ଏନ୍କାଉଣ୍ଟରରେ ୨ହାର୍ଡକୋର ମାଓବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଅତ୍ୟାଧୁନିକ ବନ୍ଧୁକ ଜବତ
ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ପୋଲିସ ଓ ମାଓବାଦୀଙ୍କ ଭିତରେ ହୋଇଛି ଗୁଳିବିନିମୟ । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଏସ.ଏଲ.ଆର ବନ୍ଧୁକ ସାଙ୍ଗକୁ ଏଲ.ଏମ.ଜି ଭଳି ଅତ୍ୟାଧୁନିକ ବନ୍ଧୁକ ଜବତ କରିଛି ପୋଲିସ ।
ସୂଚନା ଯେ, ବିଜାପୁର ଜିଲାର କରି ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ନେଇ ଗୁପ୍ତ ସୂତ୍ରରୁ ସୂଚନା ପାଇଥିଲା ପୋଲିସ । ଏହା ପରେ ଡିଆରଜି ଓ ତେଲେଙ୍ଗାନାର ଗ୍ରେହାଉଣ୍ଡ ଯବାନମାନେ ମିଳିତ ଭାବେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ତେବେ ଯବାନଙ୍କ ଆସିବା ଦେଖି ମାଓବାଦୀ ମାନେ ଗୁଳି ଚାଳନା କରିଥିଲେ । ଏହାର ପାଲଟା ଜବାବ ଦେଇଥିଲେ ଯବାନମାନେ। ସେମାନଙ୍କ ମଧ୍ୟ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଏଥିରେ ଆତୁର ନାଗରାମ ମହାଦେବପୁର ଏରିଆ କମିଟିର ଡି.ଭି.ସି.ଏମ ପଦରେ ଥିବା ମାଓ ନେତା ସୁନାଧର ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ମାଓ ନେତାଙ୍କୁ ଚିହ୍ନଟ ହୋଇପାରିନାହିଁ । ଘଟଣାସ୍ଥଳରେ ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ଜଣାପଡ଼ିଛି ।