କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଲେ ଯୁବନେତା ମାନସ ଦତ୍ତ
ବାଲେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ଗୁରୁ ଦାୟିତ୍ୱ । ଆସନ୍ତା ଜାନୁଆରୀ- ଫେବୃୟାରୀରେ ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବିଜେପି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ବଡ ଦାୟିତ୍ୱ ପ୍ରଦାନ କରିଛିି । ଏହି ଅବସରରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଜାତୀୟ ରାଜନୀତିରେ ଉତ୍ତରପ୍ରଦେଶ ନିର୍ବାଚନ ବେଶ ଗୁରୁତ୍ୱବହନ କରୁଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପରେ ଆସ୍ଥା ପ୍ରକଟ କରି ଗୁରୁ ଦାୟିତ୍ୱ ଦେଇଥିବା ବେଳେ ଉତ୍ତରପ୍ରଦେଶର ଆଗାମୀ ନିର୍ବାଚନରେ ଶ୍ରୀ ପ୍ରଧାନଙ୍କ ମାର୍ଗଦର୍ଶନରେ ସେଠାରେ ଦଳ ନିଶ୍ଚିତ ଭାବରେ ବିଜୟ ହାସଲ କରିବ ବୋଲି ଯୁବନେତା ମାନସ ଦତ୍ତ ମତପ୍ରକାଶ କରିଛନ୍ତି । ଧର୍ମେନ୍ଦ୍ରଙ୍କ ପାଖରେ ଭୋଟ ରଣକୌଶଳ ଓ ପରିଚାଳନାର ଅନୁଭବ ଏବଂ ଅଭିଜ୍ଞତା ଥିବା ହେତୁ ତାଙ୍କୁ ଶୀର୍ଷ ନେତୃତ୍ୱ ତାଙ୍କ ଉପରେ ଏହି ଗୁରୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଭାବେ ତାଙ୍କର ଦୀର୍ଘ ସାତ ବର୍ଷ କାର୍ଯ୍ୟକାଳ ଜାତୀୟ ସ୍ତରରେ ଏକ କୀର୍ତ୍ତିମାନ ସୃଷ୍ଟି କରିଛି । ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ମଧ୍ୟ ତାଙ୍କର ବେଶ ଅଭିଜ୍ଞତା ରହିଛି । ସଂଗଠନରେ ସେ ପୂର୍ବରୁ ବିହାର, କର୍ଣ୍ଣାଟକ, ତ୍ରିପୁରା, ଝାଡଖଣ୍ଡ, ଛତିଶଗଡରେ ପ୍ରଭାରୀ ଭାବେ ଗୁରୁଦାୟିତ୍ୱ ତୁଲାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ୭ ଜଣ ବରିଷ୍ଠ ନେତାଙ୍କୁ ସହ ପ୍ରଭାରୀ ଦାୟିତ୍ୱ ମିଳିଛି ।