ଆଜି ଶ୍ରୀଜିଉଙ୍କ ସୁନାବେଶ
ପୁରୀ : ଜନ୍ମବେଦିରେ ନବଦିନାତ୍ମକ ଲୀଳା ସାରି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନିରଥ। ଆଜି ରଥାରୂଢ ଶ୍ରୀଜିଉଙ୍କ ହେବ ସୁନାବେଶ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ରଥ ଉପରେ ଆଜି ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ଆଳତି କରାଯାଇଛି । ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟାରୁ ୧୦ଟା ୩୦ ଗୋପାଳ ବଲ୍ଲଭ, ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସକାଳ ଧୂପ ନୀତି ଅନୁଷ୍ଠିତ ହେବ । ଅପରାହ୍ନ ୧ଟାରେ ମହାସ୍ନାନ ଓ ସର୍ବାଙ୍ଗ, ୧ଟା ୩୦ରେ ବେଶ ଶେଷ, ୨ଟାରୁ ୩ଟା ଯାଏଁ ମଧ୍ୟାହ୍ନ ଧୂପ, ୩ଟା ୩୦ରୁ ମଇଲମ, ୪ଟାରେ ମେକାପ ସର୍ବାଙ୍ଗ ପରେ ସନ୍ଧ୍ୟା ୫ଟା ୩୦ରେ ସୁନାବେଶ ନୀତି ଅନୁଷ୍ଠିତ ହେବ । ସିହଂଦ୍ବାର ଚକଡାରେ କଡା ସୁରକ୍ଷା ମଧ୍ୟରେ ତିନିରଥକୁ କର୍ଡନ କରି ରଖାଯାଇଛି। ସନ୍ଧ୍ୟା ୫ଟାରେ ଆଳତି, ୮ଟାରୁ ୯ଟା ମଧ୍ୟରେ ସନ୍ଧ୍ୟା ଧୂପ, ରାତି ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସୁନାବେଶ ମଇଲମ, ରାତି ଚନ୍ଦନ ଲାଗି, ୧ଟାରେ ବଡ଼ସିଂହାର ବେଶ, ୧ଟା ୩୦ରେ ବଡ଼ସିଂହାର ଭୋଗ, ୨ଟାରେ ଶ୍ରୀଗରୁଡ଼ ଶୟନ ଓ ରାତ୍ର ପଡୁଡ଼ ନୀତି ହେବ । କରୋନା କଟକଣା ଯୋଗୁଁ ଶ୍ରୀଜିଉଙ୍କ ସୁନାବେଶ ସାଧାରଣ ଦର୍ଶକଙ୍କୁ ବଡ଼ଦାଣ୍ଡରେ ରହି ଦେଖିବାର ମନା ହୋଇଛି । ଲୋକେ ମହାପ୍ରଭୁଙ୍କ ସୁନାବେଶକୁ ଟେଲିଭିଜନ ମାଧ୍ୟମରେ ହେଉଥିବା ସିଧାପ୍ରସାରଣ ଦେଖିପାରିବେ । ସେହିଭଳି ଆସନ୍ତାକାଲି (ଗୁରୁବାର) ମହାପ୍ରଭୁଙ୍କ ରଥ ଉପରେ ଅଧର ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ଅନ୍ୟପଟେ ପୁରୀ ସହରରେ କର୍ଫ୍ୟୁ କୋହଳ କରାଯାଇଥିବା ବେଳେ କେବଳ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ସୁନାଵେଶ ଶେଷ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । କରୋନା କଟକଣା ଯୋଗୁଁ ଶ୍ରୀଜିଉଙ୍କ ସୁନାବେଶ ସାଧାରଣ ଦର୍ଶକଙ୍କୁ ବଡ଼ଦାଣ୍ଡରେ ରହି ଦେଖିବାର ମନା ହୋଇଛି । ଲୋକେ ମହାପ୍ରଭୁଙ୍କ ସୁନାବେଶକୁ ଟେଲିଭିଜନ ମାଧ୍ୟମରେ ହେଉଥିବା ସିଧାପ୍ରସାରଣ ଦେଖିପାରିବେ । ଗତକାଲି ସଂଧ୍ୟାରେ ଶ୍ରୀମନ୍ଦିର ସିଂହଦ୍ୱାରରେ ତିନି ରଥ ଲାଗିବା ପରେ ସେବାୟତମାନେ ବଡ଼ଦାଣ୍ଡରେ ବସି ଗୀତଗୋବିନ୍ଦ ଗାଇଥିଲେ। ବଡଦାଣ୍ଡରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମକ ପରିବେଶ । ଶୃଙ୍ଖଳିତ ବାହୁଡାଯାତ୍ରା ପାଇଁ ସେବାୟତ ଓ ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ।