ବାଲେଶ୍ୱର : କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ୩ ଆହତ
ବାଲେଶ୍ୱର : କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ଏମପି ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ। ଅଳ୍ପକେ ବର୍ତିଲେ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ଡ୍ରାଇଭର। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ନୀଳଗିରି ବ୍ଲକ ଅନ୍ତର୍ଗତ ପୋଡ଼ାଶୋଳ ଛକରେ ଏକ ଟ୍ରାକ୍ଟର ସହ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ସମେତ ୩ଜଣ ଆହତ ହୋଇଛନ୍ତି।
ରବିବାର ପ୍ରାୟ ଅପରାହ୍ନ ୨ଟା ୩୦ ମିନିଟ ସମୟରେ କେନ୍ଦ୍ରମନ୍ତ୍ରୀ ବଢ଼େଇପଲା ଅଞ୍ଚଳକୁ ଜଣେ କିଡନୀ ରୋଗୀଙ୍କୁ ସହାୟତା ପାଇଁ ଯାଉଥିଲେ। ନୀଳଗିରି-କପ୍ତିପଦା ପୂର୍ତ୍ତ ରାସ୍ତାର ପୋଡ଼ାଶୋଳ ନିକଟରେ ଏକ ଟ୍ରାକ୍ଟର ଦ୍ରୁତ ଗତିରେ ଯାଇ ହଠାତ ଷ୍ଟିଅରିଂ ବୁଲାଇ ଦେଇଥିଲା। ଫଳରେ ଏହି ଦୁର୍ଘଟଣା ଘଟି କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗି ଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀଙ୍କ ମୁହଁ, ନାକ, ବାମ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଛି। ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ସଙ୍ଗେ ସଙ୍ଗେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବାଲେଶ୍ଵର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଟ୍ରାକ୍ଟର ଚାଳକକୁ ନୀଳଗିରି ଥାନା ରେ ଅଟକ ରଖାଯାଇଥିବା ଜଣାପଡିଛି।