ପିଅର୍ ଏଜୁକେଟର୍ମାନଙ୍କ ତାଲିମ୍ ଶିବିର
କଟକ : ଉତ୍କଳ ସେବକ ସମାଜ, ଆପୋଲୋ ଟାୟାର୍ସ ଫାଉଣ୍ଡେସନ୍ ଏବଂ ଅଶୋକ ଲେଲ୍ୟାଣ୍ଡ୍ର ମିଳିତ ଆନୁକୁଲ୍ୟରେ ପିଅର୍ ଏଜୁକେଟର୍ ମାନଙ୍କ ପାଇଁ ଏକ ତାଲିମ୍ ତଥା ପ୍ରୋତ୍ସାହନ ଶିବିରର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଉତ୍କଳ ସେବକ ସମାଜର ସଂପାଦକ ଅମୀୟ ଭୂଷଣ ବିଶ୍ୱାଳ ଯୋଗ ଦେଇ ପିଅର୍ ଏଜୁକେଟର୍ମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ ଏବଂ ଟ୍ରକ୍ ଡ଼୍ରାଇଭର୍ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଚାଲୁଥିବା ସ୍ୱାସ୍ଥ୍ୟ ଯତ୍ନ ଏକ୍ସପ୍ରେସ୍ରେ ଉପଲବ୍ଧ ସେବାଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ । ପ୍ରକଳ୍ପ ସଂଯୋଜକ ଇଂ ଅନ୍ୱୟ ଅଭିନବ, ବିଗତ ତିନି ବର୍ଷ ଧରି ସ୍ୱାସ୍ଥ୍ୟସେବା ଯୋଗାଉଥିବା ଭ୍ରମ୍ୟମାଣ ସ୍ୱାସ୍ଥ୍ୟ ଯତ୍ନ ଏକ୍ସପ୍ରେସ୍ରେ ଟ୍ରକ୍ ଡ଼୍ରାଇଭର୍, ହେଲ୍ପର୍, ମେକାନିକ୍ ଓ ଅନ୍ୟାନ୍ୟ ଟ୍ରାନ୍ସପୋର୍ଟ କର୍ମଚାରୀମାନେ ଡାକ୍ତରୀ ପରାମର୍ଶ ସହିତ ଡାଇବେଟିସ୍, ବ୍ଲଡ୍ ପ୍ରେସର୍, ଟିବି, ଏଚ୍.ଆଇ.ଭି ଓ ଚକ୍ଷୁ ପରୀକ୍ଷା ଇତ୍ୟାଦି କରାଇପାରିବେ ବୋଲି ଅବଗତ କରାଇଥିଲେ । ବିଭିନ୍ନ ରୋଗଗୁଡ଼ିକର ଲକ୍ଷଣ, ନିରାକରଣ ଓ ଚିକିତ୍ସା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ପିଅର୍ ଏଜୁକେଟର୍ମାନେ ସ୍ୱାସ୍ଥ୍ୟ ସଚେତନତା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ ବୋଲି ମତ ପ୍ରକାଶ କରିଥିଲେ । ପରିଶେଷରେ ପିଅର୍ ଏଜୁକେଟରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଉପହାର ପ୍ରଦାନ କରାଯାଇଥିଲା । ଉକ୍ତ ଶିବିରକୁ ମଳୟ କୁମାର ଷଡଙ୍ଗୀ ସଂଯୋଜନା କରିଥିବା ବେଳେ ଭାରତୀ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ ।