ଆଜି ମା’ଙ୍କ ବ୍ରହ୍ମଚାରିଣୀ ବେଶ ! ଜାଣନ୍ତୁ ଉପାସନା କଲେ କ’ଣ ମିଳିବ ଲାଭ
![](https://thetruths.in/wp-content/uploads/2023/03/Maa-Brahmacharini-Besha.jpg)
ଆରମ୍ଭ ହୋଇଯାଇଛି ଚୈତ୍ର ନବରାତ୍ରୀ । ୯ ଦିନରେ ମା’ ଆଦ୍ୟାଶକ୍ତିଙ୍କ ୯ଗୋଟି ସ୍ୱରୂପକୁ ଏହି ସମୟରେ ଆରାଧନା କରାଯାଇଥାଏ। ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ସ୍ୱରୂପର ପୂଜା ସାରିଥିବା ବେଳେ ଆଜି ଓ ଦ୍ଵିତୀୟ ଦିନରେ ମା’ ବ୍ରହ୍ମଚାରିଣୀ ଭାବେ ପୂଜା ପାଇବେ ।
ବ୍ରହ୍ମଚାରିଣୀ ଅବତାରେ ମା’ ତପସ୍ବୀ ସ୍ୱରୂପରେ ପୂଜା କରାଯାଏ। ତପ ଚାରିଣୀ ବା ତପ ଆଚରଣ କରୁଥିବା ଦେବୀ ରୂପେବ ମା’ଙ୍କୁ ପୂଜା କରାଯାଏ। ଏହି ସ୍ୱରୂପରେ ମା’ ୨ଭୂଜା। ସେ ମଙ୍ଗଳ ଗ୍ରହର ଆରାଧ୍ୟ ଦେବୀ। ଦୁଇ ଭୁଜରେ ମା’ କମଣ୍ଡଳୁ ଓ ଜପାମାଳ ଧାରଣ କରିଥାନ୍ତି। ମା’ ପାର୍ବତୀଙ୍କ ଜନ୍ମ ପରେ ଦେବରୂଷୀ ନାରଦ ତାଙ୍କୁ ତପ ଆଚରଣ କରି ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ପରାମର୍ଶ ଦେଇଥିଲେ। ଯେଉଁକାରଣରୁ ଭଗବାନ ଶିବଙ୍କୁ ପ୍ରାପ୍ତ କରିବାକୁ ମା’ ପାର୍ବତୀ ପ୍ରଚଣ୍ଡ ତପସ୍ୟା କଲେ। ଏପରିକି ପତ୍ର ଖାଇବା ପରିତ୍ୟାଗ କରି ଅପର୍ଣ୍ଣା ନାମ ଧାରଣ କଲେ। ଦେବୀଙ୍କ ଏହି ପ୍ରଚଣ୍ଡ ତପସ୍ୟାରେ ମା’ ପାର୍ବତୀ ଶିବଙ୍କୁ ପ୍ରାପ୍ତ କରିଥିବାରୁ ମା’ଙ୍କୁ ବ୍ରହ୍ମଚାରିଣୀ ଭାବେ ପୂଜା କରାଯାଏ।
ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କ ବିଧିବିଧାନର ସହ ପୂଜାର୍ଚ୍ଚନା କରାଯାଏ । ଶାନ୍ତ, ସଂଜମ, ବୈରାଗ୍ୟ, ସଦାଚାର, ଶିଷ୍ଟାଚାର, ତ୍ୟାଗ, ତପ ଏବଂ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ବ୍ରହ୍ମଚାରିଣୀ। ମା’ଙ୍କ ଉପାସନା କଲେ ଜୀବନରେ ଆସୁଥିବା କଠିନରୁ କଠିନ ସଂଘର୍ଷ ସରଳ ହୋଇପଡେ । ମାନ୍ୟତା ରହିଛି ମା’ଙ୍କ ପୂଜା କଲେ ସର୍ବତ୍ର ସିଦ୍ଧି ଏବଂ ବିଜୟ ପ୍ରାପ୍ତ ହୋଇଥାଏ । ଉକ୍ତ ଦିନ ସାଧକର ମନ ସ୍ୱାଧୀଷ୍ଠାନ ଚକ୍ରରେ ଘୁରି ବୁଲୁଥାଏ । ଏହି ଚକ୍ରରେ ଅବସ୍ଥିତ ଥିବା ମନବାଳା ଯୋଗୀ ସ୍ୱରୁପ ମା’ଙ୍କ କୃପା ଏବଂ ଭକ୍ତିର ଆଶିର୍ବାଦ ପ୍ରାପ୍ତ କରିଥାଏ ।
ମା’ ବ୍ରହ୍ମଚାରିଣୀ ହେଉଛନ୍ତି ପର୍ବତରାଜ ହିମାଳୟ ଏବଂ ମୈନାବତୀଙ୍କ କନ୍ୟା । ମହାଦେବଙ୍କୁ ବର ସ୍ୱରୂପ ପ୍ରାପ୍ତ କରିବା ପାଇଁ ମା’ ବ୍ରହ୍ମଚାରିଣୀ ଘୋର ତପସ୍ୟା କରିଥିଲେ । କଠିନ ତପସ୍ୟା କାରଣରୁ ମା’ଙ୍କ ନାଁ ତପସ୍ୱୀରିଣୀ ଅର୍ଥାତ୍ ବ୍ରହ୍ମଚାରିଣୀ ରୁପେ ଖ୍ୟାତ ହେଲା । ଏଠାରେ ବ୍ରହ୍ମାର ଅର୍ଥ ହେଉଛି ତପସ୍ୟା । ବ୍ରହ୍ମଚାରିଣୀର ଅର୍ଥ ତପର ଚାରିଣୀ (ଯେ ତପର ଆଚରଣ କରେ) । ଦେବୀଙ୍କ ଏହି ଜ୍ୟୋର୍ତିମୟ ଏବଂ ଅତ୍ୟନ୍ତ ଭବ୍ୟ ରୂପ ଭକ୍ତଙ୍କୁ ଆଶିର୍ବାଦ ପ୍ରଦାନ କରିଥାଏ । ଦେବୀ ନିଜ ଡାହାଣ ହସ୍ତରେ ଜପର ମାଳା ଏବଂ ବାମ ହାତରେ କମଣ୍ଡଳ ଧାରଣ କରିଛନ୍ତି । ଦେବଋଷି ନାରଦଙ୍କ କଥାରେ ଦେବୀ ମହାଦେବଙ୍କୁ ପତୀ ରୁପେ ପାଇବା ପାଇଁ କଠିନ ତପସ୍ୟା କରିଥିଲେ ।
ଏକ ହଜାର ବର୍ଷ ପର୍ଯ୍ୟନ୍ତ ଦେବୀ କେବଳ ଫୁଲ , ଫଳ ଖାଇ ଏବଂ ଶହେ ବର୍ଷ ପର୍ଯ୍ୟନ୍ତ କେବଳ ଚଟାଣରେ ବସି ଦେବୀ ଘୋର ତପସ୍ୟାରେ ବିଲୀନ ଥିଲେ । ପୌରାଣିକ କଥାନୁସାରେ , ଦେବୀ କିଛି ବର୍ଷ ପର୍ଯ୍ୟନ୍ତ ଖୋଲା ଆକାଶ ତଳେ ଖରା ଏବଂ ବର୍ଷାକୁ ସହ୍ୟ କରି ତପସ୍ୟା କରିଥିଲେ । ତିନି ହଜାର ବର୍ଷ ପର୍ଯ୍ୟନ୍ତ ଗଛରୁ ତଳେ ପଡିଥିବା ବେଲପତ୍ର ଖାଇ ବଞ୍ôଚଥିଲେ । ର୍ନିଜଳ,ନିରାହାରରେ ଦେବୀଙ୍କ ଉଜ୍ଜ୍ୱଳ ରୂପ ମଳିନ ପଡିବାକୁ ଲାଗିଥିଲା । ମା’ଙ୍କ କଠୋର ତପସ୍ୟାରେ ପ୍ରସନ୍ନ ହୋଇ ମହାଦେବ ମା’ ବ୍ରହ୍ମଚାରିଣୀଙ୍କୁ ବିବାହ କରିଥିଲେ । ମା’ ବ୍ରହ୍ମଚାରିଣୀ ଦେବୀଙ୍କ କୃପାରେ ସର୍ବସିଦ୍ଧି ପ୍ରାପ୍ତ ହୋଇଥାଏ । ଦୂର୍ଗା ପୂଜାର ଦ୍ୱିତୀୟ ଦିନରେ ଦେବୀଙ୍କ ଏହି ଶାନ୍ତରୂପର ପୂଜାର୍ଚ୍ଚନା କରାଯାଏ ।