୨୪ ଘଂଟା ମଧ୍ୟରେ ଏହି ସବୁ ଜିଲାରେ କାଳବୈଶାଖୀ ସହ କୁଆପଥର ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ବାୟୁମଣ୍ଡଳର ମଧ୍ୟ ଏବଂ ଉପର ସ୍ତରର ପଶ୍ଚିମା-ବାୟୁ ଏବଂ ନିମ୍ନ ଭାଗର ପୂର୍ବାଳୀ ବାୟୁ ସହ ସଂସ୍ପର୍ଶ ଯୋଗୁ, ପାରସ୍ପରିକ ପ୍ରକ୍ରିୟା ତଥା ବଙ୍ଗୋପସାଗର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ ପୁର୍ଣବାୟୁ ପ୍ରଭାବରେ, ୧୪ ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଆସନ୍ତା ୨୪ ଘଂଟା ମଧ୍ୟରେ ନୂଆପଡ଼ା, ଝାରସୁଗୁଡ଼ା,ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଓ ସମ୍ବଲପୁର ଆଦି ଜିଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି । ଏଥିସହ କଳାହାଣ୍ଡି, ବରଗଡ଼, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଆଦି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଜାନୁଆରି ୧୨ରୁ ୧୩ ତାରିଖ ମଧ୍ୟରେ ବାଲେଶ୍ୱର , ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ , ଗଂଜାମ , ଗଜପତି , ମୟୁରଭଂଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।