ରାଜ୍ୟରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରଙ୍କୁ ଦିଆଯିବ ଟିକା
ଭୁବନେଶ୍ୱର : ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଡାକ୍ତର, ନର୍ସ ଓ ପାରାମେଡିକ୍ ଷ୍ଟାଫଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ଲୋକଙ୍କୁ କରୋନା ଟିକା ଦିଆଯିବ । ଏଥିପାଇଁ ବ୍ୟବସ୍ଥା କରିବାକୁ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ସିଡିଏମ୍ଓ ମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ନିଜ ନିଜ ଜିଲ୍ଲା ଓ ମହାନଗର ନିଗମ ଅଂଚଳରେ ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟିକା ଦିଆଯିବ ବୋଲଇ ଚିଠିରେ ଉଲ୍ଲେଖ କରାଯାଇଛି ।
ଶ୍ରୀ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ କୋଭିଡ୍ ମହାମାରୀ ଆରମ୍ଭରୁ ସ୍ୱାସ୍ଥ୍ୟକର୍ମୀମାନେ କରୋନା ରୋଗୀଙ୍କ ନିରନ୍ତର ସେବା କରିଆସୁଛନ୍ତି । ରୋଗୀଙ୍କ ସେବା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ସଂସ୍ପର୍ଶରେ ତାଙ୍କ ପରିବାର ଲୋକେ ମଧ୍ୟ ଆସନ୍ତି । ତେଣୁ ସେମାନେ ବି ସଂକ୍ରମିତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଟିକା ଦେବାକୁ ନିଷ୍ପତି ହୋଇଛି । ଚଳିତ ବର୍ଷ ଜାନୁଆରୀ ୧୬ ତାରିଖ ଠାରୁ ରାଜ୍ୟରେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ପାଇଁ ଟିକାକରଣ ଆରମ୍ଭ କରାଯାଇଥିଲା । ବର୍ତମାନ ସୁଦ୍ଧା ରାଜ୍ୟରେ ୯୫ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇ ସାରିଛନ୍ତି ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି ।