ଓଡ଼ିଶାର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଅବସ୍ଥା ବିପର୍ଯ୍ୟସ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ, ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ସଂଘ
ଭୁବନେଶ୍ୱର : ଓଡ଼ିଶାରେ ଲେପ୍ରା ସୋସାଇଟିରେ ଦୀର୍ଘ ବର୍ଷ ଧରି ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମରେ ନିଯୁକ୍ତି ପାଇଥିବା କୁଷ୍ଠକର୍ମୀମାନଙ୍କୁ ଓ ସୁପରଭାଇଜରମାନଙ୍କୁ ସ୍ୱାସ୍ଥ୍ୟବିଭାଗ ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ୧୬ ଜଣ ଫିମେଲ ଏବଂ ୧୦୨ ଜଣ ମେଲ୍ ୱାର୍କରଙ୍କୁ ରାଜ୍ୟର ଅଠରଟି ଜିଲ୍ଲାରେ ଖାଲି ପଡ଼ିଥିବା ନିୟମିତ ସ୍ୱାସ୍ଥ୍ୟକର୍ମୀ ପଦବୀରେ ୨୦୦୭-୨୦୦୯ ମସିହାରେ ସି.ଡି.ଏମ୍.ଓ.ମାନେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରିଥିଲେ ଓ ଉକ୍ତ କର୍ମଚାରୀମାନଙ୍କ ମଧ୍ୟରୁ ୨୦୧୪ ମସିହାରେ ୬ ବର୍ଷ ପୁରି ଚାକିରିରେ ନିୟମିତ ହେବା କଥା ମାତ୍ର ସରକାରଙ୍କ ଅବହେଳାରୁ ଉକ୍ତ କର୍ମଚାରୀମାନେ ହତାଶମୟ ଜୀବନ ଅତିବାହିତ କରୁଛନ୍ତି ଏବଂ ସେମାନଙ୍କୁ ଜାଣିଶୁଣି ନିୟମିତ କରାଯାଇନାହିଁ । ଏହି ସମୟ ମଧ୍ୟରେ କିଛି କର୍ମଚାରୀ ମାନସିକ ଆଘାତ ପାଇ ଅକାଳରେ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ କେଶବ ଚନ୍ଦ୍ର ସ୍ୱାଇଁ, ପି. ତ୍ରିନାଥ ରାଓ, ପ୍ରଦୀପ ପ୍ରଧାନ, ଭିକାରୀ ଚରଣ ସୁନା, ଦିଲ୍ଲୀପ କୁମାର ଗରି, ସୁକାନ୍ତ ଶେଖର ପାଣିଗ୍ରାହୀ, ମୁରଲିଧର ବେହେରା, ଅଚ୍ୟୁତାନନ୍ଦ ମୁଦୁଲି ଏବଂ ସୁଶାନ୍ତ ସେନାପତି ଇତ୍ୟାଦି ୮ ଜଣ ମୃତ୍ୟୁବରଣ କରିଥିବା ବେଳେ ୪ ଜଣ କର୍ମଚାରୀ ଅବସର ନେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ କନ୍ଧମାଳର ଶ୍ରୀ ରଞ୍ଜନ ମହାନ୍ତି ଓ ସୁନ୍ଦରଗଡ଼ର ଶ୍ରୀ ଅରବିନ୍ଦ ଭଟ୍ଟ ଏବଂ କାଲୁଲ୍ କୁମାର ବୋଷ ଇତ୍ୟାଦିଙ୍କୁ ନିୟମିତ ନିଯୁକ୍ତି ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ପାଇଥିବା ଉକ୍ତ କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପୁରୁଷ ସ୍ୱାସ୍ଥ୍ୟକର୍ମୀ ତାଲିମ ଏବଂ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏ.ଏନ୍.ଏମ୍. ତାଲିମ ଦେଇସାରିଛନ୍ତି । ରାଜ୍ୟ ସରକାର ୧୯୭୯ ମସିହାରେ ଡାନିସ୍ ଲେପ୍ରସି ସଂସ୍ଥାକୁ ହାତକୁ ନେଲାବେଳେ ୮୨ ଜଣ କୁଷ୍ଠକର୍ମୀଙ୍କୁ ନିୟମିତ ନିଯୁକ୍ତି ପ୍ରଦାନ କରିଥିଲେ ଏବଂ ୨୦୦୪ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅଧୀନରେ କାର୍ଯ୍ୟ କରିଥିବା ୭୫ ଜଣ କୁଷ୍ଠକର୍ମୀମାନଙ୍କୁ ସ୍ୱାସ୍ଥ୍ୟକର୍ମୀ ଭାବରେ ନିଯୁକ୍ତି ଦେଇଥିଲେ । ପ୍ରକାଶଥାଉକି ଏହି କର୍ମଚାରୀମାନେ କୁଷ୍ଠକର୍ମୀ ପଦବୀରେ ବହୁବର୍ଷ ପୂର୍ବେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ନୂଆପଡ଼ା, ମୟୂରଭଞ୍ଜ ଜିଲ୍ଲାରେ ଯେଉଁଠାରେ ରାଜ୍ୟ ସରକାରଙ୍କ ମାନବ ସମ୍ବଳ ଓ ଇନ୍ଫ୍ରାଷ୍ଟ୍ରକ୍ଚର୍ ନ ଥିଲା ଏବଂ ଦୁର୍ଗମ ପାହାଡ଼ ପର୍ବତ ଘେରିରେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିବାଦ୍ୱାରା ୨୦୦୬-୨୦୦୭ ମସିହାରେ ଓଡ଼ିଶାକୁ କୁଷ୍ଠମୁକ୍ତ ରାଜ୍ୟ କରାଯାଇଥିଲା । ଏଥିପାଇଁ ରାଜ୍ୟପାଳ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତରଫରୁ ସବୁ କର୍ମଚାରୀଙ୍କୁ ବେଷ୍ଟ ଲେପ୍ରସି ୍୍ୱାର୍କର ଆୱାର୍ଡ଼ ପ୍ରଦାନ କରାଯାଇଥିଲା । ଏହି କର୍ମଚାରୀମାନୋ ଦୀର୍ଘ ୧୪ ବର୍ଷ ଧରି ସ୍ୱାସ୍ଥ୍ୟକର୍ମୀ ପଦବୀରେ ସରକାରୀ ଟ୍ରେଜେରିରୁ ଦରମା, ଗ୍ରୁପ୍ ଇନ୍ସ୍ୟୁରାନ୍ସ୍, ପେନ୍ସନ୍ ସୁବିଧା ପାଉଛନ୍ତି । ସରକାରଙ୍କ ୬ ବର୍ଷିୟା ନିୟମ ଅନୁସାରେ ୨୦୧୪ ମସିହା ସୁଦ୍ଧା ସମସ୍ତଙ୍କୁ ଚାକିରିରେ ନିୟମିତ କରିବା କଥା, ମାତ୍ର ସ୍ୱାସ୍ଥ୍ୟ ବିଭାଗର କିଛି ଅଧିକାରୀମାନେ ଏକ ବୈଠକ ଡାକି ନିୟମିତ ନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ମାନ୍ୟବର ଉଚ୍ଚ ନ୍ୟାୟାଳୟର ଆଦେଶକୁ ବାଭାଗ ରଦ୍ଦ କରିଛି । ଉକ୍ତ କର୍ମଚାରୀମାନେ ୨୦୧୪ରୁ ୨୦୨୨ ମସିହା ମଧ୍ୟରେ ଶହଶହ ଥର ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟି ଆପତ୍ତି ଅଭିଯୋଗମାନ ଦେଇଥିଲେ ମଧ୍ୟ ତାହାକୁ ଅଣଦେଖା କରାଯାଇଅଛି । ସ୍ୱାସ୍ଥ୍ୟ ବିଭାଗ କହିବା କଥା ଯେହେତୁ ଆଡ଼ଭଟାଇଜ୍ମେଣ୍ଟ୍ ହେଇନାହିଁ, ତେଣୁ ରେଗୁଲାର ହୋଇପାରିବ ନାହିଁ । ୨୦୧୪ ମସିହାରୁ ୨୦୨୧ ମସିହା ମଧ୍ୟରେ ଉକ୍ତ କର୍ମଚାରୀଙ୍କ ରେଗୁଲାର ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସିଡିଏମ୍ଓମାନଙ୍କୁ ରିପୋର୍ଟ ମାଗିଥିଲେ । ଏକଥା ମଧ୍ୟ ରାଜ୍ୟ ବିଧାନସଭାରେ ଉଠିଥିଲା ମାତ୍ର ସମସ୍ତ ରିପୋର୍ଟକୁ ଚପାଇ ଦିଆଗଲା । ୨୦୧୯-୨୦୨୨ ମସିହାରେ ସ୍ୱାସ୍ଥ୍ୟ ବିଭାଗ ଏନ୍.ଏଚ୍.ଏମ୍., ସ୍କିମ୍ ସୋସାଇଟି ଏବଂ ମେଡ଼ିକାଲ୍ କର୍ପୋରେସନ୍ରେ ଚୁକ୍ତିଭିତ୍ତିକ ପଦବୀରେ ନିଯୁକ୍ତି ପାଇଥିବା ହଜାର ହଜାର ପାରାମେଡ଼ିକ୍ସ କର୍ମଚାରୀଙ୍କୁ ନିୟମିତ କରିଛନ୍ତି । ଏହି କର୍ମଚାରୀମାନେ ସ୍ୱାସ୍ଥ୍ୟବିିଭାଗର ଅନୁମୋଦିତ ନିୟମିତ ଖାଲି ପଦବୀରେ ନିଯୁକ୍ତି ପାଇ ନଥିଲେ । କିନ୍ତୁ ମାତ୍ର ୧୦୪ ଜଣ କର୍ମଚାରୀଙ୍କୁ ବିଭିନ୍ନ ଆଳ ଦେଖାଇ କାହିଁକି ନିଯୁକ୍ତି ଦିଆଯାଉ ନାହିଁ ତାହା ବୁଝାପଡ଼ୁନାହିଁ । ଉକ୍ତ କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟର ବିଭିନ୍ନ କୁଷ୍ଠ କଲୋନୀର ନିଜେ କୁଷ୍ଠମୁକ୍ତ ବ୍ୟକ୍ତି ଏବଂ ଏମାନଙ୍କର ପିତାମାତା ମଧ୍ୟ କୁଷ୍ଠ ଭିନ୍ନକ୍ଷମରେ ପୀଡ଼ିତ । ଆଇ.ଜି. ପାର୍କଠାରେ ଆଜି ଏକ ବୈଠକର ଆୟୋଜନ କରାଯାଇଥିଲା ଏବଂ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କର୍ମଚାରୀମାନେ ଏକତ୍ରିତ ହୋଇ ସରକାରଙ୍କର ଏଭଳି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଥିଲେ । ସମସ୍ତ କମର୍ଚାରୀ ସରକାରଙ୍କୁ ଏକମାସ ମଧ୍ୟରେ ନିୟମିତ କରିବା ପାଇଁ ପ୍ରେସ୍ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ସାମାଜିକ ସୁରକ୍ଷା ମନ୍ତ୍ରୀ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ଓ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି । ବିଜେଡିର ସାଙ୍ଗଠନିକ ସମ୍ପାଦକ ଏବଂ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କୁ ଅବଗତ କରାଯାଇ ଏକ ସ୍ମାରକପତ୍ର ତା ୦୬/୦୯/୨୦୨୧ରେ ପ୍ରଦାନ କରାଯାଇଛି । ଯଦି ଏକ ମାସ ମଧ୍ୟରେ ଏଭଳି ସମ୍ବେଦନଶୀଳ ଅଭିଯୋଗପରେ ସମାଧାନ କରା ନଯାଏ ତେବେ କର୍ମଚାରୀମାନଙ୍କର କୁଷ୍ଠ ପୀଡ଼ିତ ପିତାମାତାମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ୫-ଟି ସେକ୍ରେଟାରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ବାସଭବନରେ ଭେଟି ବିଭାଗର ଅବହେଳା ବିଷୟରେ ଅବଗତ କରାଇବା ସହିତ ଚାକିରିରେ ନିୟମିତ କରିବା ପାଇଁ ଅନୁରୋଧ କରିବେ । ଯଦି ୧ ମାସ ମଧ୍ୟରେ ଏହାର ସମାଧାନ କରା ନଯାଏ ତେବେ ସମସ୍ତ କର୍ମଚାରୀ ରାଜ୍ୟପାଳଙ୍କଠାରୁ ପାଇଥିବା ପୁରସ୍କାର ରାଜଭବନ ଏବଂ ସ୍ୱାସ୍ଥମନ୍ତ୍ରୀଙ୍କଠାରୁ ପାଇଥିବା ପୁରସ୍କାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଫେରାଇ ଦିଆଯିବ ଏବଂ ଶହଶହ କୁଷ୍ଠ ପୀଡ଼ିତ ଏବଂ କର୍ମଚାରୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସଂଘ ସୂତ୍ରରୁ ପ୍ରକାଶ ।