ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଲଗାତାର ବୃଦ୍ଧି ପାଉଛି । ଏହା ଏବେ ଚିନ୍ତାର କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ୟୁଜିସି ନେଟ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ସେହିପରି ପରୀକ୍ଷାର ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ନୂଆ ତାରିଖ ଜଣାଇ ଦିଆଯିବ ବୋଲି ଏନଟିଏ ବା ଜାତୀୟ ପରୀକ୍ଷା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାଭାବିକ ଭାବେ ଡିସେମ୍ବର ୨୦୨୦ ପର୍ଯ୍ୟାୟ ୟୁଜିସି ନେଟ୍ ପରୀକ୍ଷା ଡିସେମ୍ବର ୨୦୨୦ରେ ହେବା କଥା । ତେବେ କରୋନା କଟକଣା କାରଣରୁ ଏହାକୁ ମେ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା । ଦେଶର ବିଭିନ୍ନ କେନ୍ଦ୍ରରେ ଏହି କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ମେ ୨ରୁ ୧୭ ମଧ୍ୟରେ ହେବାର ଥିଲା । କିନ୍ତୁ ଏବେ ଦେଶରେ କରୋନାର ୨ୟ ଲହର ଆସିବା ପରେ ଏନଟିଏ ପକ୍ଷରୁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ପରବର୍ତ୍ତୀ ସମୟରେ ନୂଆ ପରୀକ୍ଷା ତାରିଖ ଅତିକମରେ ୧୫ ଦିନ ପୂର୍ବରୁ ଜଣାଇଦିଆଯିବ ବୋଲି ଏନଟିଏ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି ।
?Announcement
— Dr. Ramesh Pokhriyal Nishank (@DrRPNishank) April 20, 2021
Keeping in mind the safety & well-being of candidates and exam functionaries during #covid19outbreak, I have advised @DG_NTA to postpone the UGC-NET Dec 2020 cycle (May 2021) exams.#Unite2FightCorona pic.twitter.com/5dLB9uWgkO
ସୂଚନା ଯେ, ଆସନ୍ତା ମେ ମାସ ୨, ୩, ୪, ୫, ୬, ୭, ୧୦, ୧୧, ୧୨, ୧୪ ଏବଂ ୧୭ ତାରିଖରେ ନେଟ ପରୀକ୍ଷା ହେବାର ଥିଲା । ମହାମାରୀ ବଢୁଥିବାରୁ ପରୀକ୍ଷାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ନିବେଦନ କରିଥିଲେ ଛାତ୍ରଛାତ୍ରୀ । ତେବେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଟ୍ବିଟ୍ କରି ୟୁଜିସି ନେଟ ପରୀକ୍ଷା ସ୍ଥଗିତ ହେବା ନେଇ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟରେ ରଖି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ସ୍ଥିତି ଦେଖି ଆଗାମୀ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି । ଅନ୍ୟପକ୍ଷରେ ଏପ୍ରିଲ-ମେରେ ହେବାକୁ ଥିବା ଜେଇଇ ମେନ୍ ଏବଂ ନିଟ୍ ପିଜି ସମେତ ଅନେକ ରାଜ୍ୟରେ ହେବାକୁ ଥିବା ବୋର୍ଡ ପରୀକ୍ଷା ସ୍ଥଗିତ ରଖାଯାଇଛି । କେବଳ ସେତିକି ନୁହେଁ ସିବିଏସଇ ଦଶମ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ତେବେ ୟୁଜିସି ନେଟ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ ଥିବା ବେଳେ ଭାରତ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।