରାମାୟଣ’ରେ ସେ ଶତ୍ରୁଘ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ସିନେ-ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ପ୍ରାୟ ୨୦୦ରୁ ଊର୍ଧ୍ୱ ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଚରିତ୍ରରେ ଆସିଥିବା ମିହିର ଦାସ ନାୟକ, ଖଳନାୟକ, ହାସ୍ୟ ଚରିତ୍ର ଓ ଚରିତ୍ର ଅଭିନେତା ଆଦି ଭୂମିକାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ତାଙ୍କର ଉଲ୍ଲେଖନୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ପୁଅ ମୋର ଭୋଳା ଶଙ୍କର’, ‘ସ୍ତ୍ରୀ’, ‘ବାଜି’, ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’, ‘ଅଭିମନ୍ୟୁ’ ‘ଶାଶୂ ହାତକଡ଼ି ଭାଉଜ ବେଡ଼ି’, ‘ଫେରିଆ ମୋ ସୁନା ଭଉଣୀ’, ‘ମିଷ୍ଟର୍ ମଜନୁ’ ଓ ‘ଅଗସ୍ତ୍ୟ’ ଇତ୍ୟାଦି । ଉଚ୍ଚକୋଟିର ଅଭିନୟ ଲାଗି ସେ ଶ୍ରେଷ୍ଠ ଅଭିନେତା ଭାବେ ଏକାଧିକ ବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ମିହିର ଦାସ ୧୯୫୯ ଫେବ୍ରୁଆରୀ ୧୧ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ସେ । ୧୯୯୯ରେ ‘ବିଧାତା’ ଓ ୨୦୦୫ରେ ‘ଫେରିଆ ମୋ’ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । ଅଭିନୟରେ ସଫଳତାର ଶୀର୍ଷରେ ପହଂଚିବା ପରେ ସେ ରାଜନୀତିକୁ ଆସିଥିଲେ । ୨୦୧୪ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସେ ବିଜୁ ଜନତା ଦଳରେ ଯୋଗ ଦେଇ ଦଳ ଲାଗି ପ୍ରଚାର କରିଥିଲେ । ଏହାପରେ ସେ ବିଜେଡି ପରିତ୍ୟାଗ କରି ୨୦୧୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ମିହିରଙ୍କ ପତ୍ନୀ ସଙ୍ଗୀତାଙ୍କର ବହୁ ବର୍ଷ ପୂର୍ବେ ଦେହାନ୍ତ ହୋଇ ସାରିଥିବା ବେଳେ ପୁଅ ଅମ୍ଳାନ ଓଡିଆ ସିନେ ଜଗତର ଜଣେ ଆଗଧାଡିର ଅଭିନେତା ।